ବିମ୍କୋ-ଆଇସିଏସ୍ (BIMCO-ICS) ସିଫେରର୍ ୱାର୍କଫୋର୍ସ ୨୦୨୬ ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାମୁଦ୍ରିକ ନାବିକ ବା ସିଫେରର୍ ଯୋଗାଣକାରୀ ଦେଶରେ ପରିଣତ ହୋଇଛି ।
ବିଶ୍ୱ ସାମୁଦ୍ରିକ କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ବିମ୍କୋ-ଆଇସିଏସ୍ (BIMCO-ICS) ସିଫେରର୍ ୱାର୍କଫୋର୍ସ ୨୦୨୬ ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାମୁଦ୍ରିକ ନାବିକ ବା ସିଫେରର୍ ଯୋଗାଣକାରୀ ଦେଶରେ ପରିଣତ ହୋଇଛି । ବିଶ୍ୱ ସାମୁଦ୍ରିକ କାର୍ଯ୍ୟବଳରେ ଭାରତର ଅଂଶଧନ ବୃଦ୍ଧି ପାଇ ୧୨.୨ ପ୍ରତିଶତରେ ପହଞ୍ଚିଛି । ଅନ୍ୟପଟେ ଚୀନର ଶତ୍ରୁ କୁହାଯାଉଥିବା ଫିଲିପାଇନ୍ସ ଏହି ତାଲିକାରେ ଏବେ ବି ପ୍ରଥମ ସ୍ଥାନରେ ରହିଛି । ପ୍ରତି ପାଞ୍ଚ ବର୍ଷରେ ଥରେ ପ୍ରକାଶ ପାଉଥିବା ଏହି ରିପୋର୍ଟକୁ ସାମୁଦ୍ରିକ ଶିଳ୍ପରେ ସବୁଠାରୁ ବିଶ୍ୱସନୀୟ ଆକଳନ ବୋଲି ମନେ କରାଯାଏ । ଗତ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱ ବାଣିଜ୍ୟିକ ଜାହାଜ ଚଳାଚଳ କ୍ଷେତ୍ରରେ ଭାରତୀୟ ନାବିକଙ୍କ ଅଂଶଧନ ପ୍ରାୟ ଦୁଇଗୁଣ ହୋଇଛି ।
ଏହି ରିପୋର୍ଟ ଅନୁସାରେ, ଭାରତର ପ୍ରକୃତ ଶକ୍ତି ଅଫିସର କ୍ୟାଡରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତ ବିଶ୍ୱକୁ ୧.୪ ଲକ୍ଷରୁ ଅଧିକ ଅଧିକାରୀ ଯୋଗାଉଛି, ଯାହା ବିଶ୍ୱର ସମୁଦାୟ ଅଫିସର କାର୍ଯ୍ୟବଳର ୧୩.୪ ପ୍ରତିଶତ । ସେହିଭଳି ପ୍ରାୟ ୧.୭ ଲକ୍ଷ ଭାରତୀୟ ନାବିକ ବିଶ୍ୱର ବିଭିନ୍ନ ବାଣିଜ୍ୟିକ ଜାହାଜରେ କାର୍ଯ୍ୟରତ ଅଛନ୍ତି, ଯାହା ଗ୍ଲୋବାଲ୍ ରେଟିଂ ୱାର୍କଫୋର୍ସର ୧୧.୨୯ ପ୍ରତିଶତ। ଭାରତୀୟ ନାବିକଙ୍କ ଦକ୍ଷତା ଓ ନିଷ୍ଠା କାରଣରୁ ବିଭିନ୍ନ ଆନ୍ତର୍ଜାତୀୟ ଜାହାଜ କମ୍ପାନୀଗୁଡ଼ିକ ଏବେ ଭାରତୀୟଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
ତେବେ ଏହି ସଫଳତା ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଫସି ରହିଥିବା ‘AMIR1’ ନାମକ ଏକ ଜାହାଜରେ ୧୩ ଜଣ ଭାରତୀୟ ନାବିକଙ୍କ ଜୀବନ ବିପଦରେ ଥିବା ଜଣାପଡ଼ିଛି । ଫରୱାର୍ଡ ସିମେନ୍ ୟୁନିୟନ ଅଫ୍ ଇଣ୍ଡିଆ ଅନୁଯାୟୀ, ଜାହାଜରେ ସମୁଦାୟ ୧୫ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ୧୩ ଜଣ ଭାରତୀୟ ରହିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ କ୍ରମାଗତ ଭାବେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ ହେଉଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ବଡ଼ ଆଶଙ୍କା ଦେଖାଦେଇଛି । ଏହି ଭାରତୀୟ ନାବିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ପକ୍ଷରୁ ଭାରତ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି ।

