ଆତଙ୍କବାଦୀଙ୍କ ସହ ମଞ୍ଚରେ ପୂର୍ବତନ ପାକିସ୍ତାନୀ ମନ୍ତ୍ରୀ, ହାଫିଜ୍ ସଇଦର ପ୍ରଶଂସା କରି ଭାରତକୁ ଦେଲେ ବୃଥା ଧମକ । ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ପୁଣିଥରେ ଖବରରେ ଅଛନ୍ତି ।
ଆତଙ୍କବାଦୀଙ୍କ ସହ ମଞ୍ଚରେ ପୂର୍ବତନ ପାକିସ୍ତାନୀ ମନ୍ତ୍ରୀ, ହାଫିଜ୍ ସଇଦର ପ୍ରଶଂସା କରି ଭାରତକୁ ଦେଲେ ବୃଥା ଧମକ । ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ପୁଣିଥରେ ଖବରରେ ଅଛନ୍ତି । ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଲସ୍କର-ଇ-ତୋଏବା -ଏଲଇଟି ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କ ସହ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ବସିଥିବାର ଦେଖାଯାଉଛି । ଏହି କାର୍ଯ୍ୟକ୍ରମ ସମୟରେ ରସିଦ ଖୋଲାଖୋଲି ଭାବରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ୍ ସଇଦକୁ ସମର୍ଥନ ଜଣାଇବା ସହ ଭାରତ ବିଷୟରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଭିଡିଓରେ ରସିଦଙ୍କ ସହିତ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଖାଲିଦ ମାସୁଦ ସାନ୍ଧୁ ଅଛନ୍ତି ।
ସେ ଏଲଇଟିର ଜଣେ ବରିଷ୍ଠ କମାଣ୍ଡର ଏବଂ ପାକିସ୍ତାନ ମର୍କଜି ମୁସଲିମ ଲିଗ୍ – ପିଏମଏମଏଲର ସଭାପତି। ମଞ୍ଚ ଉପରେ କାରୀ ମହମ୍ମଦ ୟାକୁବ ଶେଖ ମଧ୍ୟ ଦେଖାଯାଉଛନ୍ତି । ସେ ଆତଙ୍କବାଦୀ ସଂଗଠନର କେନ୍ଦ୍ରୀୟ ପରାମର୍ଶଦାତା କମିଟି ସହିତ ଜଡ଼ିତ ବୋଲି କୁହାଯାଉଛି । କାର୍ଯ୍ୟକ୍ରମରେ ହାଫିଜ୍ ସଇଦଙ୍କ ସହ ଘନିଷ୍ଠତା ଥିବା ଶେଖ ରସିଦ ଦାବି କରି ନିଜକୁ ତାଙ୍କର ସମର୍ଥକ କହିଛନ୍ତି । ଏହା ସହ ସେ ନିଜକୁ ହାଫିଜ୍ର ଚାକର ବୋଲି ମଧ୍ୟ କହିଛନ୍ତି । ରସିଦ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ଆମେରିକାରେ ଥିବା ସମୟରେ, ହାଫିଜ୍ ସଇଦର ନମ୍ବର ତାଙ୍କ ଫୋନ୍ରେ ଥିବା ଯୋଗୁଁ ପରବର୍ତ୍ତୀ ସମୟରେ ତାଙ୍କୁ ଆମେରିକାରୁ ବହିଷ୍କାର କରାଯାଇଥିଲା ।

