ଗଣତନ୍ତ୍ର ବିପଦରେ ପଡ଼ିବ;କାଲିଫର୍ନିଆର ଭୋଟ୍ ରୋକିବା ଉଦ୍ୟମ ପାଇଁ ଟ୍ରମ୍ପ ପ୍ରଶାସନକୁ କୋର୍ଟଙ୍କ ଭର୍ତ୍ସନା

କାଲିଫର୍ନିଆର ୨୦ ହଜାରରୁ ଅଧିକ ପଞ୍ଜୀକୃତ ଭୋଟରଙ୍କ ଡାକ ଭୋଟ୍ ଗଣନାକୁ ରୋକିବା ପାଇଁ ଆମେରିକାର ନ୍ୟାୟ ବିଭାଗ କରିଥିବା ଅନୁରୋଧକୁ ଖାରଜ କରିଛନ୍ତି ଫେଡେରାଲ୍ ବିଚାରପତି ଡେଭିଡ୍ କାର୍ଟର ।

ଆମେରିକାରେ ନିର୍ବାଚନୀ ଭୋଟ୍‌କୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଲାଗିଛି ଝଟକା । କାଲିଫର୍ନିଆର ୨୦ ହଜାରରୁ ଅଧିକ ପଞ୍ଜୀକୃତ ଭୋଟରଙ୍କ ଡାକ ଭୋଟ୍ ଗଣନାକୁ ରୋକିବା ପାଇଁ ଆମେରିକାର ନ୍ୟାୟ ବିଭାଗ କରିଥିବା ଅନୁରୋଧକୁ ଖାରଜ କରିଛନ୍ତି ଫେଡେରାଲ୍ ବିଚାରପତି ଡେଭିଡ୍ କାର୍ଟର । ଏହି ଭୋଟରମାନେ ଅଣନାଗରିକ ହୋଇଥାଇପାରନ୍ତି ବୋଲି ଟ୍ରମ୍ପ ପ୍ରଶାସନ ଆଶଙ୍କା ପ୍ରକାଶ କରିଥିଲା । କିନ୍ତୁ ଏଭଳି ପଦକ୍ଷେପ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।

ଶୁଣାଣି ସମୟରେ ବିଚାରପତି କାର୍ଟର କହିଥିଲେ ଯେ, ଆମେରିକାର ଇତିହାସରେ ନିର୍ବାଚନର ଠିକ୍ ପୂର୍ବରୁ କୌଣସି ରାଜ୍ୟ ଉପରେ ନିଜର ଇଚ୍ଛା ଲଦିବାକୁ ସରକାର ଏଭଳି ଉଦ୍ୟମ କରିଥିବା ନଜିର ନାହିଁ । ଯଦି କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ବିନା ଦୃଢ଼ ପ୍ରମାଣରେ ଭୋଟ୍‌କୁ ଅବୈଧ ଘୋଷଣା କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ରୋକିବାକୁ ଚେଷ୍ଟା କରେ, ତେବେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ସେ କହିଥିଲେ । ଟ୍ରମ୍ପ ପ୍ରଶାସନ ସପକ୍ଷରେ ରାୟ ଆସିଥିଲେ ହଜାର ହଜାର ଯୋଗ୍ୟ ଭୋଟର ନିଜର ମତଦାନ ଅଧିକାରରୁ ବଞ୍ଚିତ ହୋଇଥାଆନ୍ତେ । ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ବାଧା ସୃଷ୍ଟି ହେବାର ଆଶଙ୍କା ଥିବା କୋର୍ଟ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ, ନ୍ୟାୟ ବିଭାଗ ଯୁକ୍ତି ଦର୍ଶାଇଥିଲା ଯେ, ଅଣନାଗରିକଙ୍କୁ ଭୋଟ୍ ଦେବାରୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ । ତେବେ ନିମ୍ନ ଅଦାଲତଙ୍କ ରାୟ ପରେ ନ୍ୟାୟ ବିଭାଗ ଏହା ବିରୋଧରେ ନବମ ସର୍କିଟ୍ କୋର୍ଟ ଅଫ୍ ଅପିଲ୍ସରେ ଅପିଲ୍ କରିଛି । କାଲିଫର୍ନିଆ ସରକାର ଟ୍ରମ୍ପ ପ୍ରଶାସନର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜ୍ୟରେ ଅଣନାଗରିକଙ୍କୁ ଭୋଟ୍ ଦେବାରୁ ରୋକିବା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଥିବା ସରକାର କହିଛନ୍ତି । ଏଥିସହ ନ୍ୟାୟ ବିଭାଗ ଦେଇଥିବା ତଥ୍ୟର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଅଭିଯୋଗ ଆଧାରରେ ପଦକ୍ଷେପ ନିଆଗଲେ ପ୍ରକୃତ ଯୋଗ୍ୟ ଭୋଟରଙ୍କ ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ରହିଛି ।

କେବଳ କାଲିଫର୍ନିଆ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି । ଆଲାସ୍କାରେ ଏକ ସିନେଟ୍ ଆସନର ନିର୍ବାଚନ ଫଳାଫଳକୁ ପ୍ରମାଣିତ କରିବା ପ୍ରକ୍ରିୟା ରୋକିବାକୁ ନ୍ୟାୟ ବିଭାଗ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସେହିପରି ୱାସିଂଟନ୍‌ରେ ପ୍ରାୟ ୪୦୦ ଭୋଟରଙ୍କୁ ଅଣନାଗରିକ ଦର୍ଶାଇ ସେମାନଙ୍କ ଭୋଟ୍‌କୁ ଅଣଦେଖା କରିବାକୁ ମଧ୍ୟ ଦାବି କରାଯାଇଛି । ନିର୍ବାଚନ ଅଧିକାରୀମାନେ ଏଭଳି ପଦକ୍ଷେପ ଦ୍ୱାରା ନିର୍ବାଚନ ଫଳାଫଳ ଉପରେ ଅଯଥା ସନ୍ଦେହ ସୃଷ୍ଟି ହୋଇପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି । ଏବେ କୋର୍ଟଙ୍କ ରାୟ ପରେ ଆମେରିକାରେ ଭୋଟରଙ୍କ ଅଧିକାର ଓ ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ରାଜନୈତିକ ବିତର୍କ ଆହୁରି ତୀବ୍ର ହୋଇଛି ।

Leave a Reply

Your email address will not be published. Required fields are marked *