ସୌରଭଙ୍କ ବିରୋଧରେ CBIର ଦୁଇଟି ମାମଲା ରହିଛି ଏବଂ ଏହି ମାମଲାଗୁଡ଼ିକରେ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ଏହାବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି ।
ମହାଦେବ ଅନଲାଇନ୍ ବେଟିଂ ନେଟୱର୍କର ମୁଖ୍ୟ ଅଭିଯୁକ୍ତ ତଥା କଥିତ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଅଣାଯାଇଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସହଯୋଗରେ ତାଙ୍କୁ ପ୍ରତ୍ୟର୍ପଣ କରି ଭାରତ ଆଣିଛି । ଏଥିପାଇଁ CBIର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ନେଇ ଭାରତରେ ପହଞ୍ଚିଛି ।
ସୂଚନା ଅନୁସାରେ, ପ୍ରଥମେ ସୌରଭଙ୍କର ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ତାଙ୍କୁ ଛତିଶଗଡ଼ର ରାୟପୁର ନିଆଯିବ । ସେଠାରେ ସୋମବାର CBIର ସ୍ୱତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯିବ । ସୌରଭଙ୍କ ବିରୋଧରେ CBIର ଦୁଇଟି ମାମଲା ରହିଛି ଏବଂ ଏହି ମାମଲାଗୁଡ଼ିକରେ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ଏହାବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି ।
ଦେଶର ବଡ଼ ଅବୈଧ ବେଟିଂ ନେଟୱର୍କର ତଦନ୍ତରେ ବଡ଼ ପଦକ୍ଷେପ
ଛତିଶଗଡ଼ ସରକାରଙ୍କ ଅନୁରୋଧ ପରେ CBI ମହାଦେବ ଅନଲାଇନ୍ ବୁକ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଏହା ଦେଶର ଅନ୍ୟତମ ବଡ଼ ଅବୈଧ ଅନଲାଇନ୍ ବେଟିଂ ନେଟୱର୍କ ଥିଲା, ଯାହାର ପରିଚାଳନା ବିଦେଶରୁ କରାଯାଉଥିଲା । ଏହି ପ୍ଲାଟଫର୍ମ ମାଧ୍ୟମରେ କ୍ରିକେଟ୍, ଫୁଟବଲ୍, ତାସ୍ ଏବଂ ଅନ୍ୟାନ୍ୟ ଖେଳ ଓ କାର୍ଯ୍ୟକ୍ରମ ଉପରେ ବେଆଇନ୍ ଭାବେ ବାଜି ଲଗାଯାଉଥିଲା । ତଦନ୍ତକାରୀ ସଂସ୍ଥାଙ୍କ ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ଫ୍ରାଞ୍ଚାଇଜି ଆଧାରିତ ପ୍ୟାନେଲ୍ ଓ ଶାଖା ଖୋଲାଯାଇ ଲୋକଙ୍କୁ ଏହି ନେଟୱର୍କ ସହ ଯୋଡ଼ାଯାଉଥିଲା । ଏହା ମାଧ୍ୟମରେ ବାଜି ଟଙ୍କା ସଂଗ୍ରହ କରାଯାଉଥିଲା ।
ହାୱାଲା ନେଟୱର୍କ ଜରିଆରେ ବିଦେଶକୁ ଯାଉଥିଲା ଟଙ୍କା
ତଦନ୍ତରେ ଆହୁରି ଜଣାପଡ଼ିଥିଲା ଯେ ଅବୈଧ ବେଟିଂରୁ ମିଳୁଥିବା ଟଙ୍କାକୁ ବହୁ ସଂଖ୍ୟାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ କାରବାର କରି ଏକାଧିକ ପର୍ଯ୍ୟାୟରେ ଘୂରାଯାଉଥିଲା । ପରେ ହାୱାଲା ନେଟୱର୍କ ଜରିଆରେ ଏହି ଟଙ୍କା ବିଦେଶକୁ ପଠାଯାଉଥିବା CBI ତଦନ୍ତରୁ ଜଣାପଡ଼ିଛି । CBIର ଦାବି ଅନୁସାରେ, ଏହି ଅବୈଧ ଆୟର ଏକ ଅଂଶ କେତେକ ସରକାରୀ କର୍ମଚାରୀଙ୍କୁ କଥିତ ଭାବେ ସୁରକ୍ଷା ରାଶି ଦେବାରେ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ସିଣ୍ଡିକେଟ୍ଟି କୌଣସି ବାଧା ବିନା ନିଜର ବେଆଇନ୍ କାରବାର ଜାରି ରଖିପାରୁଥିଲା ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ।
ଦୁର୍ନୀତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ
ଏହି ମାମଲାରେ CBI ଦୁର୍ନୀତି ନିବାରଣ ଆଇନ, ୧୯୮୮ ସହ ଭାରତୀୟ ଦଣ୍ଡବିଧିର ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଜାଲିଆତି ସମ୍ପର୍କିତ ବିଭିନ୍ନ ଧାରା ଏବଂ ଛତିଶଗଡ଼ ଜୁଆ ନିଷେଧ ଆଇନ ଅନୁସାରେ ଚାର୍ଜସିଟ୍ ଦାଖଲ କରିଛି। ସୌରଭ ଚନ୍ଦ୍ରାକର ଏହି ମାମଲାଗୁଡ଼ିକର ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟତମ । ଅନ୍ୟପଟେ, ED ଏହି ମାମଲାରେ ଭାରତ ଓ ବିଦେଶରେ ଥିବା ଅନେକ ସମ୍ପତ୍ତିକୁ ପୂର୍ବରୁ ଜବତ କରିବା ପାଇଁ ଅଟାଚ୍ କରିସାରିଛି ।
ରେଡ୍ କର୍ଣ୍ଣର ନୋଟିସ୍ ପରେ ଓମାନରେ ହୋଇଥିଲା ଗିରଫ
ସୌରଭ ଚନ୍ଦ୍ରାକରଙ୍କ ବିରୋଧରେ ଜାରି ହୋଇଥିବା ରେଡ୍ କର୍ଣ୍ଣର ନୋଟିସ୍ ଆଧାରରେ ରୟାଲ୍ ଓମାନ୍ ପୋଲିସ ତାଙ୍କୁ ଖୋଜି ବାହାର କରି ହେପାଜତକୁ ନେଇଥିଲା । ଏହାପରେ CBI ଓ ED ତାଙ୍କ ବିରୋଧରେ ସଂଗ୍ରହ କରିଥିବା ପ୍ରମାଣ ସହ ଓମାନ ସରକାରଙ୍କ ନିକଟକୁ ଆନୁଷ୍ଠାନିକ ପ୍ରତ୍ୟର୍ପଣ ପ୍ରସ୍ତାବ ପଠାଇଥିଲେ । ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସି, ଇଣ୍ଟରପୋଲର ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ଏବଂ ଓମାନର ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହୋଇଥିଲା । ଅନୁମତି ମିଳିବା ପରେ CBIର ସ୍ୱତନ୍ତ୍ର ଟିମ୍ ମସ୍କଟ୍ରେ ପହଞ୍ଚି ସୌରଭଙ୍କୁ ଭାରତ ଆଣିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ସହଯୋଗ ପାଇଁ CBI ଓମାନ ସରକାର ଏବଂ ରୟାଲ୍ ଓମାନ୍ ପୋଲିସକୁ ଧନ୍ୟବାଦ ଜଣାଇଛି । ସଂଗଠିତ ଆନ୍ତର୍ଜାତୀୟ ଅପରାଧ ବିରୋଧରେ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାର ଏହା ଏକ ଉଦାହରଣ ବୋଲି CBI କହିଛି ।

