ସାକ୍ଷ୍ୟ ପ୍ରମାଣର ଅଭାବ, ତଦନ୍ତରେ ତ୍ରୁଟି !  ମୁକ୍ତ ହେଲେ ମାଓନେତା ଆଜାଦ୍‌

ଦୀର୍ଘ ବର୍ଷ ପରେ ନ୍ୟାୟିକ ପ୍ରକ୍ରିୟାରେ ଆଜାଦ୍‌ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ତାଙ୍କ ବିରୋଧରେ ମାମଲାଗୁଡ଼ିକର ତଦନ୍ତ କିପରି ହୋଇଥିଲା ଏବଂ ସେଥିରେ କୌଣସି ଅବହେଳା ବା ତ୍ରୁଟି ରହିଥିଲା କି ନାହିଁ, ତାହା ନେଇ ଚର୍ଚ୍ଚା ଜୋର ଧରିଛି ।

ନିର୍ଦ୍ଦୋଷରେ ଖଲାସ ହୋଇଛି ମାଓନେତା ଆଜାଦ୍‌ । ସମସ୍ତ ମାମଲାରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଦାଲତରେ ବିଫଳ ହେବାରୁ ମାଓନେତା ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଗତକାଲି ଜେଲ୍‌ରୁ ମୁକୁଳଛନ୍ତି । ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ଜେଲ୍‌ରେ ରହିବା ପରେ ସେ ମୁକ୍ତ ହେବା ଘଟଣା ଏବେ ପୁଲିସର ତଦନ୍ତ ପ୍ରକ୍ରିୟା, ସାକ୍ଷ୍ୟ ଯୋଗାଡ଼ ଏବଂ ମାମଲା ପରିଚାଳନାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି । ଆଜାଦ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିବା ସହ ଦୀର୍ଘ ୧୫ ବର୍ଷ ଧରି ଜେଲ୍‌ରେ କାଟିଥିବା ସମୟ ପାଇଁ କ୍ଷତିପୂରଣ ଦାବି ଉଠିଛି । ଆଇନଜୀବୀମାନେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛନ୍ତି । ବିଶେଷକରି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଟିଆଇ ପରେଡ୍‌ (Test Identification Parade) କରାଯାଇନଥିବା, ସାକ୍ଷୀ ଓ ଅଭିଯୁକ୍ତଙ୍କ ସମ୍ପର୍କିତ ଆବଶ୍ୟକ ରେକର୍ଡ ସଂଗ୍ରହ କିମ୍ବା ରେକର୍ଡ କରାଯାଇନଥିବା ଭଳି ତ୍ରୁଟି ତଦନ୍ତର ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଆଇନଜୀବୀମାନେ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ମାଓବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦର୍ଶାଇ ପୁଲିସ ପକ୍ଷରୁ ବିଭିନ୍ନ ମାମଲା ରୁଜୁ କରାଯାଉଥିଲା । କିନ୍ତୁ ମାମଲାର ବିଚାର ସମୟରେ ଆବଶ୍ୟକ ଓ ଦୃଢ଼ ପ୍ରମାଣ ଉପସ୍ଥାପନରେ ତଦନ୍ତକାରୀ ସଂସ୍ଥା ବିଫଳ ହେବା ଯୋଗୁଁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଆଇନଜୀବୀମାନେ ମତ ଦେଇଛନ୍ତି । 

ଏହି ଘଟଣା କେବଳ ଜଣେ ଅଭିଯୁକ୍ତଙ୍କ ମୁକ୍ତି ନୁହେଁ, ବରଂ ତଦନ୍ତର ମାନ, ସାକ୍ଷ୍ୟ ସଂଗ୍ରହ ପ୍ରକ୍ରିୟା ଏବଂ ମାମଲା ରୁଜୁ ପୂର୍ବରୁ ପୁଲିସର ଯାଞ୍ଚ ପ୍ରକ୍ରିୟା ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନ ଚିହ୍ନ ଛାଡ଼ିଛି । ଦୀର୍ଘ ବର୍ଷ ପରେ ନ୍ୟାୟିକ ପ୍ରକ୍ରିୟାରେ ଆଜାଦ୍‌ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ତାଙ୍କ ବିରୋଧରେ ମାମଲାଗୁଡ଼ିକର ତଦନ୍ତ କିପରି ହୋଇଥିଲା ଏବଂ ସେଥିରେ କୌଣସି ଅବହେଳା ବା ତ୍ରୁଟି ରହିଥିଲା କି ନାହିଁ, ତାହା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଡୁନା କେଶବ ରାଓ କହିଛନ୍ତି, ଦୀର୍ଘ ୧୫ ବର୍ଷର ସଂଘର୍ଷ ପରେ ସେ ଶେଷରେ ଘରକୁ ଫେରିଛନ୍ତି । ପରିବାର ସଦସ୍ୟଙ୍କ ସହ ସମୟ ବିତାଇ ସେ ଖୁସି ଅନୁଭବ କରୁଥିବା କହିଛନ୍ତି । ଆଗାମୀ ଦିନରେ ସମାଜ ସହ ମିଶି ରହିବେ ଏବଂ ସାଧାରଣ ଜୀବନ ବିତାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *