ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ପର୍ତ୍ତୁଗାଲରେ ବିକିଦେଲେ, ସଂସ୍ଥା ନାଁରେ ମାମଲା ରୁଜୁ କଲା ପୁଲିସ

ପୁଣେସ୍ଥିତ ”ୱି ମାଇଗ୍ରେଟ୍” ନାମକ ଏକ ସଂସ୍ଥା ଯୁବତୀଙ୍କୁ ପର୍ତ୍ତୁଗାଲରେ କ୍ୟାସିୟର ଭାବେ ମାସିକ ୧ଲକ୍ଷ ୫୦ ହଜାର ଟଙ୍କାର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଭୀସା ଓ ଅନ୍ୟାନ୍ୟ କାଗଜପତ୍ର ନାଁରେ ପ୍ରାୟ ୧୧ ଲକ୍ଷ ଟଙ୍କା ଠକି ନେଇଥିଲା।

 ବିଦେଶରେ ଉଚ୍ଚ ଦରମାର ଚାକିରି ଦେବାର ପ୍ରଲୋଭନ ଦେଖାଇ ନାଗପୁରର ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ପର୍ତ୍ତୁଗାଲ ଚାଲାଣ କରାଯିବା ଏବଂ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପୁଣେସ୍ଥିତ ”ୱି ମାଇଗ୍ରେଟ୍” ନାମକ ଏକ ସଂସ୍ଥା ଯୁବତୀଙ୍କୁ ପର୍ତ୍ତୁଗାଲରେ କ୍ୟାସିୟର ଭାବେ ମାସିକ ୧ଲକ୍ଷ ୫୦ ହଜାର ଟଙ୍କାର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଭୀସା ଓ ଅନ୍ୟାନ୍ୟ କାଗଜପତ୍ର ନାଁରେ ପ୍ରାୟ ୧୧ ଲକ୍ଷ ଟଙ୍କା ଠକି ନେଇଥିଲା। ଜୁଲାଇ ମାସରେ ଯୁବତୀଜଣକ ପର୍ତ୍ତୁଗାଲରେ ପହଞ୍ଚିବା ପରେ ଅଭିଯୁକ୍ତ ଏଜେଣ୍ଟମାନେ ତାଙ୍କ ପାସପୋର୍ଟ ଛଡ଼ାଇ ନେଇ ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ମଦ ଦୋକାନ ମାଲିକଙ୍କୁ ବିକ୍ରି କରିଦିଆଯାଇଥିଲା, ଯେଉଁଠାରେ ତାଙ୍କୁ ବାଧ୍ୟତାମୂଳକ ଭାବେ କାମ କରାଯାଉଥିଲା ଏବଂ ଅମାନୁଷିକ ନିର୍ଯାତନା ଦିଆଯାଉଥିଲା। ପାସପୋର୍ଟ ଫେରସ୍ତ ମାଗିବାରୁ ସେମାନେ ଆହୁରି ଅଧିକ ଟଙ୍କା ଦାବି କରିଥିଲେ। ପ୍ରାୟ ମାସେ କାଳ ନିର୍ଯାତନା ସହିବା ପରେ ଯୁବତୀଜଣକ ସାହସ ଜୁଟାଇ ସେଠାରୁ ଖସି ଆସିଥିଲେ। ସେ ବସ୍ ଯୋଗେ ଲିସବନ୍ ଏବଂ ପରେ ମାଡ୍ରିଡ୍ ହୋଇ ଦୋହା ଦେଇ ଭାରତ ଫେରିବାକୁ ସକ୍ଷମ ହୋଇଥିଲେ। ଭାରତ ଫେରିବା ପରେ ମଧ୍ୟ ଠକମାନେ ତାଙ୍କୁ ମାଲ୍ଟାରେ ଚାକିରି କରାଇଦେବା ବାହାନାରେ ଆଉ ୩ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ସେମାନେ ଯୁବତୀଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀଜଣକ ପୁଣେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ୱି ମାଇଗ୍ରେଟର ପରିଚାଳକଙ୍କ ସହ ୮ ଜଣଙ୍କ ବିରୋଧରେ ମାନବ ଚାଲାଣ, ଠକେଇ ଏବଂ ବଳପୂର୍ବକ ଅର୍ଥ ଆଦାୟ ଅଭିଯୋଗରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *