ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ରାଜଧାନୀ ନିଆମେରେ ସୈନିକଙ୍କ ଏକ ଦଳ ବିଦ୍ରୋହ କରିଛନ୍ତି। ରାଜଧାନୀରେ ଆଖିବୁଜା ଗୁଳିମାଡ଼ ଏବଂ ବିସ୍ଫୋରଣ ହୋଇଛି।
ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ରାଜଧାନୀ ନିଆମେରେ ସୈନିକଙ୍କ ଏକ ଦଳ ବିଦ୍ରୋହ କରିଛନ୍ତି। ରାଜଧାନୀରେ ଆଖିବୁଜା ଗୁଳିମାଡ଼ ଏବଂ ବିସ୍ଫୋରଣ ହୋଇଛି। ଏହାକୁ ଦେଶର ସାମରିକ ଶାସକ ଜୁଣ୍ଟା ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଉଛି । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଏହି ଘଟଣାରେ ୧୨ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। କେତେକଙ୍କୁ ଗିରଫ କରାଯାଇଛି । ନାଇଜରର ସରକାରୀ ଟିଭି ଆରଟିଏନ ରିପୋର୍ଟ କରିଛି, ଅନେକ ସ୍ଥାନରେ ସୁରକ୍ଷା ବାହିନୀ ଏବଂ ବିଦ୍ରୋହୀ ସୈନିକଙ୍କ ମଧ୍ୟରେ କିଛି ଘଣ୍ଟା ଧରି ସଂଘର୍ଷ ଜାରି ରହିଥିଲା । ବିଦ୍ରୋହ ଦମନ କରିବା ପାଇଁ ରୁଷ ଜୁଣ୍ଟା ବାହିନୀକୁ ବାୟୁ ଏବଂ ସ୍ଥଳ ସହାୟତା ଯୋଗାଇ ଦେଇଛି ।
ତେବେ ନାଇଜରର ସୁରକ୍ଷା ବାହିନୀ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛି କି ନାହିଁ ତାହା ନ୍ୟୁଜ୍ ଏଜେନ୍ସି ନିଶ୍ଚିତ କରିପାରି ନାହାନ୍ତି, ତେବେ ରିପୋର୍ଟ ହୋଇଛି ଶନିବାର ରାତି ସାରା ନିୟାମିର ମୁଖ୍ୟ ବିମାନବନ୍ଦର, ଏକ ପ୍ରମୁଖ ସାମରିକ ଘାଟି ଏବଂ ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ଅଞ୍ଚଳରେ ଲଗାତାର ନିରନ୍ତର ଗୁଳିମାଡ଼ ଏବଂ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।
ନାଇଜରର ପ୍ରତିରକ୍ଷା ମନ୍ତ୍ରୀ ସାଲିଫୌ ମୋଦି କହିଛନ୍ତି, ବିଦ୍ରୋହୀ ସୈନିକମାନେ ଅନେକ ଅଧିକାରୀଙ୍କୁ ବନ୍ଧକ କରିନେଇଛନ୍ତି ଏବଂ ନିଆମେର ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ବେଦନଶୀଳ ଅଞ୍ଚଳରେ ଗୁଳିମାଡ଼ କରିଛନ୍ତି। ବିଦ୍ରୋହୀ ସୈନିକମାନେ ବିମାନବନ୍ଦରରେ ଛାଉଣି ସ୍ଥାପନ କରିଥିଲେ।
ରାଷ୍ଟ୍ରପତି ଭବନର ନିୟନ୍ତ୍ରଣ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ କରୁଛନ୍ତି। କିନ୍ତୁ ୨୦୨୩ ମସିହାରେ ଏକ ସାମରିକ ବିଦ୍ରୋହ କରି କ୍ଷମତା ଦଖଲ କରିଥିବା ଜୁଣ୍ଟା ନେତା ଅବଦୁରାହାମାନେ ଚିଆନିଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ଚିଆନିଙ୍କ ଶାସନରେ ଦେଶ ପାଶ୍ଚାତ୍ୟ ଦେଶଗୁଡ଼ିକ ସହିତ ଦୀର୍ଘକାଳୀନ ସୁରକ୍ଷା ସମ୍ପର୍କ ଛିନ୍ନ କରି ରୁଷ ଆଡକୁ ମୁହାଁଇଛି।
ନାଇଜରରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଭିକ୍ଟର ଭୋରୋପାଏଭଙ୍କ ସୂଚନା ଅନୁସାରେ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ,ନାଇଜର ସାମରିକ ଅଧିକାରୀମାନେ ବିଦ୍ରୋହକୁ ଦମନ କରିବା ପାଇଁ ରୁଷର ଆଫ୍ରିକା କର୍ପସ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି।ବିଦ୍ରୋହୀ ସୈନିକମାନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସହାୟତା ମିଳୁଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।

