ଓଡ଼ିଶାରେ ବନ୍ୟାର ବିଭୀଷିକା: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ

ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରୁ ଶହ ଶହ ଗାଁ ଜଳବନ୍ଦୀ ହୋଇଛି ଏବଂ ଜନଜୀବନ ପ୍ରଭାବିତ ହୋଇଛି । ଏହି ସଙ୍କଟ ସମୟରେ ସରକାରୀ ପଦକ୍ଷେପ ଓ ଜନପ୍ରତିନିଧିଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକ ।

ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଶହ ଶହ ଗାଁ ଜଳବନ୍ଦୀ ହୋଇପଡ଼ିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ସମ୍ବଲପୁର ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଅନେକ ସ୍ଥାନରେ ବନ୍ୟା ଜଳରେ ଘରଦ୍ୱାର ଭାସିଯିବା ସହ ଏକାଧିକ ନିରୀହ ଲୋକ ପ୍ରାଣ ହରାଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ତେବେ ଏପରି ଏକ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ପାଖରେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାକୁ ନେଇ ଏବେ ଗମ୍ଭୀର ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

ରାଜ୍ୟରେ ଏଭଳି ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ଓ ସାଂସଦମାନେ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଭୋଜିଭାତରେ ବ୍ୟସ୍ତ ରହିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ । ଯେଉଁ ସମୟରେ ଜନପ୍ରତିନିଧିମାନେ ବନ୍ୟାଞ୍ଚଳରେ ଉପସ୍ଥିତ ରହି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବା କଥା, ସେହି ସମୟରେ ସେମାନଙ୍କର ରାଜଧାନୀ ଦିଲ୍ଲୀରେ ଉପସ୍ଥିତି ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜ ନିର୍ବାଚନ ମଣ୍ଡଳୀର ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ନେତାମାନଙ୍କର ଏହି ମନୋଭାବକୁ ସମ୍ବେଦନହୀନତାର ଚରମ ସୀମା ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଓଡ଼ିଶାରେ ବନ୍ୟାର ବିଭୀଷିକା, ହେଲେ ଓଡ଼ିଶା ବିଜେପିର ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି?

ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ…— Naveen Patnaik (@Naveen_Odisha) July 30, 2026

ଉଲ୍ଲେଖଯୋଗ୍ୟ ଯେ, ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ‘ପ୍ରତିଟି ଜୀବନ ମୂଲ୍ୟବାନ’ ନୀତିକୁ ଆପଣାଇ ଓଡ଼ିଶା ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିଲା । ପୂର୍ବରୁ ପ୍ରତ୍ୟେକଟି ବିପର୍ଯ୍ୟୟ ସମୟରେ ଆଗୁଆ ପଦକ୍ଷେପ ଏବଂ ଜନପ୍ରତିନିଧିଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଯୋଗୁଁ କ୍ଷୟକ୍ଷତିକୁ ବହୁ ପରିମାଣରେ ଏଡ଼ାଯାଇ ପାରୁଥିଲା । କିନ୍ତୁ ବର୍ତ୍ତମାନର ବନ୍ୟା ସ୍ଥିତିରେ ସରକାରଙ୍କ ଶିଥିଳତା ଏବଂ ଜନପ୍ରତିନିଧିମାନଙ୍କ ଅନୁପସ୍ଥିତି ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ହତାଶ କରିଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏପରି ଗମ୍ଭୀର ପରିସ୍ଥିତିରେ ସରକାର ତୁରନ୍ତ ସମ୍ବେଦନଶୀଳ ହେବା ଆବଶ୍ୟକ । ନେତା ଓ ପ୍ରଶାସନିକ ଅଧିକାରୀମାନେ ପ୍ରଚାର ଓ ଉତ୍ସବ ମାନସିକତାରୁ ବାହାରି ସୀଧାସଳଖ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇବା ଦରକାର । ବନ୍ୟାପୀଡ଼ିତଙ୍କ ପାଖରେ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ, ପାନୀୟ ଜଳ, ଚିକିତ୍ସା ସେବା ଏବଂ ସୁରକ୍ଷିତ ଆଶ୍ରୟସ୍ଥଳ ପହଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି । 

Leave a Reply

Your email address will not be published. Required fields are marked *