ଗଞ୍ଜେଇ ଚାଲାଣ ମାମଲାରେ ପୁଣି ଚର୍ଚ୍ଚାରେ ବୌଦ୍ଧ ପୁଲିସ । ଗଞ୍ଜେଇ ମାଫିଆଙ୍କ ସହ ଜଣେ ପୂର୍ବତନ ଥାନା ଅଧିକାରୀଙ୍କ ସମ୍ପର୍କ ଥିବା ଅଭିଯୋଗକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ବୌଦ୍ଧ ଏସପି ।
ଗଞ୍ଜେଇ ଚାଲାଣ ମାମଲାରେ ପୁଣି ଚର୍ଚ୍ଚାରେ ବୌଦ୍ଧ ପୁଲିସ । ଗଞ୍ଜେଇ ମାଫିଆଙ୍କ ସହ ଜଣେ ପୂର୍ବତନ ଥାନା ଅଧିକାରୀଙ୍କ ସମ୍ପର୍କ ଥିବା ଅଭିଯୋଗକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ବୌଦ୍ଧ ଏସପି । ଅଭିଯୁକ୍ତ ପୂର୍ବତନ ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ଘଟଣାରେ ଗଞ୍ଜେଇ ମାଫିଆଙ୍କ ସହ ହୋଇଥିବା କଥିତ ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସିଙ୍କ ବିରୋଧରେ ବୌଦ୍ଧ ଏସପି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ତଦନ୍ତ ସମୟରେ କଥିତ ଭାବେ ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଥିବା ଜଣାପଡ଼ିଛି ।
ଏହାକୁ ଆଧାର କରି ତାଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ନୋଟିସ୍ରେ ଧାର୍ଯ୍ୟ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବାକୁ କୁହାଯାଇଛି । ଯଦି ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ତାଙ୍କ ବିରୋଧରେ ବିଭାଗୀୟ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ବୌଦ୍ଧ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପୁଣି ପ୍ରଶ୍ନ ଉଠିଛି । ତେବେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତ ରିପୋର୍ଟ ଓ ସ୍ପଷ୍ଟୀକରଣ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

