ବନ୍ୟାର ତାଣ୍ଡବଲୀଳା ମଧ୍ୟରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଉଦ୍ଧାରକାରୀ ଟିମ୍ ଦିନରାତି କାଦୁଅ ଓ ଭଗ୍ନାବଶେଷ ମଧ୍ୟରୁ ପ୍ରତିଦିନ ଶହ ଶହ ମୃତଦେହ ଖୋଳି ବାହାର କରୁଛନ୍ତି।
ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ବନ୍ୟାର ତାଣ୍ଡବଲୀଳା ମଧ୍ୟରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଉଦ୍ଧାରକାରୀ ଟିମ୍ ଦିନରାତି କାଦୁଅ ଓ ଭଗ୍ନାବଶେଷ ମଧ୍ୟରୁ ପ୍ରତିଦିନ ଶହ ଶହ ମୃତଦେହ ଖୋଳି ବାହାର କରୁଛନ୍ତି। ଏହି ଭୟଙ୍କର ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି ।
ନେପାଳ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ପ୍ରଭାବରେ ଏବେବି ପ୍ରାୟ ୪ ହଜାର ୪୭୧ ଜଣ ଲୋକ ନିଖୋଜ ଅଛନ୍ତି। ବହୁ ଘରଦ୍ୱାର ଓ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
ଅନ୍ୟପଟେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ଆଜି ସୁଦ୍ଧା ୧୧ ହଜାରରୁ ଅଧିକ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପ୍ରଶାସନ ପକ୍ଷରୁ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

