ଭୁବନେଶ୍ୱର ଉପକଣ୍ଠରେ ବନ୍ୟାର କରାଳ ଚିତ୍ର । ଘରେ ପଶିଛି ୬ ଫୁଟ ଉଚ୍ଚର ପାଣି, ଆଉ ଘର ଛାଡ଼ି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ଶତାଧିକ ପରିବାର । ମଣିଷଙ୍କ ସହ ପଶୁମାନେ ମଧ୍ୟ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ।
ଭୁବନେଶ୍ୱର ଉପକଣ୍ଠରେ ବନ୍ୟାର କରାଳ ଚିତ୍ର । ଘରେ ପଶିଛି ୬ ଫୁଟ ଉଚ୍ଚର ପାଣି, ଆଉ ଘର ଛାଡ଼ି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ଶତାଧିକ ପରିବାର । ମଣିଷଙ୍କ ସହ ପଶୁମାନେ ମଧ୍ୟ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି । ମହାନଦୀ ଓ ଭାର୍ଗବୀ ନଦୀର ବଢ଼ୁଥିବା ଜଳସ୍ତର ଏବେ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଲୋକଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି । ଭାର୍ଗବୀ ନଦୀ କୂଳରେ ଥିବା ପୁବା ଶାସନ ଅଞ୍ଚଳରେ ବନ୍ୟା ପାଣି ପଶିବା ପରେ ସମଗ୍ର ଗାଁ ଏବେ ଜଳମଗ୍ନ ହୋଇପଡ଼ିଛି । ପ୍ରାୟ ୧୦୦ରୁ ଅଧିକ ପରିବାର ବନ୍ୟା ପାଣି ଘେରରେ ଫସି ରହିଛନ୍ତି । ଅନେକ ଘର ଭିତରେ ପ୍ରାୟ ୬ ଫୁଟ ଉଚ୍ଚର ପାଣି ଜମି ରହିଛି । ଫଳରେ ଘରର ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାରର ଜିନିଷ ସବୁ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି । ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ।
କୋଳରେ ଛୋଟ ପିଲା, ସାଙ୍ଗରେ ବୃଦ୍ଧ ଓ ମହିଳାଙ୍କୁ ଧରି ପରିବାର ସଦସ୍ୟମାନେ ଏବେ ନଦୀ ବନ୍ଧ ଉପରେ ଅସ୍ଥାୟୀ ଆଶ୍ରୟ ନେଇଛନ୍ତି । ଖୋଲା ଆକାଶ ତଳେ ଦିନ କାଟୁଥିବା ଏହି ପରିବାରମାନଙ୍କ ପାଖରେ ନାହିଁ ସୁରକ୍ଷିତ ଆଶ୍ରୟ, ନାହିଁ ନିତ୍ୟ ଆବଶ୍ୟକ ସୁବିଧା । କେବଳ ମଣିଷ ନୁହେଁ, ଘରୋଇ ପଶୁମାନଙ୍କ ଅବସ୍ଥା ମଧ୍ୟ ସମାନ। ଗାଈ, ବଳଦ, ଛେଳି ଓ ଅନ୍ୟାନ୍ୟ ପଶୁଙ୍କୁ ମଧ୍ୟ ବନ୍ଧ ଉପରକୁ ଆଣି ରଖାଯାଇଛି । ଗୋଟିଏ ପଟେ ବନ୍ୟାର ଭୟ, ଅନ୍ୟପଟେ ଖାଦ୍ୟ ଓ ପିଇବା ପାଣିର ଅଭାବ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ସ୍ଥାନୀୟ ଲୋକଙ୍କ ଦାବି, ତୁରନ୍ତ ରନ୍ଧା ଖାଦ୍ୟ, ପିଇବା ପାଣି, ଔଷଧ ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉ । ସେହିପରି ବନ୍ୟା ପାଣି କମିବା ପର୍ଯ୍ୟନ୍ତ ସୁରକ୍ଷିତ ଆଶ୍ରୟ ଓ ସହାୟତା ପାଇଁ ସେମାନେ ପ୍ରଶାସନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

