ଗୁଗୁଲ୍‌ରେ ରିଭ୍ୟୁ ଲେଖିବା ନାଁରେ ମହାଠକେଇ; ମାସକରେ ୨୦ରୁ ଅଧିକ ଲୋକଙ୍କଠାରୁ ୧ କୋଟି ଲୁଟ୍

ଗୁଲ୍‌ରେ ରିଭ୍ୟୁ ଲେଖନ୍ତୁ, ରେଟିଂ ଦିଅନ୍ତୁ ଆଉ ପାଆନ୍ତୁ ଟଙ୍କା । ଏଭଳି ଲୋଭନୀୟ ଅଫର୍ ଦେଇ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ପ୍ରଥମେ ଅଳ୍ପ ଟଙ୍କା ଦେଇ ବିଶ୍ୱାସ ଜିତୁଛନ୍ତି, ପରେ ଅଧିକ ରୋଜଗାରର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ? ଗୁଗୁଲ୍‌ରେ ରିଭ୍ୟୁ ଲେଖନ୍ତୁ, ରେଟିଂ ଦିଅନ୍ତୁ ଆଉ ପାଆନ୍ତୁ ଟଙ୍କା । ଏଭଳି ଲୋଭନୀୟ ଅଫର୍ ଦେଇ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ପ୍ରଥମେ ଅଳ୍ପ ଟଙ୍କା ଦେଇ ବିଶ୍ୱାସ ଜିତୁଛନ୍ତି, ପରେ ଅଧିକ ରୋଜଗାରର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଜାଲରେ ପଡ଼ି ଜଣେ ବ୍ୟକ୍ତି ପ୍ରାୟ ୧୦ ଲକ୍ଷ ଟଙ୍କା ହରାଇଛନ୍ତି ।

କେମିତି ହେଉଛି ଠକେଇ?

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗୋଟିଏ ମାସ ମଧ୍ୟରେ ୨୦ରୁ ଅଧିକ ଲୋକ ଏଭଳି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କଠାରୁ ପ୍ରାୟ ଏକ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି । ଠକମାନେ ଟେଲିଗ୍ରାମ୍ କିମ୍ବା ହ୍ୱାଟ୍ସଆପ୍‌ରେ ମେସେଜ୍ ପଠାଇ ଅନଲାଇନ୍‌ରେ ଟଙ୍କା ରୋଜଗାର କରିବାର ଅଫର୍ ଦେଉଛନ୍ତି। ଗୁଗୁଲ୍‌ରେ ଦୋକାନ, ହୋଟେଲ୍ କିମ୍ବା ଅନ୍ୟ ବ୍ୟବସାୟର ରିଭ୍ୟୁ ଲେଖିବା ପାଇଁ ୧୦୦ରୁ ୨୦୦ ଟଙ୍କା ଯାଏଁ ଦେବାକୁ କହୁଛନ୍ତି। ପ୍ରଥମେ ଟଙ୍କା ଦେଇ ବିଶ୍ୱାସ ଜିତିବା ପରେ ଅଧିକ ଲାଭ ପାଇଁ ଟଙ୍କା ଜମା କରିବାକୁ କହୁଛନ୍ତି ।

ବିଶାଖାପାଟଣାର ଜଣେ ୩୮ ବର୍ଷୀୟ ବ୍ୟକ୍ତି ଏହି ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟେଲିଗ୍ରାମ୍‌ରେ ଅନଲାଇନ୍ କାମର ଅଫର୍ ମିଳିଥିଲା । ପ୍ରଥମ ଟାସ୍କ ପାଇଁ ତାଙ୍କୁ ୧୨୦ ଟଙ୍କା ମିଳିଥିଲା। ପରେ ୫୦୦ ଟଙ୍କା ଜମା କରି ୬୩୦ ଟଙ୍କା ଏବଂ ୩ ହଜାର ଟଙ୍କା ଜମା କରି ୪ ହଜାର ୩୦୦ ଟଙ୍କା ପାଇଥିଲେ ।

ଏଥିରେ ଲାଭ ମିଳିବାରୁ ତାଙ୍କର ବିଶ୍ୱାସ ବଢ଼ିଥିଲା । ପରେ ତାଙ୍କୁ ଏକ ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମକୁ ନିଆଯାଇଥିଲା। ଅଧିକ ଲାଭର ଲୋଭ ଦେଖାଇ ଟଙ୍କା ନିବେଶ କରାଯାଇଥିଲା । ହେଲେ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ପରେ ଆକାଉଣ୍ଟ ଫ୍ରିଜ୍ ହୋଇଥିବା କୁହାଯାଇଥିଲା। ଆକାଉଣ୍ଟ ଖୋଲିବା ଓ କ୍ରେଡିଟ୍ ସ୍କୋର ବଢ଼ାଇବା ନାଁରେ ଆହୁରି ଟଙ୍କା ମଗାଯାଇଥିଲା । ଶେଷରେ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ହରାଇଥିଲେ ।

ଠକେଇରୁ ବର୍ତ୍ତିବେ କେମିତି?

ଅଜଣା ନମ୍ବରରୁ ଆସୁଥିବା ଅନଲାଇନ୍ ରୋଜଗାର ଅଫର୍‌କୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। କୌଣସି କାମ ଦେବା ନାଁରେ ଟଙ୍କା ଜମା କରିବାକୁ କହିଲେ ସତର୍କ ରୁହନ୍ତୁ। ଅଳ୍ପ ସମୟରେ ଅଧିକ ଲାଭର ପ୍ରତିଶ୍ରୁତି ମିଳିଲେ ତାହାକୁ ସନ୍ଦେହ କରନ୍ତୁ । ଯଦି ଠକେଇର ଶିକାର ହେଉଛନ୍ତି, ତୁରନ୍ତ ବ୍ୟାଙ୍କକୁ ଜଣାଇବା ସହ ୧୯୩୦ ସାଇବର ହେଲ୍ପଲାଇନ୍‌କୁ ଫୋନ୍ କରନ୍ତୁ କିମ୍ବା cybercrime.gov.in ପୋର୍ଟାଲ୍‌ରେ ଅଭିଯୋଗ କରନ୍ତୁ। ଟ୍ରାଞ୍ଜାକ୍ସନ୍ ରସିଦ, ଚାଟ୍ ଓ ଅନ୍ୟ ପ୍ରମାଣ ସୁରକ୍ଷିତ ରଖନ୍ତୁ। ମନେରଖନ୍ତୁ, ଟଙ୍କା ଫେରାଇବା କିମ୍ବା ଆକାଉଣ୍ଟ ଖୋଲିବା ନାଁରେ ଆଉ ଟଙ୍କା ମାଗିଲେ ଆଦୌ ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *