ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ସଫଳ ମଡେଲକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଜଳ ମିଶନ ପକ୍ଷରୁ ଏକ ସ୍ୱତନ୍ତ୍ର ସଂକଳନ ପ୍ରସ୍ତୁତ କରାଯାଉଛି ।
ଦେଶକୁ ଦିଗ୍ଦର୍ଶନ ଦେବ ଓଡ଼ିଶାର ଜଳ ସଂରକ୍ଷଣ ମଡେଲ୍। ‘ପାଣି ପଞ୍ଚାୟତ’ ଓ ‘ବନ୍ଧ’ ବ୍ୟବସ୍ଥାକୁ ନେଇ କେନ୍ଦ୍ରର ସ୍ୱତନ୍ତ୍ର ସଂକଳନ। ୨୮ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ । ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ସଫଳ ମଡେଲକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଜଳ ମିଶନ ପକ୍ଷରୁ ଏକ ସ୍ୱତନ୍ତ୍ର ସଂକଳନ ପ୍ରସ୍ତୁତ କରାଯାଉଛି । ଏଥିରେ ଓଡ଼ିଶାର ‘ପାଣି ପଞ୍ଚାୟତ’ ଓ ପାରମ୍ପରିକ ‘ବନ୍ଧ’ ବ୍ୟବସ୍ଥାକୁ ସ୍ଥାନ ମିଳିଥିବାବେଳେ ରାଜ୍ୟର ଅନ୍ୟ ସଫଳ ଜଳ ସଂରକ୍ଷଣ ପଦକ୍ଷେପଗୁଡ଼ିକର ସଦ୍ୟତମ ତଥ୍ୟ ମଧ୍ୟ ପଠାଇବାକୁ କୁହାଯାଇଛି। ଏ ନେଇ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟ ଯନ୍ତ୍ରୀଙ୍କୁ ଜୁଲାଇ ୨୮ ସୁଦ୍ଧା ସମସ୍ତ ସୂଚନା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନ ଜାତୀୟ ଜଳ ମିଶନ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ସଂକଳନର ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ରାଜ୍ୟରେ ଜଳ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଅଭିନବ, ପାରମ୍ପରିକ ଏବଂ ସମୁଦାୟ ଭିତ୍ତିକ ପଦକ୍ଷେପଗୁଡ଼ିକୁ ଏକାଠି କରିବା। ଏହା ମାଧ୍ୟମରେ ସଫଳ ମଡେଲଗୁଡ଼ିକର ଅନୁଭୂତି ଅନ୍ୟ ରାଜ୍ୟ ସହ ବାଣ୍ଟିବା, ପରସ୍ପର ଶିକ୍ଷଣକୁ ପ୍ରୋତ୍ସାହନ ଦେବା ଏବଂ ବିଭିନ୍ନ ଅଞ୍ଚଳରେ ସେଗୁଡ଼ିକର ପୁନଃ ପ୍ରୟୋଗକୁ ସହଜ କରିବା ଲକ୍ଷ୍ୟ ରହିଛି। ପ୍ରାଥମିକ ତାଲିକାରେ ଓଡ଼ିଶାର ‘ପାଣି ପଞ୍ଚାୟତ’କୁ ସମୁଦାୟ ଭିତ୍ତିକ ଜଳ ପରିଚାଳନାର ଏକ ସଫଳ ମଡେଲ ଭାବେ ଏବଂ ‘ବନ୍ଧ’ ବ୍ୟବସ୍ଥାକୁ ପାରମ୍ପରିକ ଜଳ ସଂରକ୍ଷଣ ପ୍ରଣାଳୀ ଭାବେ ସ୍ଥାନ ମିଳିଛି ।
ଏହାଛଡ଼ା ଗୁଜରାଟ, ରାଜସ୍ଥାନ, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ସିକ୍କିମ, ମେଘାଳୟ, ଉତ୍ତରାଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟର ସଫଳ ଜଳ ସଂରକ୍ଷଣ ପଦକ୍ଷେପକୁ ମଧ୍ୟ ସଂକଳନରେ ସାମିଲ କରାଯାଇଛି। କେନ୍ଦ୍ର ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ତଥ୍ୟ ମଗାଯାଇଥିବାବେଳେ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରଧାନ ସଚିବଙ୍କ ଅନୁମୋଦନ ପରେ ତାହା ପଠାଇବାକୁ ଯୋଜନା ରହିଛି ।

