କାହିଁକି ରୋନାଲ୍ଡୋଙ୍କ ବିରୋଧରେ ହେଲା ଏତେ ବଡ଼ କାର୍ଯ୍ୟାନୁଷ୍ଠାନ? କୋଚ୍ଙ୍କ ସହ କେଉଁ କଥାକୁ ନେଇ ବଢ଼ିଥିଲା ବିବାଦ? ଆଉ ଏହି ନିଲମ୍ବନ ପରେ ଜାତୀୟ ଦଳକୁ ଫେରିପାରିବେ ତ ରୋନାଲ୍ଡୋ? ସୂଚନା ଅନୁସାରେ, ପର୍ତ୍ତୁଗାଲ ଦଳରେ ନିଜ ଭୂମିକା ଓ ଖେଳିବାର ସୁଯୋଗକୁ ନେଇ ରୋନାଲ୍ଡୋ ଏବଂ କୋଚ୍ ଜର୍ଜ ଜିସସ୍ଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।
ଫୁଟବଲ୍ ଦୁନିଆର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବଡ଼ ଝଟକା। ପର୍ତ୍ତୁଗାଲ ଜାତୀୟ ଦଳର କ୍ୟାମ୍ପ ଛାଡ଼ିବା ଘଟଣାରେ ରୋନାଲ୍ଡୋଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ପର୍ତ୍ତୁଗାଲ ଫୁଟବଲ୍ ମହାସଂଘ। ୪୧ ବର୍ଷୀୟ ଏହି ଷ୍ଟାର୍ ଖେଳାଳିଙ୍କୁ ୩୦ ଦିନ ପାଇଁ ନିଲମ୍ବନ କରାଯିବା ସହ ୨୫୫ ୟୁରୋ ଜରିମାନା ଲଗାଯାଇଛି। ଅକ୍ଟୋବର ୧୯ରେ ମହାସଂଘର ଶୃଙ୍ଖଳା କମିଟି ଏହି ନିଷ୍ପତ୍ତି ନେଇଛି।
ତେବେ କାହିଁକି ରୋନାଲ୍ଡୋଙ୍କ ବିରୋଧରେ ହେଲା ଏତେ ବଡ଼ କାର୍ଯ୍ୟାନୁଷ୍ଠାନ? କୋଚ୍ଙ୍କ ସହ କେଉଁ କଥାକୁ ନେଇ ବଢ଼ିଥିଲା ବିବାଦ? ଆଉ ଏହି ନିଲମ୍ବନ ପରେ ଜାତୀୟ ଦଳକୁ ଫେରିପାରିବେ ତ ରୋନାଲ୍ଡୋ? ସୂଚନା ଅନୁସାରେ, ପର୍ତ୍ତୁଗାଲ ଦଳରେ ନିଜ ଭୂମିକା ଓ ଖେଳିବାର ସୁଯୋଗକୁ ନେଇ ରୋନାଲ୍ଡୋ ଏବଂ କୋଚ୍ ଜର୍ଜ ଜିସସ୍ଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ସେପ୍ଟେମ୍ବର ୨୭ରେ ନରୱେ ବିପକ୍ଷ ମ୍ୟାଚ୍ରେ ରୋନାଲ୍ଡୋଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ସେ ପୂରା ମ୍ୟାଚ୍ରେ ବେଞ୍ଚରେ ବସି ରହିଥିଲେ। କୋଚ୍ ନିଜ ପ୍ରତିଶ୍ରୁତି ରକ୍ଷା କରିନଥିବା ଅଭିଯୋଗ କରିଥିଲେ ରୋନାଲ୍ଡୋ।
ଏହାପରେ ଅକ୍ଟୋବର ୧ରେ ଡେନମାର୍କ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେପ୍ଟେମ୍ବର ୩୦ରେ କୋପେନହେଗେନ୍ରେ ଥିବା ଦଳର କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ଏହାକୁ ଶୃଙ୍ଖଳା ଭଙ୍ଗ ବୋଲି ବିବେଚନା କରି ମହାସଂଘ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ନିୟମର ଧାରା ୧୬୦ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ବିବାଦ ପରେ ନିଜ ଭୁଲ୍ ସ୍ୱୀକାର କରି ପ୍ରଶଂସକ ଓ ସାଥୀ ଖେଳାଳିଙ୍କ ନିକଟରେ କ୍ଷମା ମାଗିଥିଲେ ରୋନାଲ୍ଡୋ। ଫୁଟବଲ୍ରେ ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ ଯେକୌଣସି ଦଣ୍ଡ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ବୋଲି କହିଥିଲେ। ତାଙ୍କ ଅନୁତାପକୁ ବିଚାରକୁ ନେଇ ମହାସଂଘ ସର୍ବନିମ୍ନ ଦଣ୍ଡ ଦେଇଛି।
ତେବେ ରୋନାଲ୍ଡୋଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର। ଅକ୍ଟୋବର ପହିଲାରୁ ନିଲମ୍ବନ ଅବଧି ଗଣନା କରାଯାଉଥିବାରୁ ନଭେମ୍ବରରେ ତାଙ୍କ ଫେରିବା ସମ୍ଭାବନା ରହିଛି। ନଭେମ୍ବର ୧୪ରେ ଡେନମାର୍କ ଏବଂ ୧୭ରେ ୱେଲ୍ସ ବିପକ୍ଷରେ ଖେଳିବ ପର୍ତ୍ତୁଗାଲ। ଏହି ଦୁଇ ମ୍ୟାଚ୍ରେ ରୋନାଲ୍ଡୋଙ୍କୁ ପୁଣି ଜାତୀୟ ଦଳର ଜର୍ସିରେ ଦେଖିବାକୁ ମିଳିପାରେ। ତେବେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ପରିଚାଳନା କର୍ତ୍ତୃପକ୍ଷ ନେବେ।

