ଜନ୍ମମାଟିରେ ଜନ୍ମଦିନ, ଆଉ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ସାଥ୍ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ ।
ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୟୂରଭଞ୍ଜ ପାହାଡ଼ପୁରରେ ପହଞ୍ଚିଛନ୍ତି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ଜନ୍ମମାଟିରେ ଜନ୍ମଦିନ, ଆଉ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ସାଥ୍ । ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଦେଶର ବିଭିନ୍ନ ନେତାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସକାଳୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଲେଖିଥିଲେ, ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା ସାହସ, ସରଳତା, ନମ୍ରତା ଏବଂ ଜନସେବା ପ୍ରତି ଅଟଳ ସମର୍ପଣର ଏକ ଅନନ୍ୟ ଉଦାହରଣ । ତାଙ୍କର ଜୀବନ ଲକ୍ଷ ଲକ୍ଷ ଭାରତବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କେବଳ ଶୁଭେଚ୍ଛା ବାର୍ତ୍ତା ନୁହେଁ, ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶାରେ ପହଞ୍ଚିଛନ୍ତି ମୋଦୀ । ଆଜି ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନିଜ ବାର୍ତ୍ତାରେ ରାଷ୍ଟ୍ରପତିଙ୍କ ଦୀର୍ଘ ସାର୍ବଜନୀନ ଜୀବନର ପ୍ରଶଂସା କରି କହିଛନ୍ତି, ବିଶେଷ କରି ଅବହେଳିତ, ବଞ୍ଚିତ ଓ ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଅନନ୍ୟ । ଭାରତର ବିକାଶ ଓ ସାମାଜିକ ନ୍ୟାୟ ପ୍ରତି ତାଙ୍କର ସମର୍ପଣ ଭାବ ଦେଶ ପାଇଁ ଏକ ପ୍ରେରଣାଦାୟକ ଅଧ୍ୟାୟ ବୋଲି ସେ କହିଛନ୍ତି ।
ରାଷ୍ଟ୍ରପତିଙ୍କ ଜନ୍ମଦିନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ରାଜନାଥ ସିଂହ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, ସମାଜର ସେବା ଓ ଲୋକଙ୍କ ସଶକ୍ତିକରଣ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସମର୍ପିତ । ଅନ୍ତର୍ଭୁକ୍ତ ବିକାଶ ଓ ସାମାଜିକ ନ୍ୟାୟ ପ୍ରତି ତାଙ୍କର ପ୍ରତିବଦ୍ଧତା ତାଙ୍କୁ ଜନସେବାର ଏକ ପ୍ରକୃତ ପ୍ରତୀକ ଭାବେ ପରିଚିତ କରିଛି ଆଜିର ଦିନ କେବଳ ରାଷ୍ଟ୍ରପତିଙ୍କ ଜନ୍ମଦିନ ନୁହେଁ, ବରଂ ଓଡ଼ିଶା ପାଇଁ ମଧ୍ୟ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ଦେଶର ପ୍ରଥମ ନାଗରିକ ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ବେଳେ, ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଦେଇଛି । ସାଧାରଣ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କ ସଫଳତାର ଯାତ୍ରା ଆଜି କୋଟି କୋଟି ଭାରତବାସୀଙ୍କ ପାଇଁ ପ୍ରେରଣା । ଆଉ ଜନ୍ମମାଟିରେ ତାଙ୍କର ଏହି ଜନ୍ମଦିନ ପାଳନ ସେହି ପ୍ରେରଣାର ଏକ ଅଭୁଲା ଅଧ୍ୟାୟ ହୋଇ ରହିବ ।

