ବିଶ୍ୱକପ୍‌ରୁ ପାକିସ୍ତାନକୁ ବିଦା କଲା ଭାରତ: ରୋମାଞ୍ଚକର ମୁକାବିଲାରେ ୫-୩ରେ ହରାଇ ଦ୍ବିତୀୟ ରାଉଣ୍ଡରେ ଏଣ୍ଟ୍ରି

FIH ପୁରୁଷ ହକି ବିଶ୍ୱକପ୍‌-୨୦୨୬ର ପୁଲ୍‌-ଡି’ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି ଭାରତ । ହରମନପ୍ରୀତ ସିଂହ ଓ ଅଭିଷେକ ଦୁଇଟି ଲେଖାଏଁ ଗୋଲ୍‌ କରିଥିବା ବେଳେ ହାର୍ଦ୍ଦିକ ସିଂହ ଗୋଟିଏ ଗୋଲ୍‌ ଦେଇଥିଲେ । ଏହି ବିଜୟ ସହ ଭାରତ ବିଶ୍ୱକପ୍‌ର ଦ୍ୱିତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଛି । 

FIH ପୁରୁଷ ହକି ବିଶ୍ୱକପ୍‌-୨୦୨୬ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବଡ଼ ଝଟ୍‌କା ଦେଇଛି ଭାରତ । ବୁଧବାର ନେଦରଲ୍ୟାଣ୍ଡ୍ସର ଆମଷ୍ଟେଲଭିନ୍‌ସ୍ଥିତ ୱାଗନର୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ହାଇଭୋଲ୍ଟେଜ୍ ପୁଲ୍‌-ଡି’ ମୁକାବିଲାରେ ଭାରତୀୟ ଦଳ ୫-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ଚମତ୍କାର ବିଜୟ ସହିତ ଭାରତ ବିଶ୍ୱକପ୍‌ର ଦ୍ବିତୀୟ ରାଉଣ୍ଡ (ପୁଲ୍-ଇ) ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପାକିସ୍ତାନର ଟୁର୍ଣ୍ଣାମେଣ୍ଟ ଅଭିଯାନ ଶେଷ ହୋଇଛି ଏବଂ ଦଳ ଟାଇଟଲ୍ ରେସ୍‌ରୁ ସମ୍ପୂର୍ଣ୍ଣ ବିଦା ହୋଇଛି ।

ମ୍ୟାଚ୍‌ର ଆରମ୍ଭରୁ ହିଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲା । ଅଧିନାୟକ ହରମନପ୍ରୀତ ସିଂହ ୫ମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଏହାପରେ ୧୧ଶ ମିନିଟ୍‌ରେ ଫରୱାର୍ଡ ଅଭିଷେକ ଆଉ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ବ୍ୟବଧାନକୁ ୨-୦ କରିଥିଲେ । ଦ୍ବିତୀୟ କ୍ୱାର୍ଟରରେ ହରମନପ୍ରୀତ (୨୧ତମ ମିନିଟ୍) ଏବଂ ଅଭିଷେକ (୨୪ତମ ମିନିଟ୍) ନିଜ ନିଜର ଦ୍ବିତୀୟ ଗୋଲ୍ ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରର ୩୫ତମ ମିନିଟ୍‌ରେ ହାର୍ଦ୍ଦିକ ସିଂହ ପେନାଲ୍ଟି ଷ୍ଟ୍ରୋକ୍‌କୁ ସଫଳତାର ସହ ଗୋଲ୍‌ରେ ରୂପାନ୍ତରିତ କରି ଭାରତ ପାଇଁ ୫ମ ଗୋଲ୍ ସ୍କୋର କରିଥିଲେ ।

ଅନ୍ୟପକ୍ଷରେ, ପାକିସ୍ତାନ ମଧ୍ୟ ପ୍ରତ୍ୟାବର୍ତ୍ତନ ପାଇଁ କଡ଼ା ସଂଘର୍ଷ କରିଥିଲା । ଦଳ ପକ୍ଷରୁ ହନ୍ନାନ ଶାହିଦ୍ (୨୨ଶ ଓ ୪୬ଶ ମିନିଟ୍) ଦୁଇଟି ଗୋଲ୍ ଦେଇଥିବା ବେଳେ ସୁଫିୟାନ ଖାନ୍ ଗୋଟିଏ ପେନାଲ୍ଟି କର୍ଣ୍ଣର ଗୋଲ୍ କରିଥିଲେ । ତେବେ ମ୍ୟାଚ୍‌ର ଶେଷ ଭାଗରେ ଭାରତୀୟ ଡିଫେଣ୍ଡରମାନେ ଦୃଢ଼ ପ୍ରଦର୍ଶନ କରି ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଥିଲେ ।

ଏହି ବିଜୟ ସହ ଭାରତ ପାକିସ୍ତାନ ବିପକ୍ଷରେ ନିଜର ଅପରାଜେୟ ରେକର୍ଡକୁ ଆହୁରି ମଜଭୁତ କରିଛି । ୨୦୧୬ ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ୍ ହାରିନାହିଁ ଏବଂ ଏହି ଅପରାଜେୟ ଯାତ୍ରା ୩,୮୦୦ ଦିନରୁ ଅଧିକ ସମୟ ଧରି ଜାରି ରହିଛି । ପୁଲ୍‌-ଡି’ରୁ ୩ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । 

Leave a Reply

Your email address will not be published. Required fields are marked *