ଭାରତର ମହାନ ଦାର୍ଶନିକ ପରମ୍ପରା, ପ୍ରାଚୀନ ଧର୍ମଗ୍ରନ୍ଥ, ସିନ୍ଧୁ ଉପତ୍ୟକା ସଭ୍ୟତା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟର ଗୌରବମୟ ଇତିହାସକୁ ନେଇ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ତାହା କହିଛନ୍ତି, ସେହି ଭାରତ ତାଙ୍କର ପ୍ରିୟ, ଯେଉଁ ଦେଶରେ ସଂସ୍କୃତ ଓ ତାମିଲ ଭଳି ପ୍ରାଚୀନ ଭାଷାର ସମୃଦ୍ଧ ପରମ୍ପରା ରହିଛି ।
ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ଐତିହ୍ୟର ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ବିଶେଷଜ୍ଞ ଅହମଦ ତାହା । ଭାରତ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ରହିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମନେ ପକାଇ ସେ ଭାରତ ପ୍ରତି ନିଜର ଭଲପାଇବା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ହିନ୍ଦୀ ଭାଷାରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, “ମୁଁ ଆରବୀ ମୁସଲମାନ, ମୁଁ ଏମିରାତୀ ଏବଂ ମୁଁ ଭାରତକୁ ଭଲପାଏ ।”
ଭାରତର ମହାନ ଦାର୍ଶନିକ ପରମ୍ପରା, ପ୍ରାଚୀନ ଧର୍ମଗ୍ରନ୍ଥ, ସିନ୍ଧୁ ଉପତ୍ୟକା ସଭ୍ୟତା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟର ଗୌରବମୟ ଇତିହାସକୁ ନେଇ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ତାହା କହିଛନ୍ତି, ସେହି ଭାରତ ତାଙ୍କର ପ୍ରିୟ, ଯେଉଁ ଦେଶରେ ସଂସ୍କୃତ ଓ ତାମିଲ ଭଳି ପ୍ରାଚୀନ ଭାଷାର ସମୃଦ୍ଧ ପରମ୍ପରା ରହିଛି । ଗଣିତ, ଖଗୋଳ ବିଜ୍ଞାନ ଓ ଦର୍ଶନ କ୍ଷେତ୍ରରେ ଭାରତର ଅବଦାନ ଅତୁଳନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଭାରତର ମନ୍ଦିରଗୁଡ଼ିକୁ ପଥରରେ ଖୋଦିତ କବିତା ସହ ତୁଳନା କରିଛନ୍ତି ଅହମଦ ତାହା । ଏଥିସହ ଜେଜେବାପା, ଜେଜେମାଆ ଓ ଅଜାଆଈଙ୍କଠାରୁ ପିଲାମାନଙ୍କ ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି ବଞ୍ଚି ରହୁଥିବା କାହାଣୀ ଓ ପରମ୍ପରାର ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଭାରତ ଓ ଆରବ ଦେଶଗୁଡ଼ିକର ସମ୍ପର୍କକୁ ନେଇ ସେ କହିଛନ୍ତି, ଶତାବ୍ଦୀ ଶତାବ୍ଦୀ ଧରି ଉଭୟ ଅଞ୍ଚଳର ଲୋକେ ହିନ୍ଦ ମହାସାଗର ଦେଇ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ଆରବ ଉପସାଗରୀୟ ଅଞ୍ଚଳରୁ ମୋତି ଭାରତକୁ ଯାଉଥିବାବେଳେ ଭାରତରୁ ମସଲା, ବସ୍ତ୍ର, ଚିନ୍ତାଧାରା ଓ କାହାଣୀ ଆରବ ଦେଶଗୁଡ଼ିକରେ ପହଞ୍ଚୁଥିଲା । ତାଙ୍କ ମତରେ, ଏହି ସମୁଦ୍ର ଉଭୟ ଅଞ୍ଚଳ ମଧ୍ୟରେ ଦୂରତା ସୃଷ୍ଟି କରିନଥିଲା; ବରଂ ଯୋଗାଯୋଗ ଓ ସମ୍ପର୍କର ମାଧ୍ୟମ ପାଲଟିଥିଲା ।
ଭାରତର ଭାଷା, ଖାଦ୍ୟ ଓ ଧର୍ମଗ୍ରନ୍ଥର ପ୍ରଶଂସା
ଭାରତର ବିବିଧତାକୁ ପ୍ରଶଂସା କରି ଅହମଦ ତାହା କହିଛନ୍ତି, ହଜାର ହଜାର ଭାଷା, ବିଭିନ୍ନ ପ୍ରକାରର ଖାଦ୍ୟ ଓ ଅତିଥି ସତ୍କାରର ସମୃଦ୍ଧ ପରମ୍ପରା ଭାରତକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି କାରଣରୁ ଜଣେ ଏମିରାତୀ ଭାବେ ଭାରତ ତାଙ୍କୁ କେବେ ବି ସମ୍ପୂର୍ଣ୍ଣ ଅପରିଚିତ ଦେଶ ପରି ଲାଗେ ନାହିଁ ବୋଲି ସେ କହିଛନ୍ତି ।
ଉପନିଷଦ, ଭଗବଦ୍ଗୀତା, ରାମାୟଣ ଓ ମହାଭାରତ ଭଳି ମହାନ ଗ୍ରନ୍ଥ ମାନବ ସମାଜକୁ ଭାରତର ଅମୂଲ୍ୟ ଅବଦାନ ବୋଲି ସେ ବର୍ଣ୍ଣନା କରିଛନ୍ତି । ଆତ୍ମା, କର୍ତ୍ତବ୍ୟ ଓ ଅନନ୍ତତା ଭଳି ଗଭୀର ବିଷୟ ଉପରେ ଭାରତ ପ୍ରାଚୀନ କାଳରୁ ଚିନ୍ତନ କରିଆସିଛି ବୋଲି ସେ ମତ ଦେଇଛନ୍ତି । ଭାରତର ହଜାର ହଜାର ବର୍ଷର ଜୀବନ୍ତ ସଭ୍ୟତାକୁ ନେଇ ଅହମଦ ତାହା କହିଛନ୍ତି, ଅନେକ ସାମ୍ରାଜ୍ୟ ନଷ୍ଟ ହୋଇଛି, ସମୟ ବଦଳିଛି ଓ ସୀମାରେଖା ପରିବର୍ତ୍ତନ ହୋଇଛି। କିନ୍ତୁ ଭାରତ ନିଜର କାହାଣୀ, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଆଜି ବି ଜୀବନ୍ତ ରଖିଛି ।
ସେ ଆହୁରି କହିଛନ୍ତି, ହଜାର ହଜାର ବର୍ଷ ପରେ ମଧ୍ୟ ଭାରତ ପ୍ରତିଦିନ ନୂଆ ଉତ୍ସାହରେ ଜାଗ୍ରତ ହେଉଛି। ଏହାର ସ୍ୱତନ୍ତ୍ରତା ଓ ଜୀବନ୍ତ ସଂସ୍କୃତି ହିଁ ଭାରତର ସବୁଠାରୁ ବଡ଼ ଚମତ୍କାର । ତାଙ୍କ ଭାଷାରେ, “କିଛି ଦେଶ ପାଖରେ ଇତିହାସ ରହିଛି, କିନ୍ତୁ ଭାରତର ଧମନୀରେ ସଭ୍ୟତା ପ୍ରବାହିତ ହୁଏ ।”

