ସୁଦାନରେ ଏକ ସୁନା ଖଣି ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସୁଦାନ ଏବଂ ମିଶର ମଧ୍ୟରେ ଥିବା ବିବାଦୀୟ ସୀମା ନିକଟରେ ଏୟାର ଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି
ସୁଦାନରେ ଏକ ସୁନା ଖଣି ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସୁଦାନ ଏବଂ ମିଶର ମଧ୍ୟରେ ଥିବା ବିବାଦୀୟ ସୀମା ନିକଟରେ ଏୟାର ଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି। ଇମରଜେନ୍ସି ଲୟାର୍ସ ନାମକ ଏକ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି, ଏୟାର ଷ୍ଟ୍ରାଇକ୍ ଇଜିପ୍ଟର ବାୟୁସେନା ଦ୍ୱାରା କରାଯାଇଥିଲା। ତେବେ ସଂଗଠନ ନିଜର ଦାବିକୁ ସମର୍ଥନ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ପ୍ରଦାନ କରିନାହିଁ । ଇଜିପ୍ଟ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ବିବୃତି ଜାରି କରିନାହିଁ। ବିମାନ ଆକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କ ଅନୁସାରେ ସେମାନେ ଆକ୍ରମଣ ନେଇ ଭୟଭୀତ ହୋଇଯାଇଥିଲେ । ସେମାନେ ଭୟ କରିଥିଲେ ଯେ ଆଉ ଏକ ବିମାନ ଆକ୍ରମଣ ହୋଇପାରେ। ତେଣୁ ସେମାନେ ପାହାଡ଼ରେ ଲୁଚି ରହିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଲଢୁଆ ବିମାନ ଖଣି ଉପରେ ପାଞ୍ଚ ଥର ବୋମାମାଡ଼ କରିଥିଲା ।
ଆକ୍ରମଣ ପରେ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭୨ ବୋଲି କୁହାଯାଇଥିଲା, କିନ୍ତୁ ସ୍ଥାନୀୟ ସଂଗଠନଗୁଡ଼ିକ ଅନୁମାନ କରୁଛନ୍ତି ଯେ ଆକ୍ରମଣ ସମୟରେ ହଜାରରେ ଅଧିକ ଲୋକ ଭିନ୍ନ ଭିନ୍ନ ସ୍ଥାନରେ କାମ କରୁଥିଲେ, ତେଣୁ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି। କାମ କରୁଥିବା ଶ୍ରମିକ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ। ରାସ୍ତାରେ ବହୁ ସଂଖ୍ୟକ କ୍ଷତବିକ୍ଷତ ମୃତଦେହ ପଡ଼ିରହିଥିବା ଗଣମାଧ୍ୟମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହା ପୂର୍ବରୁ ଜୁନ୍ ମାସରେ ମିଶର ସୀମା ନିକଟସ୍ଥ ଜାବାଲ୍ ଅଲ୍-ଉକାୟଦାତ୍ ଅଞ୍ଚଳରେ ଏକ ଅଣଲାଇସେନ୍ସ ପ୍ରାପ୍ତ ସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଆକ୍ରମଣ ପାଇଁ ମିଶରକୁ ଦାୟୀ କରାଯାଇଥିଲା।
ସୁଦାନ ଏବଂ ମିଶର ମଧ୍ୟରେ ସୀମା ବିବାଦ ରହିଛି, ଉଭୟ ଦେଶ ଖଣିଜ ସମ୍ପଦରେ ସମୃଦ୍ଧ ଥିବା ହଲୈବ ତ୍ରିଭୁଜକୁ ନିଜର ବୋଲି ଦାବି କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ସୁନା ଖଣିରେ କାମ କରୁଥିବା ଶ୍ରମିକଙ୍କୁ ଘଉଡ଼ାଇବା ପାଇଁ ମିଶର ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଉଛି।

