ଚୀନ୍ ଫାର୍ମଗୁଡ଼ିକୁ ୱାସିଂଟନ କଳା ତାଲିକାଭୁକ୍ତ କରିବା ପରେ ଏହାର ଜବାବରେ ଚୀନ୍ ପ୍ରତିରକ୍ଷା ଏବଂ ବିରଳ ଖଣିଜ ପଦାର୍ଥ ସହ ଜଡିତ ୧୦ଟି ଆମେରିକୀୟ କମ୍ପାନି ଉପରେ ରପ୍ତାନି ନିୟନ୍ତ୍ରଣ ଲାଗୁ କରିଛି। ଏସମ୍ପର୍କରେ ସୋମବାର ବେଜିଂ ସୂଚନା ପ୍ରଦାନ କରିଛି।
ଚୀନ୍ ଫାର୍ମଗୁଡ଼ିକୁ ୱାସିଂଟନ କଳା ତାଲିକାଭୁକ୍ତ କରିବା ପରେ ଏହାର ଜବାବରେ ଚୀନ୍ ପ୍ରତିରକ୍ଷା ଏବଂ ବିରଳ ଖଣିଜ ପଦାର୍ଥ ସହ ଜଡିତ ୧୦ଟି ଆମେରିକୀୟ କମ୍ପାନି ଉପରେ ରପ୍ତାନି ନିୟନ୍ତ୍ରଣ ଲାଗୁ କରିଛି। ଏସମ୍ପର୍କରେ ସୋମବାର ବେଜିଂ ସୂଚନା ପ୍ରଦାନ କରିଛି। ଏହି ୧୦ଟି ସଂସ୍ଥା ମଧ୍ୟରେ ଆମେରିକା ସେନା ସହିତ ଏରୋସ୍ପେସ୍ ପ୍ରତିରକ୍ଷା ଚୁକ୍ତିନାମା କରିଥିବା ଆଭେକ୍ସ ଏବଂ ସାମରିକ ଯାନବାହାନ ଫ୍ଲିଟ୍ ଉତ୍ପାଦନ କରୁଥିବା ଓଶକୋଶ ଡିଫେନ୍ସ ସାମିଲ ଅଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବେଜିଂ ଗସ୍ତର ଗୋଟିଏ ମାସ ପରେ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହ ଆଲୋଚନା ସମୟରେ ଜଟିଳ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଥିଲେ। ଯଦିଓ ଉଭୟ ପକ୍ଷ ଶୁଳ୍କ ହ୍ରାସ କରିବା ପାଇଁ ରାଜି ହୋଇଥିଲେ,ତେବେ ଟେକ୍ନୋଲୋଜି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରକୁ ପଛରେ ପକାଇବାକୁ ସେମାନେ ପ୍ରୟାସ ଜାରି ରଖିଛନ୍ତି। ୱାସିଂଟନ୍ ଚଳିତ ମାସରେ ୮୦ଟି କମ୍ପାନି ଏବଂ ସେମାନଙ୍କର ସହାୟକ କମ୍ପାନିଗୁଡ଼ିକର ଏକ ନୂତନ କଳାତାଲିକା ଜାରି କରିଥିଲା। ସେସବୁ କମ୍ପାନି ଚୀନ୍ ସେନାକୁ ସହାୟତା କରୁଥିବା ଆମେରିକା କହିଛି। ସେଥିରେ ଟେକ୍ ଜ୍ୟାଣ୍ଟ୍ ଆଲିବାବା ଏବଂ ବାଇଡୁ, ଏବଂ ବୈଦ୍ୟୁତିକ ଯାନବାହନ ଜାଏଣ୍ଟ ବିୱାଇଡି ସାମିଲ ଥିଲେ। ଏନେଇ ବେଜିଂ ପ୍ରତିଶୋଧ ନେବାକୁ ଧମକ ଦେଇଥିଲା।ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଆମେରିକା ସରକାର କମ୍ପାନିଗୁଡ଼ିକୁ ଚୀନ୍ ସାମରିକ ଉଦ୍ୟୋଗ ତାଲିକାରେ ଯୋଡିବାର ଘୃଣ୍ୟ କାର୍ଯ୍ୟର ଜବାବରେ ଚୀନ୍ ଏହା କରିଛି। ଜାତୀୟ ସୁରକ୍ଷାପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆମେରିକାର ବିରଳ ଖଣିଜ ଉତ୍ପାଦକ ଏମପି ମ୍ୟାଟେରିଆଲ୍ସ ଏବଂ ୟୁଏସଏ ରେୟାର ଆର୍ଥକୁ ମଧ୍ୟ ଚୀନ୍ କଳା ତାଲିକାଭୁକ୍ତ କରିଛି।
ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ରପ୍ତାନିକାରୀମାନଙ୍କୁ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକୁ ଦ୍ୱୈତ-ବ୍ୟବହାର ସାମଗ୍ରୀ ଯୋଗାଇବା ନିଷେଧ କରାଯାଇଛି। ଚାଲିଥିବା ସମସ୍ତ ପ୍ରାସଙ୍ଗିକ ରପ୍ତାନି କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରାଯିବା ଉଚିତ୍ ବୋଲି ଚୀନ୍ କହିଛି। ଯେକୌଣସି ଦେଶ କିମ୍ବା ଅଞ୍ଚଳର ସଂଗଠନ କିମ୍ବା ବ୍ୟକ୍ତିବିଶେଷ,ଚୀନ୍ରୁ ଉତ୍ପନ୍ନ ଦ୍ୱୈତ-ବ୍ୟବହାର ସାମଗ୍ରୀ ଉକ୍ତ ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର କିମ୍ବା ପ୍ରଦାନ କରିବା ଉପରେ ମଧ୍ୟ ଏହି ପ୍ରତିବନ୍ଧକ ପ୍ରଯୁଜ୍ୟ ବୋଲି ଏଥିରେ କୁହାଯାଇଛି। ଚୀନ୍ର ଅର୍ଥ ମନ୍ତ୍ରଣାଳୟ ଏକକାଳୀନ ସାର୍ବଜନୀନ କ୍ରୟରେ ଜଡିତ ଏଜେନ୍ସିଗୁଡ଼ିକୁ ଲକହିଡ୍ ମାର୍ଟିନ୍, ରେଥିଅନ୍ ଏବଂ ବୋଇଂର ପ୍ରତିରକ୍ଷା ବିଭାଗ ସମେତ ୪୬ଟି ଆମେରିକୀୟ ଫାର୍ମ ଦ୍ୱାରା ନିର୍ମିତ ଉତ୍ପାଦ କିଣିବା ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏହା ସହିତ ଆମେରିକୀୟ ସାମରିକ କମ୍ପାନି ଜେନେରାଲ ଡାଇନାମିକ୍ସ ଏବଂ ଆଣ୍ଡୁରିଲ୍ ଇଣ୍ଡଷ୍ଟ୍ରିଜ୍ ତଥା ଅନେକ ଏରୋସ୍ପେସ୍ ଫାର୍ମକୁ ମଧ୍ୟ କଳାତାଲିକାଭୁକ୍ତ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ଚୀନ୍ରେ କାର୍ଯ୍ୟ କରୁଥିବା ଆମେରିକୀୟ ନିବେଶ ଥିବା କମ୍ପାନିଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ସୋମବାରଠାରୁ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେବ।

