ଅକ୍ଟୋବର ୨ର ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ ମେରିନ୍ ଡ୍ରାଇଭ୍ରେ ପ୍ଲାକାର୍ଡ ଧରିଥିବା CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ମୁମ୍ବାଇ ପୋଲିସ ମେରିନ୍ ଡ୍ରାଇଭ୍ ଥାନାକୁ ନେଇଯାଇଥିବା ଖବର ସାମ୍ନାକୁ ଆସିଛି ।
ଅକ୍ଟୋବର ୨ର ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ ମେରିନ୍ ଡ୍ରାଇଭ୍ରେ ପ୍ଲାକାର୍ଡ ଧରିଥିବା CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ମୁମ୍ବାଇ ପୋଲିସ ମେରିନ୍ ଡ୍ରାଇଭ୍ ଥାନାକୁ ନେଇଯାଇଥିବା ଖବର ସାମ୍ନାକୁ ଆସିଛି । ଦିପକେ କିଛି ସମର୍ଥକଙ୍କ ସହ ମେରିନ୍ ଡ୍ରାଇଭ୍ରେ ପ୍ଲାକାର୍ଡ ଧରି ଥିବା ବେଳେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସମେତ ପୋଲିସ ଟିମ୍ ତାଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କୁ ପୋଲିସ ଭ୍ୟାନ୍ରେ ଥାନାକୁ ନିଆଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ତେବେ ମୁମ୍ବାଇ ପୋଲିସ ଏହାକୁ ‘ଡିଟେନ୍’ କରିବା ବୋଲି ସ୍ୱୀକାର କରିନାହିଁ । ପୋଲିସର କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦିପକେ ମେରିନ୍ ଡ୍ରାଇଭ୍ରେ ଥିଲେ, ଲୋକଙ୍କ ସହ ମିଶୁଥିଲେ ଏବଂ ସେଠାରେ ମୁତୟନ ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ କରୁଥିଲେ ।
ଅନ୍ୟପଟେ, ଦିପକେ ଏହି ଘଟଣାର ଭିନ୍ନ ବର୍ଣ୍ଣନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ ଚା’ ପିଇବାକୁ ସାଙ୍ଗରେ ଯିବାକୁ କହିଥିଲେ ଏବଂ ପରେ ତାଙ୍କୁ ଥାନାକୁ ନିଆଯାଇଥିଲା। କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସେ କହିଛନ୍ତି। ଦିପକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସମୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥାଇପାରେ।
ଅକ୍ଟୋବର ୨ର ବିକ୍ଷୋଭକୁ ନେଇ ଟେନସନ୍
ଏହି ଘଟଣା ଅକ୍ଟୋବର ୨ରେ CJP ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭର ଠିକ୍ ପୂର୍ବରୁ ଘଟି ଛି। CJP ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି । ଏହା ସହ ଭୋଟର ତାଲିକାର Special Intensive Revision ବା SIRକୁ ନେଇ ମଧ୍ୟ ସଂଗଠନ ପ୍ରଶ୍ନ ଉଠାଇଛି ।
ତେବେ ଶିବାଜୀ ପାର୍କରେ ଅକ୍ଟୋବର ୨ର ବିକ୍ଷୋଭ ପାଇଁ ମୁମ୍ବାଇ ପୋଲିସ ଅନୁମତି ଦେଇନାହିଁ । ପୋଲିସ ଏଥିପାଇଁ ସେଠାରେ ସମାବେଶ ସମ୍ପର୍କିତ ନିୟମ, ଆବଶ୍ୟକ ମ୍ୟୁନିସିପାଲ୍ ଅନୁମତିର ଅଭାବ, ଟ୍ରାଫିକ୍ ଏବଂ ଜରୁରୀକାଳୀନ ଯାନବାହନ ଚଳାଚଳ ନେଇ ଚିନ୍ତାକୁ କାରଣ ଦର୍ଶାଇଛି । ଏପଟେ ପ୍ରସ୍ତାବିତ ବିକ୍ଷୋଭକୁ ନଜରରେ ରଖି ଦାଦର ଷ୍ଟେସନରେ ମଧ୍ୟ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

