ଓଡ଼ିଶାର ପ୍ରଥମ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଶାନ୍ତିର ନିଆଁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ଏହି ପ୍ରତିଷ୍ଠିତ କଲେଜର ଅଧ୍ୟକ୍ଷଙ୍କ ନାଁରେ ଆସିଛି ଏକାଧିକ ସାଂଘାତିକ ଅଭିଯୋଗ ।
ଓଡ଼ିଶାର ପ୍ରଥମ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଶାନ୍ତିର ନିଆଁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ଏହି ପ୍ରତିଷ୍ଠିତ କଲେଜର ଅଧ୍ୟକ୍ଷଙ୍କ ନାଁରେ ଆସିଛି ଏକାଧିକ ସାଂଘାତିକ ଅଭିଯୋଗ । ପାଠପଢ଼ା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଏବଂ ଧମକଚମକ ଦେବା ଅଭିଯୋଗରେ ୩ ଦିନ ହେଲା କଲେଜ ପରିସରରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ, କଲେଜରେ ପ୍ରାୟ ୩ ବର୍ଷ ହେଲା କୌଣସି ନିୟମିତ ଥିଓରୀ କ୍ଲାସ ହେଉନା ହିଁ। ଏନେଇ ପ୍ରଶ୍ନ କଲେ ଅଧ୍ୟକ୍ଷ ଓଲଟା ଛାତ୍ରଛାତ୍ରୀଙ୍କ ପେପର ବ୍ୟାକ୍ ଲଗାଇ ଦେବା ପାଇଁ ଧମକ ଦେଉଛନ୍ତି । ଏସବୁ ଅଭିଯୋଗ ପରେ ଅଧ୍ୟକ୍ଷ ଆଉ କଲେଜକୁ ମଧ୍ୟ ଆସୁନାହାନ୍ତି ।
କେବଳ ପାଠପଢ଼ା ନୁହେଁ, ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଏବଂ ପରିବାରକୁ ନେଇ ଅଶାଳୀନ କମେଣ୍ଟ ଓ କଟାକ୍ଷ କରୁଥିବା ଅଭିଯୋଗ ହୋଇଛି । ସେହିପରି ଷ୍ଟଡି ଟୁରରେ ବ୍ୟାପକ ପାତରଅନ୍ତର କରାଯାଇଥିବା ବେଳେ କିଛି ଅତିଥି ଅଧ୍ୟାପିକା ଡୁପ୍ଲିକେଟ୍ ଆଇ-କାର୍ଡ ବ୍ୟବହାର କରି ଯାଇଥିବା ନେଇ ଛାତ୍ରଛାତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଉପରେ କଲେଜ କର୍ତ୍ତୃପକ୍ଷ ବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ । ଏତେସବୁ ଅଭିଯୋଗର କେବେ ତଦନ୍ତ ହେବ ଏବଂ ଛାତ୍ରଛାତ୍ରୀଙ୍କ ଦାବି କେବେ ପୂରଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

