୧୭ତମ ଦିନରେ ୮ଘଣ୍ଟା ୨୩ ମିନିଟ୍‌ ଗଣତି: ସବୁ ରତ୍ନର ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଂ ସହ କାଟଲଗ୍‌ ପ୍ରସ୍ତୁତ

୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ପ୍ରାୟ ୮ଘଣ୍ଟା ୨୩ ମିନିଟ୍‌ ଧରି ଚାଲିଥିବା ଏହି ଗଣତିରେ ହୀରା, ନୀଳା, ମୋତି, ମାଣିକ୍ୟ ପ୍ରଭୃତି ମୂଲ୍ୟବାନ ରତ୍ନ ୧୯୭୮ ତାଲିକା ଅନୂଯାୟୀ ସମ୍ପୂର୍ଣ୍ଣ ମେଳକ ହୋଇଛି।

୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ପ୍ରାୟ ୮ଘଣ୍ଟା ୨୩ ମିନିଟ୍‌ ଧରି ଚାଲିଥିବା ଏହି ଗଣତିରେ ହୀରା, ନୀଳା, ମୋତି, ମାଣିକ୍ୟ ପ୍ରଭୃତି ମୂଲ୍ୟବାନ ରତ୍ନ ୧୯୭୮ ତାଲିକା ଅନୂଯାୟୀ ସମ୍ପୂର୍ଣ୍ଣ ମେଳକ ହୋଇଛି। ମହାପ୍ରଭୁଙ୍କୁ କୃପାରୁ ଏହା ଅତ୍ୟନ୍ତ ସ୍ବଚ୍ଛତାର ସହ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ କେବେ ଆରମ୍ଭ ହେବ ପରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।    

ଆଜି ସକାଳ ଧୂପ ପରେ ୧୧ଟା ୩୦ ମିନିଟ୍‌ରେ ସ୍ବତନ୍ତ୍ର ଦଳ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ସଂଧ୍ୟା ୭ଟା ୫୩ ମିନିଟ୍‌ରେ ଗଣତି ଶେଷ ହୋଇଥିଲା। ଭିତରେ ଥିବା ୬ଟି ଆଲମାରିରୁ ଏବେ ପଞ୍ଚମ ଆଲମାରି ରତ୍ନ ଗଣତି ଚାଲିଛି। ସବୁ ରତ୍ନର ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଂ ସହ କାଟଲଗ୍‌ ପ୍ରସ୍ତୁତ କରାଯାଉଛି। ରତ୍ନ ବିଶାରଦଙ୍କ ଦ୍ବାରା ରତ୍ନପଥରଗୁଡ଼ିକ ଚିହ୍ନଟ ହେଉଥିବାରୁ ଗୋଟିଏ ଗୋଟିଏ ରତ୍ନ ପରୀକ୍ଷା କରି ଗଣତି କରିବାକୁ ଘଣ୍ଟାଏ ଲାଗୁଛି। ଅତିରିକ୍ତ ବ୍ୟବସ୍ଥାବଳୀ ଆଧାରରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି।
ଗତକାଲି ରତ୍ନଭଣ୍ଡାର ଭିତରେ ଥିବା ତିନିଟି କାଠବାକ୍ସର ମାପ ନିଆଯାଇଥିଲା। ସେହି ମାପରେ ନୂଆ ବାକ୍ସ ତିଆରି ହେବ। କାଠବାକ୍ସରୁ ରତ୍ନ ଗଣା ସରିବା ପରେ ନୂଆ ବାକ୍ସରେ ରଖାଯିବ। ଆଲମାରିରୁ ଗଣତି ସରିଯିବା ପରେ ଏହି କାଠବାକ୍ସ ଖୋଲାଯିବ। କାଠବାକ୍ସକୁ ଖୋଲି ଅଳଙ୍କାର ଗଣତି କରିବା ଭିତର ରତ୍ନଭଣ୍ଡାରର ସୀମିତ ଜାଗାରେ ସମ୍ଭବ ନ ଥିବାରୁ ଏହାକୁ ଖଟଶେଜ ଘରେ ଗଣତି କରାଯିବ। ଏଣୁ ଏହି ଖଟଶେଜ ଘରକୁ ତା ପୂର୍ବରୁ ପ୍ରସ୍ତୁତ କରାଯାଉଛି। ଏହି ପ୍ରକ୍ରିୟାରେ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଡ. ଜଷ୍ଟିସ୍‌ ବିଶ୍ବନାଥ ରଥ, ଅଧିକୃତ ସେବକ, ଛତିଶା ନିଯୋଗ ନାୟକ, ତଢ଼ଉକରଣ, ଦେଉଳକରଣ, ଭଣ୍ଡାର ମେକାପ ସେବକ, ପରିଚାଳନା କମିଟି ସଦସ୍ୟ ଓ ଯେଉଁମାନେ ଅଧିକୃତ ବ୍ୟକ୍ତିବିଶେଷ ଅଛନ୍ତି; ସମସ୍ତେ ସମର୍ପଣ ଭାବ ନେଇ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ଡ. ପାଢ଼ୀ।

Leave a Reply

Your email address will not be published. Required fields are marked *