ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକ୍ (ବିମାନ ଆକ୍ରମଣ) ରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ପାର୍ଥିବ ଶରୀର ଶୁକ୍ରବାର ତେହେରାନର ପ୍ରସିଦ୍ଧ ””ଗ୍ରାଣ୍ଡ ମୋସାଲ୍ଲା”” କମ୍ପ୍ଲେକ୍ସରେ ପହଞ୍ଚିଛି।
ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକ୍ (ବିମାନ ଆକ୍ରମଣ) ରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ପାର୍ଥିବ ଶରୀର ଶୁକ୍ରବାର ତେହେରାନର ପ୍ରସିଦ୍ଧ ””ଗ୍ରାଣ୍ଡ ମୋସାଲ୍ଲା”” କମ୍ପ୍ଲେକ୍ସରେ ପହଞ୍ଚିଛି। ଇରାନର ଜାତୀୟ ପତାକାରେ ଆବୃତ ହୋଇଥିବା ତାଙ୍କ କଫିନକୁ ଦେଖି ସେଠାରେ ଉପସ୍ଥିତ ଥିବା ହଜାର ହଜାର ଶୋକାକୁଳ ପ୍ରଶଂସକ ଓ କଳା ପୋଷାକ ପିନ୍ଧିଥିବା ଶ୍ରଦ୍ଧାଳୁ କାନ୍ଦି ପକାଇଥିଲେ। ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବାକୁ ଥିବା ଏହି ସରକାରୀ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଦେଶବିଦେଶରୁ ଲକ୍ଷ ଲକ୍ଷ ଲୋକ ଏବଂ ଅନେକ ବିଦେଶୀ ନେତା ଯୋଗଦେବେ ବୋଲି ଆଶା କରାଯାଉଛି। ଇରାନର ମୁଖ୍ୟ ଆଲୋଚକ ତଥା ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଦେଶବାସୀଙ୍କୁ ବହୁ ସଂଖ୍ୟାରେ ଏକାଠି ହେବାକୁ ନିବେଦନ କରି କହିଛନ୍ତି ଯେ, ଏହି ମୃତ୍ୟୁର ପ୍ରତିଶୋଧ ପାଇଁ ସାରା ବିଶ୍ୱରେ ଇରାନର ସ୍ୱର ଗୁଞ୍ଜରିତ ହେବା ଉଚିତ ।
ଖେମିନିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମୋଦୀଙ୍କୁ ପେଜେସ୍କିଆନଙ୍କ ନିମନ୍ତ୍ରଣ
୮୬ ବର୍ଷ ବୟସରେ ପ୍ରାଣ ହରାଇଥିବା ଖେମିନିଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ବର୍ତ୍ତମାନ ଇରାନ ଓ ଆମେରିକା ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଚାଲିଥିବା ବେଳେ ଏହି ଅନ୍ତିମ ସଂସ୍କାର ହେବାକୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସମେତ ଚୀନ୍, ଆଫଗାନିସ୍ତାନ ଓ ଆଖପାଖର ପ୍ରାୟ ୩୦ଟି ଦେଶର ପ୍ରତିନିଧି ଏଥିରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧.୫ ରୁ ୨ କୋଟି ଲୋକ ସାମିଲ ହେବାର ସମ୍ଭାବନା ରହିଛି, ଯାହା ଦେଶ ଇତିହାସର ସବୁଠାରୁ ବଡ଼ ଶେଷକୃତ୍ୟ ହେବ। ଏଥିପାଇଁ ସରକାର ତେହେରାନ, କୁମ୍ ଏବଂ ମସାଦ୍ ସହରରେ ସରକାରୀ ଛୁଟି ଘୋଷଣା କରିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ସହରର କେନ୍ଦ୍ରାଞ୍ଚଳରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି ଏବଂ ଆକାଶମାର୍ଗକୁ ମଧ୍ୟ ଆଂଶିକ ବନ୍ଦ କରାଯାଇଛି। ତେବେ ସୁରକ୍ଷା ଗ୍ୟାରେଣ୍ଟି ନଥିବାରୁ ଖେମିନିଙ୍କ ପୁଅ ତଥା ନୂଆ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଏହି ସାଧାରଣ ସଭାରେ ସାମ୍ନାକୁ ଆସିବାର ସମ୍ଭାବନା କମ୍ ବୋଲି ଭାରତରେ ଥିବା ଇରାନର ପ୍ରତିନିଧି ଆୟାତୋଲ୍ଲା ହାକିମ ଇଲାହୀ ସୂଚନା ଦେଇଛନ୍ତି। ତେହେରାନରେ ତିନି ଦିନ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯିବା ପରେ ଖେମିନିଙ୍କ ଶରୀରକୁ ଇରାକର ପବିତ୍ର ସହର ନଜାଫ୍ ଓ କରବଲା ନିଆଯିବ ଏବଂ ଶେଷରେ ଜୁଲାଇ ୯ ତାରିଖରେ ତାଙ୍କ ଜନ୍ମସ୍ଥାନ ମସାଦର ଇମାମ ରେଜା ଦରଗାହରେ କବର ଦିଆଯିବ।

