ଅଜୟ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଓଡ଼ିଶାରୁ ଧରିଲା ପଶ୍ଚିମବଙ୍ଗ ପୁଲିସ

ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଜୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ହରିପଦ ଦାସଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ପଶ୍ଚିମବଙ୍ଗ ପୋଲିସ ତଦନ୍ତକୁ ଜୋରଦାର କରିଥିଲା।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଡେମ୍ବୁରିଆ ଗ୍ରାମର ବୃଦ୍ଧ ଅଜୟ ଦାସଙ୍କ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେହି ଗ୍ରାମର ହରିପଦ ଦାସଙ୍କୁ ଓଡ଼ିଶାରୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ଗତ ୨୦୨୫ ଡିସେମ୍ବରରେ ପଶ୍ଚିମବଙ୍ଗରେ ଅଜୟ ଦାସଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା।

ସୂଚନା ଅନୁଯାୟୀ, ୨୩ ଡିସେମ୍ବର ୨୦୨୫ରେ ପଶ୍ଚିମବଙ୍ଗର ମୋହନପୁର ଥାନା ଅନ୍ତର୍ଗତ ନୀଲଦା ଅଞ୍ଚଳରୁ ଅଜୟ ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରଥମେ ଏହି ଘଟଣାକୁ ନେଇ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ଏହାପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଜୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ହରିପଦ ଦାସଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ପଶ୍ଚିମବଙ୍ଗ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଶେଷରେ ଓଡ଼ିଶାରେ ଥିବା ହରିପଦଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ଘଟଣା ଦିନ ଅଜୟ ଭୋଗରାଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟରୁ କାମ ସାରି ଘରକୁ ଫେରୁଥିଲେ। ଘର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ସାଇକେଲ ରଖି ଘରକୁ ଯାଉଥିବା ବେଳେ ସେ ଆଉ ଘରେ ପହଞ୍ଚିନଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ନୀଲଦା ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିବା ଖବର ପାଇ ପରିବାର ସେଠାରେ ପହଞ୍ଚିଥିଲେ।

ଏହି ଘଟଣାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ପୋଲିସର ମିଳିତ ତଦନ୍ତ ଜାରି ରହିଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *