ଗାର୍ଡେନିଂ କରୁଥିବା ବ୍ୟକ୍ତିମାନଙ୍କ ମତରେ ଏହି ପାଣି ଗଛପତ୍ର ପାଇଁ କୌଣସି ସଞ୍ଜୀବନୀଠାରୁ କମ୍ ନୁହେଁ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଗଛର ଦ୍ରୁତ ବୃଦ୍ଧି ଏବଂ ସେଗୁଡ଼ିକୁ ସବୁଜ ସୁନ୍ଦର ରଖିବାରେ ସାହାଯ୍ୟ କରେ ।
ଚାଉଳ ଧୋଇବା ପରେ କିମ୍ବା ଭାତ ରାନ୍ଧିବା ପରେ ବଳିପଡ଼ୁଥିବା ପାଣିକୁ ଆମେ ପ୍ରାୟତଃ ବେକାର ଭାବି ଫିଙ୍ଗିଦିଅନ୍ତି । କିନ୍ତୁ ଗାର୍ଡେନିଂ କରୁଥିବା ବ୍ୟକ୍ତିମାନଙ୍କ ମତରେ ଏହି ପାଣି ଗଛପତ୍ର ପାଇଁ କୌଣସି ସଞ୍ଜୀବନୀଠାରୁ କମ୍ ନୁହେଁ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଗଛର ଦ୍ରୁତ ବୃଦ୍ଧି ଏବଂ ସେଗୁଡ଼ିକୁ ସବୁଜ ସୁନ୍ଦର ରଖିବାରେ ସାହାଯ୍ୟ କରେ ।
ଚାଉଳ ପାଣି ଗଛ ପାଇଁ କାହିଁକି ଲାଭଦାୟକ?
ଚାଉଳ ପାଣିରେ ନାଇଟ୍ରୋଜେନ୍, ଫସଫରସ୍, ପୋଟାସିଅମ୍, କ୍ୟାଲସିଅମ୍, ଆଇରନ୍ ଏବଂ ମ୍ୟାଗ୍ନେସିଅମ୍ ଭଳି ଜରୁରୀ ପୋଷକ ତତ୍ତ୍ୱ ଥାଏ । ଏଗୁଡ଼ିକ ଗଛର ଚେରକୁ ମଜବୁତ୍ କରିବାରେ ଏବଂ ନୂଆ ପତ୍ର ଆଣିବାରେ ସାହାଯ୍ୟ କରେ । ଚାଉଳ ପାଣିରେ ଥିବା ଷ୍ଟାଚ୍ ମାଟିରେ ଥିବା ଭଲ ବ୍ୟାକ୍ଟେରିଆ ଏବଂ ମାଇକ୍ରୋବ୍ସ ପାଇଁ ଖାଦ୍ୟ ଭାବରେ କାମ କରେ, ଯାହା ମାଟିର ଉର୍ବରତା ଶକ୍ତି ବୃଦ୍ଧି କରିଥାଏ । ନିୟମିତ ଭାବେ ଏହି ପାଣି ବ୍ୟବହାର କରିବା ଦ୍ୱାରା ଫୁଲ ଓ ଫଳ ଗଛରେ ଅଧିକ କଢ଼ି ଆସିଥାଏ ଏବଂ ଫୁଲ ଶୀଘ୍ର ଝଡ଼ିନଥାଏ ।
ବ୍ୟବହାର କରିବାର ସଠିକ୍ ଉପାୟ
ଚାଉଳକୁ ପ୍ରଥମ ଓ ଦ୍ୱିତୀୟ ଥର ଧୋଇବା ପରେ ବାହାରୁଥିବା ଧଳା ପାଣିକୁ ଏକାଠି କରି ସିଧାସଳଖ ଗଛର ମାଟିରେ ଢାଳିପାରିବେ । ଯଦି ଆପଣ ଭାତରୁ ପେଜ ଗାଳୁଛନ୍ତି, ତେବେ ତାହାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ସେଥିରେ ୩ ରୁ ୪ ଗୁଣ ସାଧାରଣ ପାଣି ମିଶାଇ ପତଳା କରିବା ପରେ ଗଛ ମୂଳରେ ଦିଅନ୍ତୁ । ଚାଉଳ ଧୁଆ ପାଣିକୁ ଗୋଟିଏ ପାତ୍ରରେ ରଖି ୧ ରୁ ୨ ଦିନ ପାଇଁ ଘୋଡ଼ାଇ ରଖିଦେଲେ ସେଥିରେ ଫରମେଣ୍ଟେସନ୍ ହୋଇଥାଏ । ଏହି ପାଣିରେ ସମାନ ପରିମାଣର ସାଧାରଣ ପାଣି ମିଶାଇ ଗଛରେ ଦେଲେ ମାଟିକୁ ବହୁତ ଲାଭ ମିଳିଥାଏ । ଏହାସହିତ ଚାଉଳ ପାଣିକୁ ଛାଣି ସ୍ପ୍ରେ ବୋତଲରେ ଭରି ପତ୍ର ଉପରେ ସ୍ପ୍ରେ କଲେ ପତ୍ରଗୁଡ଼ିକ ଚମକଦାର ହୋଇଥାନ୍ତି ।
ରାନ୍ଧିବା ସମୟରେ ଯଦି ଚାଉଳ କିମ୍ବା ପେଜରେ ଲୁଣ, ତେଲ କିମ୍ବା ମସଲା ପଡ଼ିଥାଏ, ତେବେ ସେହି ପାଣି ଗଛରେ ମୋଟେ ଦିଅନ୍ତୁ ନାହିଁ । ସପ୍ତାହକୁ ଥରେ କିମ୍ବା ୧୫ ଦିନରେ ଥରେ ଚାଉଳ ପାଣି ବ୍ୟବହାର କରିବା ଯଥେଷ୍ଟ, କାରଣ ପ୍ରତିଦିନ ଅତ୍ୟଧିକ ବ୍ୟବହାର କଲେ ମାଟିରେ ଫଙ୍ଗସ୍ ଲଗିବାର ଭୟ ଥାଏ। ଗଛ ମୂଳରେ ସଦାସର୍ବଦା ଥଣ୍ଡା ପାଣି ହିଁ ଢାଳିବା ଆବଶ୍ୟକ ।

