ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ, ଜଣେ ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆଇନଗତ ଇଚ୍ଛାମୃତ୍ୟୁ ପ୍ରଦାନ କରାଯାଇଛି। ୨୦୨୪ ମସିହାରେ ଆଇନ ପରିବର୍ତ୍ତନ ହେବା ପରେ ଏହା ପ୍ରଥମ ମାମଲା।
ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ, ଜଣେ ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆଇନଗତ ଇଚ୍ଛାମୃତ୍ୟୁ ପ୍ରଦାନ କରାଯାଇଛି। ୨୦୨୪ ମସିହାରେ ଆଇନ ପରିବର୍ତ୍ତନ ହେବା ପରେ ଏହା ପ୍ରଥମ ମାମଲା। ନୂତନ ନିୟମ ଅନୁଯାୟୀ, ୧ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଇଚ୍ଛାମୃତ୍ୟୁ ପ୍ରଦାନ କରାଯାଇପାରିବ ଯଦି ସେମାନେ କୌଣସି ମାରାତ୍ମକ ରୋଗରେ ପୀଡିତ ଥାନ୍ତି ଏବଂ ଏହା ଯୋଗୁ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତଥା ଆରୋଗ୍ୟ ହେବାର କୌଣସି ଆଶା ନଥିବ। ଡଚ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ସୋଫି ହର୍ମାନ୍ସ କହିଛନ୍ତି ଯେ, ଗତ ବର୍ଷ ଶିଶୁଟି ଇଚ୍ଛାମୃତ୍ୟୁ ମାଧ୍ୟମରେ ମୃତ୍ୟୁବରଣ କରିଛି। ତେବେ ସେ ଶିଶୁଟିର ବୟସ,ପରିଚୟ କିମ୍ବା ଅସୁସ୍ଥତା ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ସଂସଦରେ ସରକାରଙ୍କ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବା ସମୟରେ ସେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଇଚ୍ଛାମୃତ୍ୟୁ କରିଥିବା ଡାକ୍ତର ସମସ୍ତ ଆଇନଗତ ଆବଶ୍ୟକତାକୁ ସଠିକ୍ ଭାବରେ ପାଳନ କରିଛନ୍ତି କି ନାହିଁ ତାହା ଯାଞ୍ଚ୍ କରିବା ପାଇଁ ସରକାରୀ ଆଇନଜୀବୀଙ୍କ ଦ୍ୱାରା ମାମଲାର ତଦନ୍ତ କରାଯିବ।
ଡଚ୍ ସରକାର ୨୦୨୪ ମସିହାରେ ଆଇନ ସଂଶୋଧନ କରି ୧ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କିଛି ପରିସ୍ଥିତିରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ। ସରକାର ସ୍ପଷ୍ଟ କରିଥିଲେ ଯେ, କେବଳ ଗୁରୁତର ସ୍ୱାସ୍ଥ୍ୟଗତ ଅବସ୍ଥା ଥିଲେ ଇଚ୍ଛାମୃତ୍ୟୁ ଅନୁମତିପ୍ରାପ୍ତ। ଜୀବନ ସମ୍ପର୍କରେ ସବୁ ଜାଣି ଗଲିଣି କିମ୍ବା ଜଣେ ଆଉ ବଞ୍ଚିବାକୁ ଚାହୁଁନାହିଁ ବୋଲି ଅନୁଭବ କରୁଥିବା ନେଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ଅନୁମତି ପାଇବାର ଆଧାର ନୁହେଁ ବୋଲି ସରକାର କହିଥିଲେ।
ଇଚ୍ଛାମୃତ୍ୟୁ ଦେବା ପୂର୍ବରୁ ଡାକ୍ତରମାନଙ୍କୁ ଅନେକ ଆଇନଗତ ଆବଶ୍ୟକତା ପୂରଣ କରିବାକୁ ପଡିବ। ସେମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ରୋଗୀଙ୍କ ଯନ୍ତ୍ରଣା ଅସହ୍ୟ, ଆରୋଗ୍ୟ ହେବାର କୌଣସି ଆଶା ନାହିଁ, ଏବଂ ସେମାନଙ୍କୁ ତାଙ୍କ ରୋଗ ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଯାଇଛି। ସେମାନଙ୍କୁ ଏହା ମଧ୍ୟ ନିଶ୍ଚିତ କରିବାକୁ ପଡିବ ଯେ, ରୋଗର ଅନ୍ୟ କୌଣସି ଉପଯୁକ୍ତ ବିକଳ୍ପ ଚିକିତ୍ସା ନାହିଁ। ଡାକ୍ତରଙ୍କୁ ମଧ୍ୟ ଏକ ସ୍ବତନ୍ତ୍ର ମତାମତ ନେବାକୁ ପଡିବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ସତର୍କତାର ସହିତ କରାଯିବ। ୧୨ ବର୍ଷରୁ କମ୍ ବୟସର ରୋଗୀମାନଙ୍କୁ ସେମାନଙ୍କର ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ସମ୍ମତି ନେବାକୁ ପଡିବ। ଯେତେବେଳେ ଏହି ଆଇନ ପ୍ରଣୟନ ହୋଇଥିଲା, ସରକାର ଆକଳନ କରିଥିଲେ ଯେ, ପ୍ରତିବର୍ଷ ପ୍ରାୟ ୫ ରୁ ୧୦ ପିଲା ଏହି ନିୟମ ଦ୍ୱାରା ପ୍ରଭାବିତ ହୋଇପାରନ୍ତି।
ନେଦରଲ୍ୟାଣ୍ଡରେ, ପୂର୍ବରୁ ଏକ ବର୍ଷରୁ କମ୍ ବୟସର ଶିଶୁ ଏବଂ ୧୨ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଇଚ୍ଛାମୃତ୍ୟୁ ଅନୁମତି ଦିଆଯାଇଥିଲା। ଏହି ଅଧିକାର ଏକ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ନଥିଲା। ଏହି ବୟସର ପିଲାମାନଙ୍କୁ କେବଳ ଉପଶମକାରୀ ଚିକିତ୍ସା ଦିଆଯାଉଥିଲା। ସେମାନଙ୍କୁ ପ୍ରାକୃତିକ ମୃତ୍ୟୁ ପାଇଁ ଅପେକ୍ଷା କରିବାକୁ ପଡୁଥିଲା। ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଇଚ୍ଛାମୃତ୍ୟୁ ପାଇଁ ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମତି ଆବଶ୍ୟକ। ୧୬ ରୁ ୧୭ ବର୍ଷ ବୟସର କିଶୋରମାନେ ନିଜର ନିଷ୍ପତ୍ତି ନେଇପାରିବେ, ଯଦିଓ ସେମାନଙ୍କ ପିତାମାତାଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ଯଦି ଜଣେ ଡାକ୍ତର ଆଇନ ଉଲ୍ଲଂଘନ କରନ୍ତି ଏବଂ ଇଚ୍ଛାମୃତ୍ୟୁ କରାନ୍ତି, ତେବେ ତାଙ୍କୁ ୧୨ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଏବଂ ଜରିମାନା ହୋଇପାରେ।୨୦୦୨ ମସିହାରେ ନେଦରଲ୍ୟାଣ୍ଡ ବିଶ୍ୱର ପ୍ରଥମ ଦେଶ ଭାବରେ ଇଚ୍ଛାମୃତ୍ୟୁକୁ ଆଇନଗତ କରିଥିଲା। ଏଭଳି ପ୍ରତ୍ୟେକ ମାମଲାକୁ ଏକ ଡାକ୍ତରୀ ଯାଞ୍ଚ୍ କମିଟି ଦ୍ୱାରା ସମୀକ୍ଷା କରାଯାଇଥାଏ। ବେଲଜିୟମ ୨୦୧୪ ମସିହାରେ ସମସ୍ତ ବୟସର ପିଲାମାନଙ୍କ ପାଇଁ ଇଚ୍ଛାମୃତ୍ୟୁକୁ ଆଇନଗତ କରିଥିଲା।

