ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ପ୍ରାୟ ୯ ମିନିଟର ଭିଡିଓରେ ସେ ଦାବି କରିଛନ୍ତି ଯେ ଗତ କିଛି ମାସ ଧରି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ହଇରାଣ କରାଯାଉଥିଲା ।
ଭାରତର ଏସୀୟ କ୍ରୀଡ଼ା ଦଳରୁ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ୧୮ ବର୍ଷୀୟା ଉଷୁ ଖେଳାଳି ଦିବ୍ୟାଂଶୀ । ଏକ ଭିଡିଓ ବାର୍ତ୍ତାରେ ସେ ଆତ୍ମହତ୍ୟା କରିବା ନେଇ ଧମକ ଦେବା ପରେ ଘଟଣା ଚର୍ଚ୍ଚାକୁ ଆସିଛି । ଆଗାମୀ ଏସୀୟ କ୍ରୀଡ଼ା ଲାଗି ୬୦ କିଲୋଗ୍ରାମ ସାଣ୍ଡା ବର୍ଗରେ ଚୟନ ହୋଇଥିବା ଦିବ୍ୟାଂଶୀଙ୍କୁ ପରେ ଭାରତୀୟ ଦଳରୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ଅଭିଜ୍ଞ ଖେଳାଳି ରୋଶିବିନା ଦେବୀଙ୍କୁ ସାମିଲ କରାଯାଇଛି । ଯାହା ତାଙ୍କୁ ବ୍ୟଥିତ କରିଛି ବୋଲି ନିଜ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଛନ୍ତି ଦିବ୍ୟାଂଶୀ ।
ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ପ୍ରାୟ ୯ ମିନିଟର ଭିଡିଓରେ ସେ ଦାବି କରିଛନ୍ତି ଯେ ଗତ କିଛି ମାସ ଧରି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ହଇରାଣ କରାଯାଉଥିଲା । ଏପରିକି ତାଙ୍କ ନାମ ଦଳରୁ କାଟିବା ପୂର୍ବରୁ ତାଙ୍କୁ ଠିକ୍ ଭାବେ ଅବଗତ କରାଯାଇ ନଥିଲା କିମ୍ବା ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇ ନଥିଲା । ତେବେ ଭାରତୀୟ ଉଷୁ ମହାସଂଘ ଏଥିନେଇ ଭିନ୍ନ ମତ ପୋଷଣ କରିଛି । ଦିବ୍ୟାଂଶୀ ବାଦ୍ ଦେବା ପଛରେ ତାଙ୍କ ଫିଟନେସ୍ ମୁଖ୍ୟ କାରଣ ବୋଲି ମହାସଂଘ ଦର୍ଶାଇଛି ।
ମହାସଂଘ କହିଛି, ଦିବ୍ୟାଂଶୀ ତାଙ୍କ ଆଣ୍ଠୁର ଆଘାତ ସମ୍ପର୍କରେ ତଥ୍ୟ ଲୁଚାଇଥିଲେ। ପରବର୍ତ୍ତୀ ସ୍ବାସ୍ଥ୍ୟ ପରୀକ୍ଷାରେ ସେ ଶତପ୍ରତିଶତ ଫିଟ୍ ନଥିବା ଜଣାପଡ଼ିଥିଲା । ସେଥିପାଇଁ ତାଙ୍କୁ ଅନଫିଟ୍ ଘୋଷଣା କରାଯିବା ସହ ଏସୀୟ କ୍ରୀଡ଼ା ଦଳରୁ ବାଦ୍ ଦିଆଯାଇଥିଲା । ତେବେ ଦିବ୍ୟାଂଶୀଙ୍କ ପ୍ରଶିକ୍ଷକ ଅଶୋକ ଗୌତମ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ଆଘାତ ଗୁରୁତର ନଥିଲା ଏବଂ ଡାକ୍ତରମାନେ ଟେପିଂ କରି ଖେଳିବାକୁ ଅନୁମତି ଦେଇଥିଲେ । ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ୫ଟି ଚୟନ ପ୍ରକ୍ରିୟାରେ ଦିବ୍ୟାଂଶୀ ପ୍ରତ୍ୟେକ ଥର ପ୍ରଥମ ସ୍ଥାନ ହାସଲ କରିଥିଲେ। ଶେଷ ଟ୍ରାଏଲ୍ସରେ ମଧ୍ୟ ସେ ରୋଶିବିନା ଦେବୀଙ୍କୁ ପରାସ୍ତ କରିଥିଲେ । ଏହା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଦିବ୍ୟାଂଶୀଙ୍କ ନାମ ହଟାଇ ରୋଶିବିନାଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

