ରାହୁଲଙ୍କ ସରକାରୀ ବାସଭବନରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ତେଜସ୍ୱୀ ଯାଦବ, ସଞ୍ଜୟ ରାଉତ, ସୁପ୍ରିୟା ସୁଲେ, ଡି. ରାଜାଙ୍କ ସମେତ ଅନେକ ବିରୋଧୀ ନେତା ଯୋଗ ଦେଇଥିଲେ।
ଏସଆଇଆର ଏବଂ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଆହୁରି ତୀବ୍ର ହେବ ବିରୋଧୀଙ୍କ ଲଢ଼େଇ। ଏଥିପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ ଇଣ୍ଡିଆ ବ୍ଲକର ନେତାମାନଙ୍କ ସହ ବୈଠକ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ରାହୁଲଙ୍କ ସରକାରୀ ବାସଭବନରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ତେଜସ୍ୱୀ ଯାଦବ, ସଞ୍ଜୟ ରାଉତ, ସୁପ୍ରିୟା ସୁଲେ, ଡି. ରାଜାଙ୍କ ସମେତ ଅନେକ ବିରୋଧୀ ନେତା ଯୋଗ ଦେଇଥିଲେ। ନିକଟରେ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ଥିବା ନେହା ବୋରା ମଧ୍ୟ ଉପସ୍ଥିତ ଥିଲେ।
ବୈଠକ ପରେ ସମସ୍ତ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏସଆଇଆର ବିରୋଧରେ ଏକଜୁଟ ହୋଇ ଲଢ଼େଇ ଜାରି ରଖିବାକୁ ଘୋଷଣା କରିଥିଲେ। ରାହୁଲ ଗାନ୍ଧି କହିଛନ୍ତି, ଗତକାଲି ଯାହା ଦେଖିବାକୁ ମିଳିଥିଲା, ତାହା କେବଳ ରାଜନୈତିକ ଦଳଗୁଡ଼ିକର ମତ ନୁହେଁ, ବରଂ ଦେଶର ଜନସାଧାରଣଙ୍କ ଭାବନାର ପ୍ରତିଫଳନ। ଆମକୁ ସମର୍ଥନ କରିଥିବା ଦିଲ୍ଲୀ ଏବଂ ଦେଶର ଲୋକଙ୍କୁ ଧନ୍ୟବାଦ। ଏହି ଲଢ଼େଇ ଆମ ପାଇଁ ନୁହେଁ, ଦେଶର ଜନତା ଏବଂ ଭବିଷ୍ୟତ ପାଇଁ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୁନଃ ସୁଦୃଢ଼ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବୁ।
ସେ ଆହୁରି କହିଛନ୍ତି, ଆଜି ନହେଲେ କାଲି, ଆସନ୍ତା ତିନି ମାସ, ଛଅ ମାସ କିମ୍ବା ଦୁଇ ବର୍ଷ ପରେ ହେଉ, ଆମେ ଅଟକିବୁ ନାହିଁ। ଆମର ଶେଷ ଲକ୍ଷ୍ୟ ହାସଲ କରିବୁ। ସୁପ୍ରିମକୋର୍ଟ ଏବଂ ନ୍ୟାୟ ବ୍ୟବସ୍ଥା ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ରାଜନୈତିକ ପ୍ରତିରୋଧ ଏବଂ ଜନତାଙ୍କ ଲଢ଼େଇ ଜାରି ରହିବ।
ଏନସିପି (ଶରଦଚନ୍ଦ୍ର ପୱାର) ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଏକଜୁଟ ଅଛନ୍ତି। ଦେଶର ସମ୍ବିଧାନ ଦୁର୍ବଳ ହେଉଥିବାରୁ ଏହାର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ। ଡକ୍ଟର ବାବାସାହେବ ଆମ୍ବେଦକର ଦେଇଥିବା ଅଧିକାରର ସୁରକ୍ଷା ଆମର ଦାୟିତ୍ୱ।
ଆରଜେଡି ନେତା ତେଜସ୍ୱୀ ଯାଦବ ବିଜେପି, ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗ ସମେତ ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଉପରେ ପ୍ରଭାବ ପକାଇବାକୁ ଉଦ୍ୟମ ହେଉଥିବା ସେ କହିଛନ୍ତି। ତେବେ ଏହି ଲଢ଼େଇରେ ବିରୋଧୀ ଏକଜୁଟ ହୋଇ ରହିବେ ଏବଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼ିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
ଅନ୍ୟପକ୍ଷରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଇଣ୍ଡିଆ ମେଣ୍ଟର ଗତ କିଛି ଦିନର ପଦକ୍ଷେପକୁ ଜନସାଧାରଣଙ୍କ ସମର୍ଥନ ମିଳିଛି। ଭୋଟ୍ ଚୋରି ଅଭିଯୋଗକୁ ନେଇ ଦେଶବାସୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ହୋଇଛି। ତେଣୁ ଏସଆଇଆର ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ବିରୋଧୀ ମେଣ୍ଟ ପ୍ରସ୍ତୁତ ହେଉଛି।

