ଶବକୁ ଅସମ୍ମାନ! ୩ ଦିନ ହେଲା ଘରେ ପଡ଼ିଛି ମୃତଦେହ, ସତ୍କାର ପାଇଁ ବୋହୂର ଆକୁଳ ନିବେଦନ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ ଆସିଛି ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଖବର । ତିନି ଦିନ ହେଲା ଘରେ ପଡ଼ି ରହିଛି ଜଣେ ବୃଦ୍ଧାଙ୍କ ମୃତଦେହ । ହେଲେ ହୋଇପାରୁନି ଶବ ସତ୍କାର ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ ଆସିଛି ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଖବର । ତିନି ଦିନ ହେଲା ଘରେ ପଡ଼ି ରହିଛି ଜଣେ ବୃଦ୍ଧାଙ୍କ ମୃତଦେହ । ହେଲେ ହୋଇପାରୁନି ଶବ ସତ୍କାର । ଶାଶୁଙ୍କ ମୃତଦେହ ପାଖରେ ବସି ରହିଛନ୍ତି ବୋହୂ । ଗାଁ ଲୋକ ଓ ଜ୍ଞାତିକୁଟୁମ୍ବଙ୍କୁ ଯେତେ ଗୁହାରି କଲେ ବି, ଶବ ସତ୍କାର ପାଇଁ କେହି ଆସୁନଥିବା ଅଭିଯୋଗ ହୋଇଛି । ଘଟଣାଟି ରାଜନଗର ବ୍ଲକ ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁର । ଗାଁର ସବିତା ଶାସମାଲ ଗତ ମଙ୍ଗଳବାର ଦିନ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ପରେ ତାଳଚୁଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା । ପରେ ପୁଲିସ ମୃତଦେହକୁ ତାଙ୍କ ବୋହୂଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଏହାପରେ ଶବ ସତ୍କାରକୁ ନେଇ ଦେଖାଦେଇଛି ବିବାଦ । ଗ୍ରାମବାସୀ ଓ ସବିତାଙ୍କ ପରିବାର ମଧ୍ୟରେ ପୂର୍ବରୁ ଥିବା ବିବାଦ କାରଣରୁ ଗାଁ ଲୋକେ ଶବ ସତ୍କାର କରାଇ ଦେଉନଥିବା ଅଭିଯୋଗ ହୋଇଛି । ଏପଟେ ଶାଶୁଙ୍କ ମୃତଦେହକୁ ନେଇ ଅସହାୟ ହୋଇପଡ଼ିଛନ୍ତି ବୋହୂ ।

ଶବ ସତ୍କାର ପାଇଁ ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜ୍ଞାତିକୁଟୁମ୍ବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରୁଥିଲେ ମଧ୍ୟ କେହି ସହଯୋଗ କରୁନଥିବା ସେ କହିଛନ୍ତି । ଏଭଳି ପରିସ୍ଥିତିରେ ମୃତଦେହକୁ ତିନି ଦିନ ଧରି ଘରେ ରଖିବାକୁ ପଡ଼ିବା ଘଟଣା ମାନବିକତା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି । ଏବେ ପ୍ରଶ୍ନ ଉଠୁଛି, ପାରିବାରିକ କିମ୍ବା ଗ୍ରାମ୍ୟ ବିବାଦ ଯୋଗୁଁ କ’ଣ ଜଣେ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନରୁ ବଞ୍ଚିତ କରାଯିବ? ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ମୃତଦେହର ସତ୍କାର ବ୍ୟବସ୍ଥା କରିବା ସହ ବିବାଦର ସମାଧାନ କରିବା ନେଇ ଦାବି ଉଠିଛି ।

Leave a Reply

Your email address will not be published. Required fields are marked *