ଜଳବାୟୁ ପରିବର୍ତ୍ତନ କାରଣରୁ ଉଡ଼ିଯାଉଛି ନିଦ , ସବୁଠୁ ଅଧିକ ପ୍ରଭାବିତ ବଡ଼ ସହର

ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ବଢ଼ୁଥିବା ରାତିର ତାପମାତ୍ରା କାରଣରୁ ଭାରତର ବଡ଼ ବଡ଼ ସହରର ଲୋକମାନେ ପ୍ରତିବର୍ଷ ଦଶ ଦଶ ଘଣ୍ଟାର ନିଦ ହରାଉଛନ୍ତି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କେବଳ ପାଣିପାଗରେ ସୀମିତ ନୁହେଁ । ଏହା ସିଧାସଳଖ ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ବଢ଼ୁଥିବା ରାତିର ତାପମାତ୍ରା କାରଣରୁ ଭାରତର ବଡ଼ ବଡ଼ ସହରର ଲୋକମାନେ ପ୍ରତିବର୍ଷ ଦଶ ଦଶ ଘଣ୍ଟାର ନିଦ ହରାଉଛନ୍ତି । ଏହି ସମସ୍ୟା ପଛରେ ରହିଛି ଗ୍ଲୋବାଲ ୱାର୍ମିଂ ଏବଂ ସହରାଞ୍ଚଳରେ ବଢ଼ୁଥିବା ଉଷ୍ମା । କ୍ଲାଇମେଟ୍ ସେଣ୍ଟ୍ରାଲର ଅଧ୍ୟୟନ ଅନୁଯାୟୀ, ଭାରତରେ ସବୁଠାରୁ ଅଧିକ ନିଦ ହରାଉଥିବା ସହର ହେଉଛି ଚେନ୍ନାଇ । ସେଠାର ଲୋକମାନେ ପ୍ରତିବର୍ଷ ହାରାହାରି ୯୩ ଘଣ୍ଟା ନିଦ ହରାଉଛନ୍ତି । ଏହା ପଛକୁ ରହିଛି ମୁମ୍ବାଇ ଓ କୋଲକାତା, ଯେଉଁଠାରେ ଲୋକମାନେ ଯଥାକ୍ରମେ ପ୍ରାୟ ୮୪ ଓ ୮୦ ଘଣ୍ଟା ନିଦ ହରାଉଛନ୍ତି ।

 ଗବେଷକମାନଙ୍କ ମତରେ, ଏହି ନିଦ ହ୍ରାସର ଏକ ଅଂଶ ସିଧାସଳଖ ଭାବେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ । ବିଶେଷଜ୍ଞମାନେ କହୁଛନ୍ତି, ରାତିରେ ତାପମାତ୍ରା କମ୍ ନହେଲେ ଶରୀର ସ୍ୱାଭାବିକ ଭାବେ ଥଣ୍ଡା ହୋଇପାରେ ନାହିଁ । ଏହା ଗଭୀର ନିଦକୁ ବାଧା ଦେଇଥାଏ । ଫଳରେ କ୍ଲାନ୍ତି, ମାନସିକ ଚାପ, ଏକାଗ୍ରତାର ଅଭାବ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିପାରେ । ବୃଦ୍ଧ, ଶିଶୁ ଓ ପୂର୍ବରୁ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହି ବିପଦ ଅଧିକ । ଗବେଷଣାରେ ଆହୁରି କୁହାଯାଇଛି ଯେ, କଂକ୍ରିଟ୍ ନିର୍ମାଣ, ସବୁଜ ପରିବେଶର ଅଭାବ, ଘନ ଜନବସତି ଓ ସହରର ‘ହିଟ୍ ଆଇଲ୍ୟାଣ୍ଡ’ ପ୍ରଭାବ ରାତିର ତାପମାତ୍ରାକୁ ଅଧିକ ବଢ଼ାଇ ଦେଉଛି । ଏହି କାରଣରୁ ସହରବାସୀ ଗ୍ରାମାଞ୍ଚଳ ତୁଳନାରେ ଅଧିକ ନିଦ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞମାନେ ସହରରେ ଅଧିକ ଗଛ ଲଗାଇବା, ସବୁଜ କ୍ଷେତ୍ର ବଢ଼ାଇବା ଓ ଉତ୍ତାପ କମାଇବାକୁ ସକ୍ଷମ ସହର ଯୋଜନା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।  

Leave a Reply

Your email address will not be published. Required fields are marked *