ପ୍ରେମ ସମ୍ପର୍କର କରୁଣ ପରିଣତି। ଭିନ୍ନ ଜାତିରେ ପ୍ରେମ କରିବା ଓ ବିବାହ ପାଇଁ ଜିଦ୍ କରିବାରୁ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ପ୍ରେମ ସମ୍ପର୍କର କରୁଣ ପରିଣତି। ଭିନ୍ନ ଜାତିରେ ପ୍ରେମ କରିବା ଓ ବିବାହ ପାଇଁ ଜିଦ୍ କରିବାରୁ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବାବରକୋଟ ଘଣ୍ଟିଆପାଲି ଗାଁର ସିଲୁ ରାୟ ଓ ରିଆମାଳର ଗୌରୀ ବେହେରାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ଉଭୟ ଭିନ୍ନ ଜାତିର ହୋଇଥିବାରୁ ଗୌରୀଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।
ପରିବାର ଲୋକେ ଗୌରୀଙ୍କ ପାଇଁ ଅନ୍ୟତ୍ର ବିବାହ ପ୍ରସ୍ତାବ ଖୋଜୁଥିବା ବେଳେ ସିଲୁ ଏହାକୁ ବିରୋଧ କରୁଥିଲେ । ବୁଧବାର ରାତିରେ ସିଲୁ ଗୌରୀଙ୍କ ଘରେ ପହଞ୍ଚି ବିବାହ ପାଇଁ ଜିଦ୍ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ଗୌରୀଙ୍କ ପରିବାର ଲୋକେ ସିଲୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ଏହି ସମୟରେ ସିଲୁ ନିଜ ସାଙ୍ଗଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିବା ସହ ପୁଲିସକୁ ଡାକି ଉଦ୍ଧାର ପାଇଁ ଅନୁରୋଧ କରିଥିବା କୁହାଯାଉଛି। ତେବେ ପରିବାର ଲୋକେ ପହଞ୍ଚିବା ବେଳକୁ ସିଲୁଙ୍କ ମୃତ୍ୟୁ ହୋଇସାରିଥିଲା ।
ମୃତ ସିଲୁଙ୍କ ଭାଇଙ୍କ ଲିଖିତ ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ଏହି ମାମଲାରେ ଗୌରୀ ବେହେରା, ତାଙ୍କ ବାପା ନଳିନୀ ବେହେରା, ମାଆଙ୍କ ସମେତ ମୋଟ ୭ ଜଣଙ୍କ ନାଁ ରହିଛି । ଗୌରୀ, ତାଙ୍କ ମାଆ ଓ ବାପା ନଳିନୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନଙ୍କ ଭୂମିକା ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

