ମାତ୍ର କିଛି ମାସ ତଳେ ଯେଉଁ ଶଶାଙ୍କଙ୍କୁ ନେଇ ସାରା ଦେଶ ଗର୍ବ କରୁଥିଲା, ଆଜି ସେହି ନାଁକୁ ନେଇ ଚର୍ଚ୍ଚା ତ ହେଉଛି, କିନ୍ତୁ କାରଣଟି ଅତ୍ୟନ୍ତ ନିନ୍ଦନୀୟ । ଖେଳ ପଡ଼ିଆର ହିରୋ ଏବେ ପୁଲିସ ଡାଏରୀରେ ଜଣେ ଅଭିଯୁକ୍ତ ।
କ୍ରିକେଟ୍ ପଡ଼ିଆରେ ଯେତେବେଳେ ବ୍ୟାଟ୍ ଚାଲେ, ସେତେବେଳେ ଷ୍ଟାଡିୟମରେ କରତାଳି ଶୁଭେ । ଆଉ ସେହି ବ୍ୟାଟ୍ ଯଦି ପଞ୍ଜାବ କିଙ୍ଗସର ‘ସେନସେସନ’ ଶଶାଙ୍କ ସିଂହଙ୍କ ହାତରେ ଥାଏ, ତେବେ ହାରିଯାଇଥିବା ବାଜି ବି ଜିତିବା ସହଜ ହୋଇଯାଏ । ମାତ୍ର କିଛି ମାସ ତଳେ ଯେଉଁ ଶଶାଙ୍କଙ୍କୁ ନେଇ ସାରା ଦେଶ ଗର୍ବ କରୁଥିଲା, ଆଜି ସେହି ନାଁକୁ ନେଇ ଚର୍ଚ୍ଚା ତ ହେଉଛି, କିନ୍ତୁ କାରଣଟି ଅତ୍ୟନ୍ତ ନିନ୍ଦନୀୟ । ଖେଳ ପଡ଼ିଆର ହିରୋ ଏବେ ପୁଲିସ ଡାଏରୀରେ ଜଣେ ଅଭିଯୁକ୍ତ ।
ମଧ୍ୟପ୍ରଦେଶର ଭୋପାଳସ୍ଥିତ ରତିବଡ଼ ଅଞ୍ଚଳରେ ଘଟିଥିବା ଏହି ଘଟଣା ସଭ୍ୟ ସମାଜକୁ ଚକିତ କରିଛି। ଅଭିଯୋଗ ଅନୁଯାୟୀ, ଖାଇବା ଟେଷ୍ଟ୍ ଖରାପ ହେବାରୁ ଜଣେ ଆଇପିଏଲ୍ ଷ୍ଟାର୍ ଏତେ ଉଗ୍ର ହୋଇଗଲେ ଯେ, ସେ ନିଜ ଘରର ରୋଷେଇଆଙ୍କୁ ନିର୍ଧୁମ ମାଡ଼ ମାରିବାକୁ ପଛାଇଲେ ନାହିଁ। ପୀଡ଼ିତ ବିପେନ୍ଦ୍ର ସିଂହ ତୋମାରଙ୍କ କହିବା କଥା, ତାଙ୍କୁ ୧୫ ହଜାର ଟଙ୍କା ଦରମା ଓ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ କାମରେ ରଖାଯାଇଥିଲା। କିନ୍ତୁ ସେ ଜାଣି ନଥିଲେ ଯେ, ଯେଉଁ ଘରକୁ ସେ ସେବା କରିବାକୁ ଯାଉଛନ୍ତି, ସେଠାରେ ତାଙ୍କ ପାଇଁ ନର୍କ ଅପେକ୍ଷା କରିଛି।
ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଶଶାଙ୍କଙ୍କ ପିତା ଶୈଳେଶ ସିଂହଙ୍କ ସମ୍ପୃକ୍ତି । ଶୈଳେଶ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ। ଯିଏ ନିଜ ଜୀବନ ସାରା ଆଇନର ସୁରକ୍ଷା ଦେଇଥିଲେ, ସେ ନିଜେ ଆଜି ଆଇନ ହାତକୁ ନେଇଥିବା ଅଭିଯୋଗ ହୋଇଛି। ବିପେନ୍ଦ୍ରଙ୍କ ଅଭିଯୋଗ ମୁତାବକ, ଯେତେବେଳେ ସେ ଅତ୍ୟାଚାର ସହି ନପାରି ଘରକୁ ଫେରିବାକୁ ଚାହିଁଲେ, ସେତେବେଳେ ତାଙ୍କ ମୋବାଇଲ୍ ଛଡ଼ାଇ ନିଆଯାଇଥିଲା। ସେ କୋଠରୀରେ କବାଟ କିଳି ଲୁଚିଥିଲେ ମଧ୍ୟ କବାଟ ଭାଙ୍ଗି ତାଙ୍କୁ ବାଡ଼େଇ ବାଡ଼େଇ ରକ୍ତାକ୍ତ କରାଯାଇଥିଲା ।
ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ସଂଘାତିକ ଧାରାରେ ଶଶାଙ୍କ, ତାଙ୍କ ପିତା ଓ ଡ୍ରାଇଭରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ଗୋଷ୍ଠୀଗତ ଭାବେ ଜଣେ ଅସହାୟ ଲୋକକୁ ଆକ୍ରମଣ କରିବା ଶଶାଙ୍କଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଶଶାଙ୍କ ସିଂହଙ୍କ ଏହି ଆଚରଣ ଯୁବପିଢ଼ିଙ୍କ ପାଇଁ ଏକ ନକାରାତ୍ମକ ବାର୍ତ୍ତା। ସଫଳତା ପାଇବା ପରେ ଜଣେ ବ୍ୟକ୍ତି ନିଜଠାରୁ ଦୁର୍ବଳ ଲୋକଙ୍କୁ କିପରି ବ୍ୟବହାର କରେ, ସେଥିରୁ ହିଁ ତାଙ୍କର ପ୍ରକୃତ ପରିଚୟ ମିଳିଥାଏ । ଚୌକା-ଛକା ମାରି ଖେଳ ଜିତିବା ସହଜ, କିନ୍ତୁ ସଂସ୍କାର ଓ ମାନବିକତା ବଜାୟ ରଖିବା ପ୍ରକୃତ ସଫଳତା ।
ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଶଶାଙ୍କଙ୍କ ଉଜ୍ଜ୍ୱଳ କ୍ରିକେଟ୍ କ୍ୟାରିୟରରେ ଏହା ଏକ ଏମିତି ‘ଦାଗ’ ହୋଇ ରହିଯିବ, ଯାହାକୁ କୌଣସି ଶତକ ବା ସଫଳତା ଲିଭାଇ ପାରିବ ନାହିଁ । ବର୍ତ୍ତମାନ ସମସ୍ତଙ୍କ ନଜର ପୁଲିସ ତଦନ୍ତ ଉପରେ, କାରଣ ଆଇନ ଆଗରେ ସମସ୍ତେ ସମାନ— ସେ ଜଣେ ସାଧାରଣ ରୋଷେଇଆ ହୁଅନ୍ତୁ କିମ୍ବା କୋଟିପତି ଆଇପିଏଲ୍ ଷ୍ଟାର୍ ।

