ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ସଜାଣ୍ଡ୍ରା ହରମାନ ପ୍ରସାଦ ନଭେମ୍ବରରେ ଇନ୍ଧନ ଦର ବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି।
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ! ନଭେମ୍ବର ମାସରେ ଭାରତରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଆକଳନ କରିଛି ଅକ୍ସଫୋର୍ଡ ଇକୋନୋମିକ୍ସ । ଏହା ଯଦି ସତ ହୁଏ, ତେବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ଅଧିକ ଚାପ ପଡ଼ିବା ସହ ମହଙ୍ଗା ମାଡ଼ ମଧ୍ୟ ବଢ଼ିପାରେ । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ ।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ସଜାଣ୍ଡ୍ରା ହରମାନ ପ୍ରସାଦ ନଭେମ୍ବରରେ ଇନ୍ଧନ ଦର ବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି । ଆସନ୍ତା ବର୍ଷ ଦେଶର ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ଇନ୍ଧନ ଦର ବୃଦ୍ଧି ପାଇଁ ଏହା ଏକ ସୀମିତ ସୁଯୋଗ ହୋଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।
କେତେ ବଢ଼ିପାରେ ଦର?
ଅକ୍ସଫୋର୍ଡ ଇକୋନୋମିକ୍ସର ଆକଳନ ଅନୁଯାୟୀ, ନଭେମ୍ବରରେ ହେବାକୁ ଥିବା ସମ୍ଭାବ୍ୟ ଇନ୍ଧନ ଦର ବୃଦ୍ଧି, ମେ ମାସରେ ହୋଇଥିବା ବୃଦ୍ଧିର ପ୍ରାୟ ଅଧା ହୋଇପାରେ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ମେ ମାସରେ ଇନ୍ଧନ ଦର ବୃଦ୍ଧି ହୋଇଥିଲା। ତେବେ ନଭେମ୍ବରରେ କେତେ ଟଙ୍କା ବଢ଼ିବ, ସେନେଇ ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନାହିଁ।
ବଢ଼ିପାରେ ମୁଦ୍ରାସ୍ଫୀତି
ଇନ୍ଧନ ଦର ବଢ଼ିଲେ ପରିବହନ ଖର୍ଚ୍ଚ ସହିତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ଅକ୍ସଫୋର୍ଡ ଇକୋନୋମିକ୍ସର ଆକଳନ ଅନୁସାରେ, ଏହା ଫଳରେ ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ଫୀତି ୬.୨ ପ୍ରତିଶତ ଏବଂ ୨୦୨୭ର ପ୍ରଥମ ତିନି ମାସରେ ୬.୫ ପ୍ରତିଶତରେ ପହଞ୍ଚିପାରେ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ୨ରୁ ୬ ପ୍ରତିଶତ ମୁଦ୍ରାସ୍ଫୀତି ଲକ୍ଷ୍ୟଠାରୁ ଅଧିକ ।
ବଢ଼ିପାରେ ରେପୋ ରେଟ୍!
ଅନ୍ୟପକ୍ଷରେ, ଆରବିଆଇ ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ୬ ପ୍ରତିଶତ ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକ ପାଇଁ ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି। କିନ୍ତୁ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଉଚ୍ଚ ରହିଲେ ଆରବିଆଇକୁ ସୁଧ ହାର ବଢ଼ାଇବାକୁ ପଡ଼ିପାରେ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ଆଶଙ୍କା ପ୍ରକାଶ କରିଛି ।
ଏହାଦ୍ୱାରା ଗୃହ ଋଣ, ଗାଡ଼ି ଋଣ ଓ ଅନ୍ୟାନ୍ୟ ଋଣର ସୁଧ ଉପରେ ପ୍ରଭାବ ପଡ଼ିପାରେ। ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କରେ ସରକାରୀ ନିଷ୍ପତ୍ତି ଆସିବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ।

