ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ । ବଡ଼ଦାଣ୍ଡ ଆଜି ପାଲଟିଛି ଭକ୍ତି ଓ ବିଶ୍ୱାସର ମହାସମୁଦ୍ର । ଯେଉଁଆଡ଼େ ଚାହିଁବେ, ସେଠାରେ କେବଳ ଭକ୍ତଙ୍କ ସମାଗମ ।
ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ । ବଡ଼ଦାଣ୍ଡ ଆଜି ପାଲଟିଛି ଭକ୍ତି ଓ ବିଶ୍ୱାସର ମହାସମୁଦ୍ର । ଯେଉଁଆଡ଼େ ଚାହିଁବେ, ସେଠାରେ କେବଳ ଭକ୍ତଙ୍କ ସମାଗମ । ଦେଶର କୋଣ ଅନୁକୋଣରୁ, ବିଦେଶରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି କେବଳ ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ । କାହାର ଶରୀର ଅସୁସ୍ଥ, କାହାର ବୟସର ଭାର, କାହାର ଦୀର୍ଘ ଯାତ୍ରାର କ୍ଳାନ୍ତି । ତଥାପି ଏ ସବୁକୁ ପଛରେ ପକାଇ ଆଜି ସେମାନେ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ । କାରଣ ଭକ୍ତଙ୍କ ବିଶ୍ୱାସ—ମହାପ୍ରଭୁଙ୍କ ଏକ ଦର୍ଶନ ଜୀବନର ସବୁ ଦୁଃଖ, କଷ୍ଟ ଓ ସନ୍ତାପକୁ ଦୂର କରିଦିଏ । ପ୍ରତ୍ୟେକ ଭକ୍ତଙ୍କ ହୃଦୟରେ ରହିଛି ଅନେକ ଅକୁହା କଥା, ଅନେକ ଅପୂର୍ଣ୍ଣ ଆଶା ଓ ଅନେକ ପ୍ରାର୍ଥନା ।
କେହି ସୁଖ ମାଗୁଛନ୍ତି, କେହି ଶାନ୍ତି, କେହି ସନ୍ତାନର ମଙ୍ଗଳ, ତ ଆଉ କେହି କେବଳ ପ୍ରଭୁଙ୍କ କୃପାଦୃଷ୍ଟି । ଆଖିରେ ଲୁହ, ହୃଦୟରେ ଭକ୍ତି ଓ ଓଠରେ “ଜୟ ଜଗନ୍ନାଥ”—ଏହି ଦୃଶ୍ୟ ହିଁ ରଥଯାତ୍ରାର ପ୍ରକୃତ ମହିମା । ଭକ୍ତଙ୍କ ମନରେ ଗୋଟିଏ ମାତ୍ର ଆକାଂକ୍ଷା—ଥରେ ପ୍ରଭୁଙ୍କୁ ଆଖିଭରି ଦେଖି ମନକୁ ଶାନ୍ତି ଦେବେ, ଜୀବନର ସବୁ କ୍ଳାନ୍ତିକୁ ଭୁଲିଯିବେ । ଏହି ଦିବ୍ୟ ମୁହୂର୍ତ୍ତର ସ୍ମୃତି ସାରା ଜୀବନ ପାଇଁ ସେମାନଙ୍କ ହୃଦୟରେ ଅମର ହୋଇ ରହିବ । ଭକ୍ତ ଓ ଭଗବାନଙ୍କ ଏହି ମହାମିଳନ କେବଳ ଏକ ପର୍ବ ନୁହେଁ, ଏହା ଆସ୍ଥା, ବିଶ୍ୱାସ ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ଅନୁଭୂତି, ଯାହାକୁ ଶବ୍ଦରେ ନୁହେଁ, କେବଳ ହୃଦୟରେ ଅନୁଭବ କରାଯାଇପାରେ ।

