କେବେ ଭାରତରୁ ଚାଲୁଥିଲା ୟେମେନର ଶାସନ ! ଗୃହଯୁଦ୍ଧରେ ଛାରଖାର ଦେଶ

୧୯୯୦ ମସିହାରେ ଉତ୍ତର ୟେମେନ ଓ ଦକ୍ଷିଣ ୟେମେନର ମିଶ୍ରଣରେ ୟେମେନ ଗଣରାଜ୍ୟ ଗଠନ ହୋଇଥିଲା। ଏହା ପୂର୍ବରୁ ଦୁଇ ଅଞ୍ଚଳ ଭିନ୍ନ ରାଜନୈତିକ ବ୍ୟବସ୍ଥାରେ ଥିଲେ।

ପଶ୍ଚିମ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହେଉଛି ୟେମେନ। ଦୀର୍ଘବର୍ଷ ଧରି ଗୃହଯୁଦ୍ଧ, ରାଜନୈତିକ ସଙ୍କଟ ଓ ହିଂସା ଯୋଗୁଁ ଏହି ଦେଶର ସ୍ଥିତି ଗମ୍ଭୀର ହୋଇପଡ଼ିଛି । କିନ୍ତୁ ଏହି ଦେଶ ସହ ଭାରତର ସମ୍ପର୍କ ଅନେକ ଶତାବ୍ଦୀ ପୁରୁଣା । ଏକ ସମୟରେ ୟେମେନର ଦକ୍ଷିଣ ଭାଗର ପ୍ରଶାସନ ବମ୍ବେ ପ୍ରେସିଡେନ୍ସି ଅଧୀନରେ ଚାଲୁଥିଲା। ଏହାର ଇତିହାସ ଯେତିକି ରୋଚକ, ବର୍ତ୍ତମାନର ସ୍ଥିତି ସେତିକି ଚିନ୍ତାଜନକ ।

୧୯୯୦ରେ ଗଠନ ହୋଇଥିଲା ନୂଆ ଦେଶ
୧୯୯୦ ମସିହାରେ ଉତ୍ତର ୟେମେନ ଓ ଦକ୍ଷିଣ ୟେମେନର ମିଶ୍ରଣରେ ୟେମେନ ଗଣରାଜ୍ୟ ଗଠନ ହୋଇଥିଲା। ଏହା ପୂର୍ବରୁ ଦୁଇ ଅଞ୍ଚଳ ଭିନ୍ନ ରାଜନୈତିକ ବ୍ୟବସ୍ଥାରେ ଥିଲେ। ୨୦୧୧ରେ ଆରବ ସ୍ପ୍ରିଙ୍ଗ ଆନ୍ଦୋଳନର ପ୍ରଭାବରେ ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହାପରେ ତତ୍କାଳୀନ ରାଷ୍ଟ୍ରପତି ଅଲୀ ଅବଦୁଲ୍ଲା ସାଲେହଙ୍କୁ କ୍ଷମତା ଛାଡ଼ିବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ରାଜନୈତିକ ଅସ୍ଥିରତା ଓ ସଂଘର୍ଷ ବଢ଼ିଥିଲା। ହୁତି ବିଦ୍ରୋହୀମାନେ ଦେଶର ଉତ୍ତର ଓ ପଶ୍ଚିମ ଭାଗର ବଡ଼ ଅଞ୍ଚଳ ଦଖଲ କରିଥିବାବେଳେ ସାଉଦି ଆରବ ନେତୃତ୍ୱାଧୀନ ସେନା ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ସରକାରକୁ ସମର୍ଥନ କରିଥିଲା। ଏହି ଗୃହଯୁଦ୍ଧରେ ୧.୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଏ।

ଭାରତ ସହ ରହିଛି ଐତିହାସିକ ସମ୍ପର୍କ
୧୯ ଓ ୨୦ ଶତାବ୍ଦୀରେ ୟେମେନର ଅଦନ, ମୋକା ଓ କମରାନ ଦ୍ୱୀପ ହଜ୍ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଥିଲା। ବ୍ରିଟିଶ ଶାସନ ସମୟରେ ଦକ୍ଷିଣ ୟେମେନର ଅଦନ ଅଞ୍ଚଳ ବମ୍ବେ ପ୍ରେସିଡେନ୍ସି ଅଧୀନରେ ପ୍ରଶାସିତ ହେଉଥିଲା। ସେଠାରେ ଭାରତୀୟ ସୈନିକ ମୁତୟନ ହେବା ସହ ଭାରତୀୟ ଟଙ୍କାର ମଧ୍ୟ ବ୍ୟବହାର ହେଉଥିଲା।

ଭାରତ ୟେମେନର ସ୍ୱାଧୀନତାକୁ ସମର୍ଥନ କରିବା ସହ ଦୁଇ ଅଞ୍ଚଳକୁ ପୃଥକ ଦେଶ ଭାବେ ମାନ୍ୟତା ଦେଇଥିଲା। ୨୦୨୫ ଅକ୍ଟୋବର ୧ରୁ ଭାରତ ଅଦନରେ ନିଜର ପ୍ରତିନିଧି କାର୍ଯ୍ୟାଳୟ ଆରମ୍ଭ କରିଛି। ଏହାଦ୍ୱାରା ୟେମେନରେ ଥିବା ଭାରତୀୟଙ୍କୁ ପାସପୋର୍ଟ, ଭିସା ଓ ଅନ୍ୟାନ୍ୟ କନସୁଲାର ସେବା ଯୋଗାଇବା ସହଜ ହେବ।

ୟେମେନର ରାଜଧାନୀ ସାନା ହୋଇଥିବାବେଳେ ଏହାର ମୁଦ୍ରା ୟେମେନୀ ରିଆଲ୍ ଏବଂ ସରକାରୀ ଭାଷା ଆରବୀ। ଗୃହଯୁଦ୍ଧ ସତ୍ତ୍ୱେ ଭାରତ ସହ ଏହାର ବାଣିଜ୍ୟିକ ସମ୍ପର୍କ ରହିଛି। ଭାରତ ୟେମେନକୁ ଚାଉଳ, ଗହମ, ଔଷଧ ଓ ବିଭିନ୍ନ ଶିଳ୍ପଜାତ ଦ୍ରବ୍ୟ ରପ୍ତାନି କରୁଥିବାବେଳେ ସେଠାରୁ ଲୁହା, ଇସ୍ପାତ ଓ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ କରିଥାଏ।

Leave a Reply

Your email address will not be published. Required fields are marked *