ବ୍ୟାଙ୍କରୁ ନେଇଥିବା କୋଟି କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କର ପୈତୃକ ସମ୍ପତ୍ତି ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ସେ ୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଜେଲ୍ ସଜା କାଟୁଥିବା ବେଳେ ଏବେ ଅନ୍ୟପଟେ ତାଙ୍କର ସମ୍ପତ୍ତି ନିଲାମ ହେବାକୁ ଯାଉଛି । ବ୍ୟାଙ୍କରୁ ନେଇଥିବା କୋଟି କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କର ପୈତୃକ ସମ୍ପତ୍ତି ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଉତ୍ତର ପ୍ରଦେଶର ଶାହଜାହାନପୁର ସ୍ଥିତ କଚେରୀ ରୋଡରେ ଥିବା ତାଙ୍କ ପୈତୃକ ବାସଭବନ ଏବଂ ଅନ୍ୟାନ୍ୟ ପ୍ଲଟ୍ ବାହାରେ ବ୍ୟାଙ୍କ ପକ୍ଷରୁ ନିଲାମ ସମ୍ପର୍କିତ ନୋଟିସ୍ ଲଗାଯାଇଛି ।
ରାଜପାଲ ଯାଦବଙ୍କ ପତ୍ନୀ ରାଧା ଯାଦବ ଏବଂ ମାଆ ଗୋଦାବରୀ ଦେବୀଙ୍କ ନାମରେ ପ୍ରାୟ ୧୬ କୋଟି ୬୧ ଲକ୍ଷ ଟଙ୍କାର ଋଣ ବାକି ରହିଛି। ଅଭିନେତା ନିଜ ପିତା ନୌରଙ୍ଗ ଯାଦବଙ୍କ ସମ୍ପତ୍ତିକୁ ବନ୍ଧକ ରଖି ବ୍ୟାଙ୍କରୁ ୫ କୋଟି ଟଙ୍କାର ଋଣ ନେଇଥିଲେ। ମାତ୍ର ସମୟାନୁସାରେ ଏହି ଅର୍ଥ ପରିଶୋଧ କରାଯାଇ ନଥିବାରୁ ସୁଧ ସହିତ ଏହା ବୃଦ୍ଧି ପାଇ ପ୍ରାୟ ୧୧ କୋଟି ଏବଂ ପରେ ୧୬ କୋଟିରୁ ଅଧିକ ହୋଇଯାଇଥିଲା। ଏହି ଋଣ ଅସୁଲି ପାଇଁ ବ୍ୟାଙ୍କ ପକ୍ଷରୁ ଗତ ଅଗଷ୍ଟ ୮ ତାରିଖରେ ତାଙ୍କର ଶାହଜାହାନପୁର ସମ୍ପତ୍ତିକୁ ସିଲ୍ କରାଯାଇଥିଲା। ବର୍ତ୍ତମାନ ମୁମ୍ବାଇ ଋଣ ପରିଶୋଧ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ସେପ୍ଟେମ୍ବର ୯ ତାରିଖରେ ଏହି ସମ୍ପତ୍ତିଗୁଡ଼ିକର ନିଲାମ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ମଧ୍ୟପ୍ରଦେଶର ବଣ୍ଡା ସ୍ଥିତ ୩.୧୦ କୋଟି ଟଙ୍କାର ସମ୍ପତ୍ତି ସମେତ ତାଙ୍କର କୁଣ୍ଡ୍ରା ଗ୍ରାମରେ ଥିବା ଜମି ଏବଂ ଘର ମଧ୍ୟ ସାମିଲ ରହିଛି ।
ବ୍ୟାଙ୍କ ପକ୍ଷରୁ ସମ୍ପତ୍ତି ବାହାରେ ଏକ ବ୍ୟାନର ଲଗାଯାଇ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଏହି ସମ୍ପତ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧୀନରେ ରହିଛି ଏବଂ ଏହାର କୌଣସି ପ୍ରକାରର କ୍ରୟ-ବିକ୍ରୟ ବା କାରବାର ବେଆଇନ ବୋଲି ବିବେଚନା କରାଯିବ। ବାରମ୍ବାର ନୋଟିସ୍ ପରେ ମଧ୍ୟ ରାଜପାଲ ଯାଦବ ଋଣ ପରିଶୋଧ କରି ନଥିବାରୁ ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ‘ଡିଫଲ୍ଟ’ ଶ୍ରେଣୀରେ ରଖି ଏହି କଠୋର ପଦକ୍ଷେପ ଗ୍ରହଣ କରିଛି। ୨୦୨୪ ମସିହାରେ ଅଭିନେତା ଋଣ ପରିଶୋଧ କରିବେ ବୋଲି ବ୍ୟାଙ୍କକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ଦାଖଲ କରିବାରେ ବିଫଳ ହୋଇଥିଲେ ।
ଅନ୍ୟପଟେ ରାଜପାଲ ଯାଦବ ବର୍ତ୍ତମାନ ତିହାର ଜେଲରେ ତିନି ମାସର ସଜା କାଟୁଛନ୍ତି । ୨୦୧୦ ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅତା ପତା ଲାପତା’ ପାଇଁ ସେ ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ । ଏହି ଅର୍ଥ ଫେରସ୍ତ କରିବା ସମୟରେ ତାଙ୍କର ଚେକ୍ ବାଉନ୍ସ ହୋଇଯାଇଥିଲା, ଯାହାକୁ ନେଇ ଦୀର୍ଘ ୧୬ ବର୍ଷ ଧରି ମାମଲା ଚାଲିଥିଲା। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଅଭିନେତାଙ୍କ ବ୍ୟବହାରକୁ ସନ୍ଦେହଜନକ କହିବା ସହ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବର୍ତ୍ତମାନ ଏକାଧିକ ଆର୍ଥିକ ଏବଂ ଆଇନଗତ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ରାଜପାଲ ଯାଦବଙ୍କ ପରିବାର ପାଇଁ ଆଗାମୀ ସମୟ ବେଶ କଷ୍ଟକର ହେବାକୁ ଯାଉଛି

