କେବଳ ଟ୍ରମ୍ପଙ୍କ ଲୋକପ୍ରିୟତା ନୁହେଁ, ରିପବ୍ଲିକାନ୍ ପାର୍ଟିର ନିର୍ବାଚନୀ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ବଡ଼ ପ୍ରଶ୍ନ। ସର୍ଭେରେ ପଞ୍ଜୀକୃତ ଭୋଟରଙ୍କୁ ପଚରାଯାଇଥିଲା, ଆଜି ନିର୍ବାଚନ ହେଲେ ସେମାନେ କାହାକୁ ଭୋଟ୍ ଦେବେ?
ଆମେରିକା ରାଜନୀତିରେ ବଡ଼ ହଲଚଲ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବାଜିଲାଣି ବିପଦ ଘଣ୍ଟି। ଯେଉଁ ଟ୍ରମ୍ପ ଦିନେ ନିଜର ଆକ୍ରମଣାତ୍ମକ ରାଜନୀତି ଓ ଆମେରିକା ଫାଷ୍ଟ ନୀତିକୁ ନେଇ ଚର୍ଚ୍ଚାରେ ଥିଲେ, ଏବେ ସେହି ଟ୍ରମ୍ପଙ୍କ ଲୋକପ୍ରିୟତାକୁ ଲାଗିଛି ବଡ଼ ଝଟକା। ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଓ ଅର୍ଥନୈତିକ ଚାପ ମଧ୍ୟରେ ରାଷ୍ଟ୍ରପତିଙ୍କ ଉପରୁ ଭରସା ତୁଟାଉଛନ୍ତି କି ଆମେରିକୀୟ? ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଥିବା ଏକ ସର୍ଭେ ରିପୋର୍ଟ ରିପବ୍ଲିକାନ୍ ପାର୍ଟିର ଚିନ୍ତା ବଢ଼ାଇ ଦେଇଛି।
ରଏଟର୍ସ ଓ ଇପ୍ସୋସ୍ ପକ୍ଷରୁ କରାଯାଇଥିବା ସଦ୍ୟତମ ସର୍ଭେରେ ଟ୍ରମ୍ପଙ୍କ ଆପ୍ରୁଭାଲ୍ ରେଟିଂ ମାତ୍ର ୩୧ ପ୍ରତିଶତକୁ ଖସିଆସିଛି। ଅର୍ଥାତ୍ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୩୧ ଜଣ ତାଙ୍କ କାର୍ଯ୍ୟଶୈଳୀକୁ ସମର୍ଥନ କରୁଛନ୍ତି। ଦୁଇ ସପ୍ତାହ ପୂର୍ବ ତୁଳନାରେ ଏହା ଗୋଟିଏ ପ୍ରତିଶତ ପଏଣ୍ଟ କମ୍। ସବୁଠାରୁ ବଡ଼ କଥା ହେଉଛି, ଟ୍ରମ୍ପଙ୍କ ଉଭୟ ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ଏହା ସର୍ବନିମ୍ନ ଆପ୍ରୁଭାଲ୍ ରେଟିଂ। ଏହି ସଂଖ୍ୟା ହିଁ ଏବେ ହ୍ୱାଇଟ୍ ହାଉସ୍ ପାଇଁ ବଡ଼ ସତର୍କ ସଙ୍କେତ ପାଲଟିଛି।
କେବଳ ଟ୍ରମ୍ପଙ୍କ ଲୋକପ୍ରିୟତା ନୁହେଁ, ରିପବ୍ଲିକାନ୍ ପାର୍ଟିର ନିର୍ବାଚନୀ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ବଡ଼ ପ୍ରଶ୍ନ। ସର୍ଭେରେ ପଞ୍ଜୀକୃତ ଭୋଟରଙ୍କୁ ପଚରାଯାଇଥିଲା, ଆଜି ନିର୍ବାଚନ ହେଲେ ସେମାନେ କାହାକୁ ଭୋଟ୍ ଦେବେ? ଉତ୍ତରରେ ୪୭ ପ୍ରତିଶତ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରିଥିବାବେଳେ ମାତ୍ର ୩୫ ପ୍ରତିଶତ ରିପବ୍ଲିକାନ୍ ପାର୍ଟିକୁ ପସନ୍ଦ କରିଛନ୍ତି। ଅର୍ଥାତ୍ ଦୁଇ ଦଳ ମଧ୍ୟରେ ରହିଛି ୧୨ ପ୍ରତିଶତ ପଏଣ୍ଟର ବ୍ୟବଧାନ। ଚଳିତ ନିର୍ବାଚନୀ ଚକ୍ରରେ ଡେମୋକ୍ରାଟ୍ଙ୍କ ପାଇଁ ଏହା ସବୁଠାରୁ ବଡ଼ ଅଗ୍ରଣୀ।
ଏବେ ପ୍ରଶ୍ନ, ଟ୍ରମ୍ପଙ୍କ ପ୍ରତି ଆମେରିକୀୟଙ୍କ ଅସନ୍ତୋଷ ବଢୁଛି କାହିଁକି? ଏହା ପଛରେ ଅନ୍ୟତମ ବଡ଼ କାରଣ ହେଉଛି ଦେଶରେ ବଢୁଥିବା ପେଟ୍ରୋଲ ଦର। ତେଲ ଦର ବୃଦ୍ଧି ସାଧାରଣ ପରିବାରର ବଜେଟ୍ ଉପରେ ପ୍ରଭାବ ପକାଉଛି। ଦୈନନ୍ଦିନ ଜୀବନର ଖର୍ଚ୍ଚ ବୃଦ୍ଧି ଯୋଗୁଁ ସରକାରଙ୍କ ଅର୍ଥନୈତିକ ନୀତିକୁ ନେଇ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଆଗାମୀ ନିର୍ବାଚନରେ ରିପବ୍ଲିକାନ୍ଙ୍କ ପାଇଁ ମହଙ୍ଗା ପଡ଼ିପାରେ।
ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ସହ ସିନେଟ୍ର ୩୫ଟି ଆସନ ପାଇଁ ହେବ ମତଦାନ। ଅନେକ ରାଜ୍ୟରେ ଗଭର୍ଣ୍ଣର ନିର୍ବାଚନ ମଧ୍ୟ ହେବ। ଏହି ନିର୍ବାଚନ କେବଳ କଂଗ୍ରେସରେ କେଉଁ ଦଳର ପ୍ରାଧାନ୍ୟ ରହିବ ତାହା ସ୍ଥିର କରିବନି, ବରଂ ଟ୍ରମ୍ପଙ୍କ ଆଗାମୀ ଦୁଇ ବର୍ଷର ଶାସନକୁ ମଧ୍ୟ ପ୍ରଭାବିତ କରିପାରେ।
ଯଦି ରିପବ୍ଲିକାନ୍ ପାର୍ଟି କଂଗ୍ରେସର କୌଣସି ଗୋଟିଏ ସଦନରେ ନିୟନ୍ତ୍ରଣ ହରାଏ, ତେବେ ଟ୍ରମ୍ପଙ୍କ ପାଇଁ ନିଜର ରାଜନୈତିକ ଏଜେଣ୍ଡାକୁ ଆଗେଇ ନେବା କଷ୍ଟକର ହୋଇପାରେ। ବିଭିନ୍ନ ନୀତି ଓ ଆଇନ ପ୍ରଣୟନ କ୍ଷେତ୍ରରେ ବିରୋଧୀଙ୍କ ପ୍ରତିବନ୍ଧକ ବଢ଼ିପାରେ। ଅନ୍ୟପଟେ ଏହି ସର୍ଭେ ଡେମୋକ୍ରାଟିକ୍ ପାର୍ଟିର ଆଶାକୁ ନୂଆ ଶକ୍ତି ଦେଇଛି।
ଚାରିଦିନ ଧରି ଚାଲିଥିବା ଏହି ଅନଲାଇନ୍ ସର୍ଭେରେ ୧ ହଜାର ୬୭୯ ଜଣ ଆମେରିକୀୟ ବୟସ୍କ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ହଜାର ୨୭୯ ଜଣ ପଞ୍ଜୀକୃତ ଭୋଟର ଥିଲେ। ତେବେ ଜାତୀୟ ସ୍ତରର ସର୍ଭେ ଫଳାଫଳ ଯେ ନିର୍ବାଚନରେ ଅବିକଳ ପ୍ରତିଫଳିତ ହେବ, ତାହା ନିଶ୍ଚିତ ନୁହେଁ। ପ୍ରତ୍ୟେକ ରାଜ୍ୟ ଓ ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ ଭିନ୍ନ ରହିଛି। ତଥାପି ନିର୍ବାଚନକୁ ମାତ୍ର ଦୁଇ ସପ୍ତାହ ବାକି ଥିବାବେଳେ ଏହି ସର୍ଭେ ଟ୍ରମ୍ପଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଶେଷ ମୁହୂର୍ତ୍ତରେ ରିପବ୍ଲିକାନ୍ଙ୍କ ପକ୍ଷରେ ଜନମତ ବଦଳିବ ନା ଟ୍ରମ୍ପ ବିରୋଧୀ ଅସନ୍ତୋଷ ଡେମୋକ୍ରାଟ୍ଙ୍କୁ କଂଗ୍ରେସରେ ବଡ଼ ବିଜୟ ଦେବ? ନଭେମ୍ବର ୩ର ଜନାଦେଶ ହିଁ ଏହାର ଉତ୍ତର ଦେବ।

