ହର୍ମୁଜ୍ ପ୍ରଣାଳୀକୁ ନେଇ ବଢ଼ୁଥିବା ସଙ୍କଟ ମଧ୍ୟରେ ଇରାନ ଓ ଜର୍ମାନୀ ମଧ୍ୟରେ ହଟ୍ଲାଇନ୍ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇ ହର୍ମୁଜ୍ରେ ସୁରକ୍ଷା ବ୍ୟବସ୍ଥା ଏବଂ ଚାଲିଥିବା ସଂଘର୍ଷର ଅନ୍ତ ନେଇ ଆଲୋଚନା କରିଛନ୍ତି ।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଆଲୋଚନା ବେଳେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ତାଙ୍କ ମତରେ, ସମସ୍ତ ଜାହାଜର ନିରାପଦ ଚଳାଚଳ ଏବଂ ଅଞ୍ଚଳରେ ସ୍ଥିରତା ପାଇଁ ହର୍ମୁଜ୍ ପ୍ରଣାଳୀକୁ ବିନା ସର୍ତ୍ତରେ ଖୋଲାଯିବା ଆବଶ୍ୟକ ।
ଅନ୍ୟପକ୍ଷରେ, ଆରାଘଚି କହିଛନ୍ତି ଯେ ଆମେରିକା ନିଜର ସାମରିକ କାର୍ଯ୍ୟକଳାପ ବନ୍ଦ କଲେ ହିଁ ହର୍ମୁଜ୍ରେ ସୁରକ୍ଷା ସୁନିଶ୍ଚିତ ହୋଇପାରିବ । ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକା ସାମୁଦ୍ରିକ ଅବରୋଧ ଲଗାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ହର୍ମୁଜ୍ ପ୍ରଣାଳୀ ବନ୍ଦ ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଥିବା ପ୍ରଭାବ ପାଇଁ ଆମେରିକାକୁ ଦାୟୀ କରିଛି ଇରାନ ।
ଜର୍ମାନୀ ପକ୍ଷରୁ ତେବେ ସଂଘର୍ଷର ସମାଧାନ ପାଇଁ ଇରାନକୁ ଆମେରିକା ଓ ପଡ଼ୋଶୀ ଦେଶଗୁଡ଼ିକ ସହ ଗଠନମୂଳକ ଆଲୋଚନା କରିବାକୁ ଅନୁରୋଧ କରାଯାଇଛି । ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଲେ ବିଶ୍ୱର ତୈଳ ଯୋଗାଣ ଓ ଜାହାଜ ଚଳାଚଳ ଉପରେ ବଡ଼ ପ୍ରଭାବ ପଡ଼ିପାରେ । ତେଣୁ ଏହି ହଟ୍ଲାଇନ୍ ଆଲୋଚନାକୁ ଚାଲିଥିବା ସଙ୍କଟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଭାବେ ଦେଖାଯାଉଛି ।