ଖାଦ୍ୟର ପ୍ରଭାବ ସିଧାସଳଖ ଭାବେ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ବଦଳୁଥିବା ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟାଭ୍ୟାସ କାରଣରୁ କିଡନି ଷ୍ଟୋନ୍ ବା ପଥରୀ ସମସ୍ୟା ଏବେ ସାଧାରଣ ହୋଇପଡ଼ିଛି।
ଖାଦ୍ୟର ପ୍ରଭାବ ସିଧାସଳଖ ଭାବେ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ବଦଳୁଥିବା ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟାଭ୍ୟାସ କାରଣରୁ କିଡନି ଷ୍ଟୋନ୍ ବା ପଥରୀ ସମସ୍ୟା ଏବେ ସାଧାରଣ ହୋଇପଡ଼ିଛି। ଏହି ସମସ୍ୟା ହେଲେ ରୋଗୀଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼େ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଭୁଲ ଖାଦ୍ୟାଭ୍ୟାସ ହିଁ ଏହାର ଏକ ପ୍ରମୁଖ କାରଣ।ସେଥିପାଇଁ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଜରୁରୀ।
କିଡ୍ନିରେ ଖଣିଜ ଓ ଲବଣ ଜମା ହୋଇ କଠିନ ପଦାର୍ଥରେ ପରିଣତ ହେଲେ ପଥରୀ ସୃଷ୍ଟି ହୁଏ। ଏହା ଛୋଟ ହୋଇପାରେ କିମ୍ବା ସମୟ ସହ ବଡ଼ ଆକାର ନେଇପାରେ,ଏବଂ ପରିସ୍ରା ସମୟରେ ତୀବ୍ର ଯନ୍ତ୍ରଣାର କାରଣ ହୋଇଥାଏ।ଛୋଟ ପଥରୀ କ୍ଷେତ୍ରରେ ଔଷଧ ଦେଇ ପରିସ୍ରା ସହିତ ବାହାର କରିବାକୁ ଚେଷ୍ଟା କରାଯାଏ, କିନ୍ତୁ ବଡ଼ ପଥରୀ କ୍ଷେତ୍ରରେ ଅସ୍ତ୍ରୋପଚାରର ଆବଶ୍ୟକତା ହୋଇଥାଏ। କ୍ୟାଲସିୟମ ଅକ୍ସାଲେଟ, ୟୁରିକ ଆସିଡ୍, ଷ୍ଟ୍ରୁଭାଇଟ ଏବଂ ସିଷ୍ଟିନ ପଥରୀକୁ କିଡ୍ନି ପଥରୀର ସାଧାରଣ କାରଣ ଭାବେ ଗଣନା କରାଯାଏ।
ବିଶେଷଜ୍ଞଙ୍କ ମତରେ କିଡ୍ନି ପଥରୀ ରୋଗୀ ପାଳଙ୍ଗ ଶାଗ, ବିଟ୍, ବାଦାମ, ଚକୋଲେଟ ଓ ଚା’ ଭଳି ଅକ୍ସାଲେଟଯୁକ୍ତ ଖାଦ୍ୟ ଠାରୁ ନିବୃତ୍ତ ରହିବା ଉଚିତ। ସେହିପରି ଇନଷ୍ଟାଣ୍ଟ ନୁଡୁଲ୍ସ, ଚିପ୍ସ, ଫାଷ୍ଟ ଫୁଡ୍ ଓ ଅନ୍ୟ ପ୍ରୋସେସ୍ଡ ଖାଦ୍ୟ ସହିତ ରେଡ୍ ମିଟ୍ ଏବଂ ପଶୁଜାତ ପ୍ରୋଟିନ୍ର ଅଧିକ ସେବନ, ସଫ୍ଟ ଡ୍ରିଙ୍କ୍ସ, ଅଧିକ ଚିନିଯୁକ୍ତ, କ୍ୟାଫିନ୍ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କିଡ୍ନି ଷ୍ଟୋନ୍ରୁ ରକ୍ଷା ପାଇଁ ଦୈନିକ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଜରୁରୀ। ଯଦି ପଥରୀ ସମସ୍ୟା ପୂର୍ବରୁ ରହିଛି କିମ୍ବା ଯନ୍ତ୍ରଣା ବଢ଼ୁଛି, ତେବେ ତୁରନ୍ତ ୟୁରୋଲୋଜିଷ୍ଟ କିମ୍ବା କିଡନୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।

