ନିଟ୍ ପେପର୍ ଲିକ୍ ମାମଲା: ସରକାରଙ୍କୁ ଆନ୍ନା ହଜାରେଙ୍କ ପରାମର୍ଶ, ‘ଲୋକଙ୍କ କଥା ଶୁଣନ୍ତୁ’

ନିଜ ଜୀବନର ଅନୁଭୂତି ବାଣ୍ଟି ଆନ୍ନା ହଜାରେ କହିଛନ୍ତି, ସେ ୨୨ ଥର ଅନଶନ କରିଛନ୍ତି, କିନ୍ତୁ କେବେ ବି ହିଂସାର ଆଶ୍ରୟ ନେଇନାହାନ୍ତି । ତାଙ୍କ ମତରେ, ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସମାଧାନ ବାହାର କରିବା, ସଂଘର୍ଷକୁ ବଢ଼ାଇବା ନୁହେଁ ।

ନିଟ୍ ପେପର୍ ଲିକ୍‌କୁ ନେଇ ସାରା ଦେଶରେ ଜୋରଦାର ଛାତ୍ର ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ସମାଜସେବୀ ଆନ୍ନା ହଜାରେଙ୍କ ବଡ଼ ବୟାନ। ସେ କହିଛନ୍ତି, ହିଂସା ନୁହେଁ, ଆଲୋଚନା ହିଁ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। 
ନିଟ୍ ପେପର୍ ଲିକ୍‌କୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଆନ୍ନା ହଜାରେ ପ୍ରତିକ୍ରିୟା ରଖି କହିଛନ୍ତି, କୌଣସି ସମସ୍ୟାର ସମାଧାନ ହିଂସାରେ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ଗାଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ସମ୍ଭବ । ଲୋକତନ୍ତ୍ରରେ ସଂଳାପ ହିଁ ସବୁଠାରୁ ପ୍ରଭାବଶାଳୀ ମାର୍ଗ ବୋଲି ସେ ମତ ରଖିଛନ୍ତି ।

ନିଜ ଜୀବନର ଅନୁଭୂତି ବାଣ୍ଟି ଆନ୍ନା ହଜାରେ କହିଛନ୍ତି, ସେ ୨୨ ଥର ଅନଶନ କରିଛନ୍ତି, କିନ୍ତୁ କେବେ ବି ହିଂସାର ଆଶ୍ରୟ ନେଇନାହାନ୍ତି । ତାଙ୍କ ମତରେ, ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସମାଧାନ ବାହାର କରିବା, ସଂଘର୍ଷକୁ ବଢ଼ାଇବା ନୁହେଁ । ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖୋଲାମନରେ ଆଲୋଚନା ହେଲେ ଅନେକ ବଡ଼ ସମସ୍ୟାର ମଧ୍ୟ ସମାଧାନ ବାହାରିପାରିବ ବୋଲି ସେ କହିଛନ୍ତି । ଏଥି ସହ ସେ ସରକାରଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।  କ୍ଷମତାରେ ଥିବା ଲୋକମାନେ ପ୍ରଥମେ ସାଧାରଣ ଲୋକଙ୍କ ଦାବି ଓ ସମସ୍ୟାକୁ ବୁଝିବା ଉଚିତ୍‌ । ଜନସ୍ୱାର୍ଥରେ ଯଦି ସରକାରଙ୍କୁ ଦୁଇ ପାଦ ଆଗକୁ ବଢ଼ିବାକୁ ପଡ଼େ, ତେବେ ସେଥିରେ କୌଣସି କୁଣ୍ଠାବୋଧ ପ୍ରକାଶ କରିବା ଉଚିତ୍‌ ନୁହେଁ । ଶାସନର ମୂଳ ଲକ୍ଷ୍ୟ ସବୁବେଳେ ଜନକଲ୍ୟାଣ ହେବା ଦରକାର ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ଆନ୍ନା ହଜାରେ କହିଛନ୍ତି, ଇସ୍ତଫା ପରେ କିଏ ଜିତିଲା କିମ୍ବା କିଏ ହାରିଲା, ତାହାଠାରୁ ବଡ଼ କଥା ହେଉଛି ସମାଜର ହିତ । ଯେଉଁ ପଦକ୍ଷେପ ସମାଜର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ, ସେହି ପଦକ୍ଷେପକୁ ପ୍ରାଥମିକତା ମିଳିବା ଦରକାର ବୋଲି ସେ କହିଛନ୍ତି ।

ଏପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏହା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ନିଟ୍ ପେପର୍ ଲିକ୍ ମାମଲାରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଏବଂ ନୂଆ ଶିକ୍ଷାମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ନିଟ୍ ପେପର୍ ଲିକ୍ ମାମଲାରେ ଦେଶର ରାଜନୀତି ସରଗରମ ଥିବାବେଳେ ଆନ୍ନା ହଜାରେଙ୍କ ଏହି ବୟାନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ହିଂସା ପରିବର୍ତ୍ତେ ଆଲୋଚନାର ମାର୍ଗ ଅପଣାଇବାକୁ ତାଙ୍କ ଆହ୍ୱାନ ଏବେ କେତେ ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *