ଶ୍ରୀଲେଖାଙ୍କ ଇସ୍ତଫା ପରେ ୧୦୧ ସଦସ୍ୟ ବିଶିଷ୍ଟ ତିରୁଅନନ୍ତପୁରମ୍ କର୍ପୋରେସନରେ ବିଜେପି-ନେତୃତ୍ୱାଧୀନ ଏନ୍ଡିଏର ସଂଖ୍ୟା ନେଇ ନୂଆ ସମୀକରଣ ସୃଷ୍ଟି ହୋଇଛି । ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଏନ୍ଡିଏ ପୂର୍ବରୁ ୫୦ଟି ଆସନ ଜିତିଥିଲା ଏବଂ ଜଣେ ସ୍ୱାଧୀନ କାଉନସିଲରଙ୍କ ସମର୍ଥନରେ କର୍ପୋରେସନରେ ପ୍ରଶାସନ ଚଳାଉଥିଲା ।
କେରଳର ତିରୁଅନନ୍ତପୁରମ୍ କର୍ପୋରେସନର ଶାସ୍ତମଙ୍ଗଳମ୍ ୱାର୍ଡର ବିଜେପି କାଉନସିଲର୍ ତଥା ପୂର୍ବତନ ଡିଜିପି ଆର୍ ଶ୍ରୀଲେଖା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେପ୍ଟେମ୍ବର ୩୦ରେ ମେୟର ଭିଭି ରାଜେଶଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଥିବା ସେ ନିଜେ ସୂଚନା ଦେଇଛନ୍ତି । ଇସ୍ତଫାରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।
ଶ୍ରୀଲେଖାଙ୍କ ଇସ୍ତଫା ପରେ ୧୦୧ ସଦସ୍ୟ ବିଶିଷ୍ଟ ତିରୁଅନନ୍ତପୁରମ୍ କର୍ପୋରେସନରେ ବିଜେପି-ନେତୃତ୍ୱାଧୀନ ଏନ୍ଡିଏର ସଂଖ୍ୟା ନେଇ ନୂଆ ସମୀକରଣ ସୃଷ୍ଟି ହୋଇଛି। ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଏନ୍ଡିଏ ପୂର୍ବରୁ ୫୦ଟି ଆସନ ଜିତିଥିଲା ଏବଂ ଜଣେ ସ୍ୱାଧୀନ କାଉନସିଲରଙ୍କ ସମର୍ଥନରେ କର୍ପୋରେସନରେ ପ୍ରଶାସନ ଚଳାଉଥିଲା। ଶ୍ରୀଲେଖାଙ୍କ ଇସ୍ତଫା ଗ୍ରହଣ ହେଲେ ଏନ୍ଡିଏର ଦଳୀୟ ସଂଖ୍ୟା ୪୯କୁ ଖସିବ।
ଶ୍ରୀଲେଖାଙ୍କ ଇସ୍ତଫାକୁ ନେଇ ତାଙ୍କ ଓ ବିଜେପି ନେତୃତ୍ୱ ମଧ୍ୟରେ ପୂର୍ବରୁ ଥିବା ମତଭେଦ ପୁଣି ଚର୍ଚ୍ଚାକୁ ଆସିଛି। ଗତ ସ୍ଥାନୀୟ ନିର୍ବାଚନ ପରେ ତିରୁଅନନ୍ତପୁରମ୍ ମେୟର ପଦ ପାଇଁ ତାଙ୍କ ନାମ ଚର୍ଚ୍ଚାରେ ଥିଲା। କିନ୍ତୁ ପରେ ଭିଭି ରାଜେଶଙ୍କୁ ମେୟର ଚୟନ କରାଯାଇଥିଲା। ଏହାକୁ ନେଇ ଶ୍ରୀଲେଖା ଅସନ୍ତୋଷ ପ୍ରକାଶ କରିଥିବା ରିପୋର୍ଟ ରହିଛି ।
ତେବେ ଶ୍ରୀଲେଖା ନିଜ ଇସ୍ତଫାର ଅଧିକାରିକ କାରଣ ଭାବେ ବ୍ୟକ୍ତିଗତ ଅସୁବିଧା ଦର୍ଶାଇଛନ୍ତି। ମେୟର ଭିଭି ରାଜେଶ ମଧ୍ୟ ତାଙ୍କ ଇସ୍ତଫାପତ୍ର ପାଇଥିବା ସ୍ପଷ୍ଟ କରିଛନ୍ତି । ତେବେ ଇସ୍ତଫାକୁ ନେଇ ଦଳ ଭିତରେ ଆଲୋଚନା ଜାରି ରହିଥିବା ଓ ତାଙ୍କୁ ଇସ୍ତଫା ଫେରାଇବା ପାଇଁ ବୁଝାଇବାର ଚେଷ୍ଟା ଚାଲିଥିବା ରିପୋର୍ଟ ପ୍ରକାଶ ପାଇଛି ।
ଆର୍ ଶ୍ରୀଲେଖା କେରଳର ପୂର୍ବତନ ଡିଜିପି ଏବଂ ବିଜେପିର ରାଜ୍ୟ ସ୍ତରୀୟ ନେତ୍ରୀ। ଶାସ୍ତମଙ୍ଗଳମ୍ ୱାର୍ଡରୁ ସେ ବିଜେପି ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଇସ୍ତଫା ପରେ ଆଗାମୀ ଦିନରେ ତିରୁଅନନ୍ତପୁରମ୍ କର୍ପୋରେସନର ରାଜନୈତିକ ସମୀକରଣ କେମିତି ବଦଳିବ, ତାହା ଉପରେ ନଜର ରହିଛି ।

