ଅସନ୍ତୁଷ୍ଟ ବିଧାୟକମାନେ ବର୍ତ୍ତମାନର ସମସ୍ତ ମନ୍ତ୍ରୀଙ୍କୁ ପଦରୁ ହଟାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ମଧ୍ୟ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ଏହା ବଦଳରେ ସମ୍ପୂର୍ଣ୍ଣ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ସେମାନେ ଚାହୁଁଛନ୍ତି।
ଜମ୍ମୁ-କଶ୍ମୀରରେ ଉମର ଅବଦୁଲ୍ଲା ସରକାର ପାଇଁ ବଢ଼ିବାରେ ଲାଗିଛି ରାଜନୈତିକ ସଙ୍କଟ। ଶାସକ ନ୍ୟାସନାଲ କନଫରେନ୍ସ ଦଳ ଭିତରେ ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଦଳର ୨୫ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଏକ ଗୋଷ୍ଠୀ ଦଳୀୟ ନେତୃତ୍ୱକୁ ୧୪ ଦିନର ମହଲତ ଦେଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି।
ସୂତ୍ର ଅନୁସାରେ, ଅସନ୍ତୁଷ୍ଟ ବିଧାୟକମାନେ ବର୍ତ୍ତମାନର ସମସ୍ତ ମନ୍ତ୍ରୀଙ୍କୁ ପଦରୁ ହଟାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ମଧ୍ୟ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ଏହା ବଦଳରେ ସମ୍ପୂର୍ଣ୍ଣ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ସେମାନେ ଚାହୁଁଛନ୍ତି। ନୂଆ ମନ୍ତ୍ରୀ ଚୟନ ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ସହ ଯୋଗ୍ୟତା ଆଧାରରେ ଦାୟିତ୍ୱ ବଣ୍ଟନ କରିବାକୁ ଦାବି ହୋଇଛି। ବିଧାୟକଙ୍କ ଅଭିଯୋଗ ଅନୁସାରେ, ସରକାରରେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ମାଧ୍ୟମରେ ଏକତରଫା ନିଷ୍ପତ୍ତି ନିଆଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସମସ୍ତ ବିଧାୟକଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି।
କେବଳ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନୁହେଁ, ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମଧ୍ୟ ଅସନ୍ତୁଷ୍ଟ ଗୋଷ୍ଠୀ ଚାପ ପକାଇଛି। ବିଶେଷକରି ଧାରା ୩୭୦, ୩୫ଏ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାର ପୂର୍ଣ୍ଣ ପୁନଃସ୍ଥାପନ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଭାବେ ଉଠାଇବାକୁ ଦାବି ହୋଇଛି। ୧୪ ଦିନ ମଧ୍ୟରେ ଠୋସ୍ ପଦକ୍ଷେପ ନିଆନଗଲେ ବିଧାୟକମାନେ ରାଜଭବନ ଯାଇ ସମର୍ଥନ ପ୍ରତ୍ୟାହାର ଘୋଷଣା କରିପାରନ୍ତି।
ଏପଟେ ଶ୍ରୀନଗରର ସାଂସଦ ଆଗା ସୟଦ ରୁହୁଲ୍ଲା ମେହଦୀ ନଭେମ୍ବର ୩ରେ ଦଳ ଏବଂ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଦଳୀୟ ନେତୃତ୍ୱ ନିଜର ବିଚାରଧାରା ଓ ନିର୍ବାଚନୀ ପ୍ରତିଶ୍ରୁତିରୁ ଦୂରେଇ ଯାଉଥିବା ଅଭିଯୋଗ ସେ ଆଣିଛନ୍ତି। ଅଗଷ୍ଟ ୫, ୨୦୧୯ର ସାମ୍ବିଧାନିକ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରିବାର ଜନାଦେଶ ପାଳନ ହେଉନଥିବା ତାଙ୍କ ଅଭିଯୋଗ।
୯୦ ସଦସ୍ୟ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ନ୍ୟାସନାଲ କନଫରେନ୍ସର ୪୧ ଜଣ ବିଧାୟକ ଥିବା କୁହାଯାଉଛି। ଏଭଳି ସ୍ଥିତିରେ ୨୫ ଜଣ ବିଧାୟକ ଏକଜୁଟ ହୋଇ ସମର୍ଥନ ପ୍ରତ୍ୟାହାର କଲେ ଉମର ଅବଦୁଲ୍ଲା ସରକାର ପାଇଁ ବହୁମତ ପ୍ରମାଣ କରିବା କଷ୍ଟକର ହୋଇପାରେ। ଫଳରେ ସରକାରର ସ୍ଥିରତା ନେଇ ବଡ଼ ପ୍ରଶ୍ନ ଉଠିବ। ଏବେ ୧୪ ଦିନ ମଧ୍ୟରେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଏବଂ ଦଳୀୟ ଫାଟକୁ ରୋକିବା ଉମର ଅବଦୁଲ୍ଲାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

