କାମରେ ଆସୁନି ମେଗା ଜଳ ପ୍ରକଳ୍ପ; ପାଣି ପାଇବ ତ ୮୮ ପଞ୍ଚାୟତ !

ରାଜ୍ୟରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ତାହା କିପରି ସରକାରୀ ସ୍ତରରେ ବିଫଳ ହୋଇଛି, ତାହାର ଏକ ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିକୁଦିଆଠାରେ ।

ଅବଧି ସରିବାର ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ଜଳ ଯୋଗାଣ ପ୍ରକଳ୍ପ । ସେପଟେ ବିଭାଗୀୟ ଯନ୍ତ୍ରୀ ଠିକାଦାରଙ୍କ ମିଲିଭଗତରେ ଷାଠିଏ ପ୍ରତିଶତ କାମକରି ଠିକାସଂସ୍ଥା ଉଠାଇ ନେଇଛି ପଂଚାଅଶୀ ପ୍ରତିଶତ ବିଲ୍ । ମନ୍ତ୍ରୀ ବିଧାୟକଙ୍କ ପ୍ରକଳ୍ପ ସ୍ଥଳ ପରିଦର୍ଶନ ପରେ ଜିଲ୍ଳାର ଚାରିଟି ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପୁଲିସ ନାମକୁମାତ୍ର ତଦନ୍ତ କରୁଛନ୍ତି । କିନ୍ତୁ ୮୮ ପଞ୍ଚାୟତର ଲୋକଙ୍କୁ ପିଇବା ପାଣି ମୁନ୍ଦେ ମିଳୁନାହିଁ । ଆଉ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଲିକୁଦିଆଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଏବେ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ।

ରାଜ୍ୟରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ତାହା କିପରି ସରକାରୀ ସ୍ତରରେ ବିଫଳ ହୋଇଛି, ତାହାର ଏକ ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିକୁଦିଆଠାରେ । ଧର୍ମଶାଳାର ୪୫ ଓ ବଡଚଣାର ୪୩ଟି ପଞ୍ଚାୟତର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୯ ମସିହାରେ ୩୩୫ କୋଟି ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭ ପଡ଼ିଥିଲା । ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ କାମ ସାରି ଲୋକଙ୍କୁ ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା । ଅବଧି ସରିବାର ୩ ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ମାତ୍ର ୬୦% କାମ ସମ୍ପୂର୍ଣ୍ଣ ହୋଇଛି । ହେଲେ ସମ୍ପୃକ୍ତ ଠିକା ସଂସ୍ଥା ୮୫% ବିଲ୍ ଅର୍ଥାତ୍ ୩୨୩ କୋଟି ୯୫ ଲକ୍ଷ ଟଙ୍କା ଉଠାଇ ନେଇଛି ! ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ ହୋଇଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଏବଂ ସମୟ ସୀମା ବୃଦ୍ଧି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଧର୍ମଶାଳା ନିର୍ବାଚନମଣ୍ଡଳୀର ଅଧିକାଂଶ ଅଂଚଳ ଜଳକ୍ଲିଷ୍ଟ ହୋଇଥିବାରୁ ଖରାଦିନେ ଏଠାରେ ପାନୀୟ ଜଳ ସମସ୍ୟା ଉଗ୍ର ରୂପ ଧାରଣ କରେ । ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ପିଇବା ପାଣିର ସଙ୍କଟ ଦେଖାଦିଏ । ନିକଟରେ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ଚଣ୍ଡିଖୋଲ ଗ୍ରାମ୍ୟ ପାନୀୟ ଜଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବଡ଼ଚଣା, ଜେନାପୁର, ଯାଜପୁର ଟାଉନ ଓ ବିଞ୍ଝାରପୁର ଥାନାରେ ଏତଲା ଦିଆଯାଇଛି । କିନ୍ତୁ ଅଭିଯୋଗ ହେଉଛି ଯେ, ପୋଲିସ କେବଳ ନାମକୁ ମାତ୍ର ତଦନ୍ତ କରି ଚୁପ୍ ବସିପଡିଛି ।

ସରକାର ବଦଳିଛି, ହେଲେ ବଦଳିନି ଏହି ପ୍ରକଳ୍ପର ଚେହେରା । ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଲୋକଙ୍କ ଟଙ୍କାରେ ନିର୍ମିତ ମେଗା ଜଳ ଯୋଗାଣ ପ୍ରକଳ୍ପର ଭାଗ୍ୟ କ’ଣ ହେବ ? କାହିଁକି ସମ୍ପୃକ୍ତ ଠିକାସଂସ୍ଥାର ଲୋକଙ୍କୁ ଗିରଫ କରାଯାଉନାହିଁ ? ପ୍ରକଳ୍ପ ଦୁର୍ନୀତିରେ ସମ୍ପୃକ୍ତ ବିଭାଗୀୟ ବାବୁଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ?
ଥାନା ବାବୁଙ୍କ ତଦନ୍ତ ଶିଥିଳ ପଡ଼ିଯାଉଛି କାହିଁକି ? ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ କେବେ ?

Leave a Reply

Your email address will not be published. Required fields are marked *