ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଆମେରିକା ତେହେରାନ ଉପରେ ଏକାଧିକ ଆକ୍ରମଣ କରୁଥିବା ବେଳେ, ତେହେରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି ।
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଆମେରିକା ତେହେରାନ ଉପରେ ଏକାଧିକ ଆକ୍ରମଣ କରୁଥିବା ବେଳେ, ତେହେରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ଉପରେ ଭାରତ ଚିନ୍ତା ପ୍ରକାଶ କରିଛି ଏବଂ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରିଛି। ହର୍ମୁଜ୍ ପ୍ରଣାଳୀରେ ଅନେକ ଜାହାଜ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣକୁ ଭାରତ ନିନ୍ଦା କରି ନିରବଚ୍ଛିନ୍ନ ନୌଚାଳନା ଏବଂ ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ଦାବି କରିଛି।
ପଶ୍ଚିମ ଏସିଆକୁ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ବର୍ଣ୍ଣନା କରି, ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ପାର୍ବଥନେନୀ ହରିଶ କହିଛନ୍ତି,ଏହି କ୍ଷେତ୍ରରେ ଚାଲିଥିବା ସଂଘର୍ଷ କିଛି ସମୟ ପାଇଁ ଶାନ୍ତ ହେବା ପରେ, ଆକ୍ରମଣର ପୁନରାବୃତ୍ତି ଏବଂ ଉତ୍ତେଜନା ବୃଦ୍ଧି ଚିନ୍ତାର ବିଷୟ। ଭାରତ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ କରୁଛି। ଜାତିସଂଘ ସୁରକ୍ଷା ପରିଷଦରେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଏକ ଖୋଲା ବିତର୍କ ସମୟରେ, ହରିଶ ହର୍ମୁଜ୍ ପ୍ରଣାଳୀରେ ପରିବହନ କରୁଥିବା ଜାହାଜ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି।
ସେ କହିଛନ୍ତି, ଏହି ଆକ୍ରମଣରେ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି। କେତେକ ମଧ୍ୟ ଗୁରୁତର ଅଛନ୍ତି। ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ ସର୍ବଦା ନାବିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ହର୍ମୁଜ୍ ପ୍ରଣାଳୀ ଭଳି ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ଏବଂ ନିରାପଦ ନୌଚାଳନା ବାଧାକୁ ନିନ୍ଦା କରିଆସିଛି। ଭାରତ ଏହି ଅଞ୍ଚଳରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ହାସଲ କରିବା ପାଇଁ ଆଲୋଚନା ଏବଂ କୂଟନୀତିକୁ ଦୃଢ଼ ଭାବରେ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ହରିଶ କହିଛନ୍ତି ଯେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ବନ୍ଦ ହେବା ଉଚିତ୍। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ଏହି ଅଞ୍ଚଳର ଆନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ଏବଂ ଅବାଧ ଗତିବିଧି ଏବଂ ବାଣିଜ୍ୟ ଯଥାଶୀଘ୍ର ପୁନଃସ୍ଥାପିତ ହେବା ଉଚିତ୍।
ହରିଶ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତାରେ ଭାରତର ଏକ ପ୍ରମୁଖ ଭୂମିକା ରହିଛି। ଭାରତର ବାଣିଜ୍ୟ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳ ପଶ୍ଚିମ ଏସିଆ କ୍ଷେତ୍ର ସହିତ ଦୃଢ଼ ଭାବରେ ଜଡିତ। ଏହି କ୍ଷେତ୍ର ସହିତ ଭାରତର ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧୮୦ ବିଲିୟନ ଡଲାର। ଏହା ବ୍ୟତୀତ, ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶଗୁଡ଼ିକରୁ ଭାରତକୁ ୩୧ ବିଲିୟନ ଡଲାରରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ)ଆସିଛି। ଭାରତୀୟମାନେ ପ୍ରତିବର୍ଷ ୫୨ ବିଲିୟନ ଡଲାରରୁ ଅଧିକ ଟଙ୍କା ସ୍ବଦେଶକୁ ପଠାଇଥାନ୍ତି। ଅସ୍ଥିରତା ଯୋଗୁଁ ଭାରତର ଅର୍ଥନୀତି ଏବଂ ଶକ୍ତି ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପଡୁଛି। ପ୍ରାୟ ୧ କୋଟି ଭାରତୀୟ ଗଲ୍ଫ ଅଞ୍ଚଳରେ ବାସ କରନ୍ତି ଏବଂ କାର୍ଯ୍ୟ କରନ୍ତି। ସେମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

