ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସ୍ନାନମଣ୍ଡପ ଏବଂ ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାର୍କେଟ୍ ଛକ ପରଠାରୁ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ‘ନୋ ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି ।
ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସ୍ନାନମଣ୍ଡପ ଏବଂ ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାର୍କେଟ୍ ଛକ ପରଠାରୁ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ‘ନୋ ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି । ଭକ୍ତଙ୍କ ସୁରକ୍ଷିତ ଚଳାଚଳ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିରରେ ପହଣ୍ଡି, ଜଳଲାଗି, ହାତୀ ବେଶ, ସାଧାରଣ ଭକ୍ତ ଓ ଭିଆଇପି ଦର୍ଶନକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ୧୪ଟି ସୁରକ୍ଷା ସେକ୍ଟର କରାଯାଇଛି । ପ୍ରତ୍ୟେକ ସେକ୍ଟରରେ ଅଭିଜ୍ଞ ପୁଲିସ୍ ଅଧିକାରୀ ନିୟୋଜିତ ରହିବେ । ସ୍ନାନମଣ୍ଡପ ତଳେ ଭିଡ଼ ନିୟନ୍ତ୍ରଣ ପାଇଁ କୁଇକ୍ ରିଆକ୍ସନ୍ ଟିମ୍ ଓ ସ୍ପେଶାଲ୍ ଟାକ୍ଟିକାଲ୍ ଟିମ୍କୁ ମୁତୟନ କରାଯିବ ।
ଏହାସହ ଶ୍ରୀମନ୍ଦିର ଭିତରେ ୧୫୨ଟି, ମନ୍ଦିର ଚାରିପାଖରେ ୨୫୦ଟି ଏବଂ ମାର୍କେଟ୍ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ମାଧ୍ୟମରେ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖାଯିବ । ସ୍ନାନଯାତ୍ରା ଡ୍ୟୁଟିରେ ୪ ଜଣ ଏସ୍ପି, ୧୪ ଜଣ ଅତିରିକ୍ତ ଏସ୍ପି, ୮୩ ଜଣ ଇନ୍ସପେକ୍ଟର, ୩୪୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୭୯ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ ।
ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଜଣେ ଏସ୍ପି, ୬ ଜଣ ଅତିରିକ୍ତ ଏସ୍ପି, ୨୭ ଜଣ ଇନ୍ସପେକ୍ଟର, ୧୦୫ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । କେବଳ ଶ୍ରୀମନ୍ଦିର ନୁହେଁ, ପୁରୀ ରେଳଷ୍ଟେସନ୍ରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରେଳଷ୍ଟେସନ୍ ଭିତରେ ଓ ବାହାରେ **୩ ଜଣ ଡିଏସ୍ପି, ୪ ଜଣ ଇନ୍ସପେକ୍ଟର, ୫୦ ଜଣ ଏସ୍ଆଇ ଓ ଏଏସ୍ଆଇ**, ୬ ସେକ୍ସନ୍ ଫୋର୍ସ ଏବଂ ୪ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ମୁତୟନ ରହିବେ । ସ୍ନାନପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କୁ ସୁରକ୍ଷିତ, ସୁଶୃଙ୍ଖଳ ଓ ନିର୍ବିଘ୍ନ ଦର୍ଶନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି ।

