ଲସ୍ ଏଞ୍ଜେଲସ୍ରେ ଖେଳାଯାଇଥିବା ଇରାନ୍-ନ୍ୟୁଜିଲାଣ୍ଡ୍ ମୁକାବିଲା ଅଧିକ ରୋମାଞ୍ଚକର ହୋଇଥିଲା ଉଭୟ ଦଳ ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ଅଭିଯାନ ଶେଷ କରିଥିଲେ। ପ୍ରତି ଥର ନ୍ୟୁଜିଲାଣ୍ଡ୍ ଆଗ ଗୋଲ୍ ଦେଇଥିବାବେଳେ ଇରାନ୍ ଏହାକୁ ଶୁଝାଇ ଦେଇ ସମ୍ମାନ ରଖିଥିଲା।

ଚଳିତ ଫିଫା ବିଶ୍ବକପ୍ରେ ମଙ୍ଗଳବାର ସକାଳେ ଖେଳାଯାଇଥିବା ଉଭୟ ମ୍ୟାଚ୍ ବିନା ହାରଜିତ୍ରେ ଶେଷ ହୋଇଛି। ଇରାନ୍ ଓ ନ୍ୟୁଜିଲାଣ୍ଡ୍ ୨-୨ ଗୋଲ୍ରେ ସୀମିତ ରହିବାରୁ ୧ ପଏଣ୍ଟ୍ ଲେଖାଏଁ ବାଣ୍ଟିଛନ୍ତି। ସମାନ ସ୍ଥିତିରେ ମଧ୍ୟ ସାଉଦି ଆରବ ବନାମ ଉରୁଗୁଏ ମୁକାବିଲା ୧-୧ ଗୋଲ୍ରେ ଡ୍ର’ ରହିବାରୁ ଉଭୟ ଦେଶ ପଏଣ୍ଟ ଭାଗ କରିଛନ୍ତି। ଚଳିତ ବିଶ୍ବକପ୍ରେ ମଧ୍ୟ ଏହା କ୍ରମାଗତ ଚତୁର୍ଥ ଡ୍ର’ ହୋଇଛି। ଏହି ଦୁଇ ମୁକାବିଲା ପୂର୍ବରୁ ସ୍ପେନ୍-କେବ୍ ବର୍ଡେ ୦-୦ରେ ଏବଂ ବେଲଜିୟମ୍-ଇଜିପ୍ଟ ୧-୧ରେ ସନ୍ତୁଷ୍ଟ ହୋଇଥିଲେ।
ଲସ୍ ଏଞ୍ଜେଲସ୍ରେ ଖେଳାଯାଇଥିବା ଇରାନ୍-ନ୍ୟୁଜିଲାଣ୍ଡ୍ ମୁକାବିଲା ଅଧିକ ରୋମାଞ୍ଚକର ହୋଇଥିଲା ଉଭୟ ଦଳ ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ଅଭିଯାନ ଶେଷ କରିଥିଲେ। ପ୍ରତି ଥର ନ୍ୟୁଜିଲାଣ୍ଡ୍ ଆଗ ଗୋଲ୍ ଦେଇଥିବାବେଳେ ଇରାନ୍ ଏହାକୁ ଶୁଝାଇ ଦେଇ ସମ୍ମାନ ରଖିଥିଲା। ନ୍ୟୁଜିଲାଣ୍ଡ୍ ପାଇଁ ଉଭୟ ଗୋଲ୍ ଦେଇଥିଲେ ଏଲିଜା ଜଷ୍ଟ୍। ପ୍ରଥମାର୍ଦ୍ଧର ୭ ଏବଂ ଦ୍ବିତୀୟାର୍ଦ୍ଧରେ ୫୫ ମିନିଟ୍ରେ ସେ ଏହି ଗୋଲ୍ ଦେଇଥିଲେ। ଦଳକୁ ବିଜୟ ମିଳିନଥିଲେ ମଧ୍ୟ ସେ ମ୍ୟାଚ୍ ପରେ ୧ ପଏଣ୍ଟ୍ରେ ସନ୍ତୁଷ୍ଟ ବୋଲି ସ୍ବୀକାର କରିଥିଲେ।
ଦଳ ଭଲ ଆରମ୍ଭ କରିବା ଏବଂ ଗୋଲ୍ ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ ଇରାନ୍ ପାଇଁ ରମିନ୍ ରେଜାୟାଁ (୩୨ ମିନିଟ୍) ଏବଂ ମହମ୍ମଦ ମୋହେବି (୬୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ମୋହେବିଙ୍କ ସୁନ୍ଦର ହେଡର୍ ଇରାନ୍କୁ ୧ ପଏଣ୍ଟ୍ ପ୍ରଦାନରେ ପ୍ରମୁଖ ଭୂମିକା ତୁଲାଇଥିଲା। ସୂଚନାଯୋଗ୍ୟ, ବିଶ୍ବକପ୍ ମଇଦାନରେ ପ୍ରଥମ ଥର ଇରାନ୍ ଓ ନ୍ୟୁଜିଲାଣ୍ଡ୍ ପରସ୍ପରକୁ ଭେଟି ସମ୍ମାନର ସହ ଅଭିଯାନ ସାରିଛନ୍ତି। ଆମେରିକୀୟଙ୍କ ବିରୋଧ ଭିତରେ ଖେଳିଥିବା ଇରାନ୍ ସବୁଠାରୁ ଅଧିକ ସନ୍ତୁଷ୍ଟ ହୋଇଥିବ ନିଶ୍ଚିତ।
ମିଆମି ଗାର୍ଡେନ୍ସରେ ଖେଳାଯାଇଥିବା ଗ୍ରୁପ୍-ଏଚ୍ ମୁକାବିଲାରେ ସାଉଦି ଆରବ ଦଳ ପ୍ରଥମେ ଗୋଲ୍ ଦେଇଥିଲେ ମଧ୍ୟ ପୂର୍ବତନ ବିଜେତା ଉରୁଗୁଏ ଏହାକୁ ଶୁଝି ଦେଇଥିଲା। ମ୍ୟାଚ୍ର ୪୧ତମ ମିନିଟ୍ରେ ଅବଦୁଲେଲା ଅଲ୍ ଅମ୍ର ଏସୀୟ ଦଳ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ମ୍ୟାଚ୍ର ୮୦ତମ ମିନିଟ୍ରେ କିନ୍ତୁ ମ୍ୟାକ୍ସମିଲାନ ଅରାଜୋ ଏହାକୁ ବରାବର କରି ଦେଇଥିଲେ।
