ଅର୍ଶଦ ନଦୀମ ଆସନ୍ତା ବଡ଼ ପ୍ରତିଯୋଗିତା ପାଇଁ ଦକ୍ଷିଣ ଆଫ୍ରିକାରେ ନିଜ ପୁରୁଣା କୋଚ୍ ଟେରସିୟସ୍ ଲିବେନବର୍ଗଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଉଛନ୍ତି । କିନ୍ତୁ ପାକିସ୍ତାନ ସ୍ପୋର୍ଟସ୍ ବୋର୍ଡର ଜଣେ ଅଧିକାରୀଙ୍କ ଅନୁସାରେ, ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଅର୍ଶଦ ବୋର୍ଡରୁ NOC ନେଇନଥିଲେ
ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର ତଥା ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦୀମ ପୁଣିଥରେ ଚର୍ଚ୍ଚାରେ । ଏଥର କିନ୍ତୁ ତାଙ୍କ ଖେଳ ପ୍ରଦର୍ଶନ ନୁହେଁ, ବରଂ ଦକ୍ଷିଣ ଆଫ୍ରିକା ଟ୍ରେନିଂ ଯାତ୍ରାକୁ ନେଇ ପାକିସ୍ତାନ ସ୍ପୋର୍ଟସ୍ ବୋର୍ଡ ସହ ବିବାଦ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଅର୍ଶଦ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଆବଶ୍ୟକ NOC ନେଇନଥିବା ଅଭିଯୋଗ ହୋଇଛି ।
ଅର୍ଶଦ ନଦୀମ ଆସନ୍ତା ବଡ଼ ପ୍ରତିଯୋଗିତା ପାଇଁ ଦକ୍ଷିଣ ଆଫ୍ରିକାରେ ନିଜ ପୁରୁଣା କୋଚ୍ ଟେରସିୟସ୍ ଲିବେନବର୍ଗଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଉଛନ୍ତି । କିନ୍ତୁ ପାକିସ୍ତାନ ସ୍ପୋର୍ଟସ୍ ବୋର୍ଡର ଜଣେ ଅଧିକାରୀଙ୍କ ଅନୁସାରେ, ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଅର୍ଶଦ ବୋର୍ଡରୁ NOC ନେଇନଥିଲେ ଏବଂ ତାଙ୍କ ଯାତ୍ରା ସମ୍ପର୍କରେ ବୋର୍ଡକୁ ପୂର୍ବରୁ ଜଣାଇ ନଥିଲେ ।
ପାକିସ୍ତାନର ନିୟମ ଅନୁସାରେ, କୌଣସି ଖେଳାଳି ଟ୍ରେନିଂ କିମ୍ବା ପ୍ରତିଯୋଗିତା ପାଇଁ ବିଦେଶ ଯିବା ପୂର୍ବରୁ ସମ୍ପୃକ୍ତ ଫେଡେରେସନ୍ ଏବଂ ସ୍ପୋର୍ଟସ୍ ବୋର୍ଡର ଅନୁମତି ନେବା ଆବଶ୍ୟକ । ଏହି ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଏବେ ଅର୍ଶଦଙ୍କ ଉପରେ ପ୍ରଶ୍ନ ଉଠିଛି। ଯଦି ସେ ଏହି ମାମଲାରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇନପାରନ୍ତି, ତେବେ ତାଙ୍କ ଭବିଷ୍ୟତ ବିଦେଶ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ବୋର୍ଡ ଅଧିକାରୀ ସଙ୍କେତ ଦେଇଛନ୍ତି । ଅର୍ଶଦ ଏବେ ଦକ୍ଷିଣ ଆଫ୍ରିକାରେ ଟ୍ରେନିଂ ନେଇ ନିଜ ଫର୍ମ ଫେରାଇବାକୁ ଚେଷ୍ଟା କରୁଛନ୍ତି । ସେପ୍ଟେମ୍ବର ୧୧ରୁ ୧୩ ଯାଏଁ ହଙ୍ଗେରୀରେ ହେବାକୁ ଥିବା ୱାର୍ଲ୍ଡ ଅଲ୍ଟିମେଟ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ପରେ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସରେ ମଧ୍ୟ ସେ ଅଂଶଗ୍ରହଣ କରିବେ ।
ନିକଟରେ କମନୱେଲ୍ଥ ଗେମ୍ସରେ ଅର୍ଶଦଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା । ସେ ପୁରୁଷ ଜାଭେଲିନ୍ ଥ୍ରୋରେ ୭୭.୪୧ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହ ନବମ ସ୍ଥାନରେ ରହିଥିଲେ । ଏହାପରେ ତାଙ୍କ ଫିଟନେସ୍ ଏବଂ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଥିଲା । ଏହି କାରଣରୁ ଲାହୋରରେ ଟ୍ରେନିଂ ନକରି ଅର୍ଶଦ ଦକ୍ଷିଣ ଆଫ୍ରିକା ଯାଇ ପୁରୁଣା କୋଚ୍ ଟେରସିୟସ୍ ଲିବେନବର୍ଗଙ୍କ ସହ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

