ଜମ୍ମୁ-କଶ୍ମୀରରେ ବର୍ଷା ଓ ଭୂସ୍କଳନ ଯୋଗୁଁ ୨ ଦିନରେ ୨୨ ମୃତ, ୮ ନିଖୋଜ

ଜମ୍ମୁ-କଶ୍ମୀରରେ ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍କଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ସୋମବାର ବର୍ଷାଜନିତ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଆଉ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ଗତ ଦୁଇ ଦିନ ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି ଏବଂ ୮ ଜଣ ନିଖୋଜ ରହିଛନ୍ତି।

ଜମ୍ମୁ-କଶ୍ମୀରରେ ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍କଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ସୋମବାର ବର୍ଷାଜନିତ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଆଉ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ଗତ ଦୁଇ ଦିନ ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି ଏବଂ ୮ ଜଣ ନିଖୋଜ ରହିଛନ୍ତି। ପାଣିପାଗ ବିଭାଗ ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି।

ଜମ୍ମୁର ସୀମାନ୍ତ ଜିଲ୍ଲା ପୁଞ୍ଛର ଲୋରାନ-ଡୁମିଲାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କାଦୁଅ ଓ ଭୂସ୍କଳନ ଗୋଟିଏ ମାଟି ଘର ଉପରେ ମାଡ଼ି ଯିବାରୁ ଘର ଭିତରେ ଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ୨ ବର୍ଷର ଶିଶୁକନ୍ୟା, ୨ ଜଣ ପୁରୁଷ ଓ ଜଣେ ୪ ବର୍ଷର ଶିଶୁପୁତ୍ର ରହିଛନ୍ତି। 

ସେହିପରି ଜମ୍ମୁ-କିଶ୍ୱାଡ଼ ଜାତୀୟ ରାଜପଥର ରାଗି ନାଲା ନିକଟରେ ପାହାଡ଼ରୁ ପଥର ଖସି ଗୋଟିଏ ଯାତ୍ରୀବାହୀ ବସ୍ ଉପରେ ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ଦୁର୍ଘଟଣାଗୁଡ଼ିକରେ ଡୋଡାରେ ଘର ଭାଙ୍ଗିଯିବାରୁ ଜଣେ ୮୫ ବର୍ଷୀୟା ବୃଦ୍ଧା, ରାଜୌରୀରେ ବନ୍ୟା ଜଳରେ ଭାସିଯାଇ ଜଣେ ବ୍ୟକ୍ତି ଏବଂ ମେଣ୍ଢରରେ ଜଣଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ, ଆକସ୍ମିକ ବନ୍ୟା ଏବଂ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ ଓ ଜଳାଶୟ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି। ଏନଡିଆରଏଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *