SCO ବୈଠକରେ ପାକିସ୍ତାନକୁ ରାଜନାଥଙ୍କ କଡ଼ା ବାର୍ତ୍ତା, ‘ଆତଙ୍କବାଦର ପୂରା ଇକୋସିଷ୍ଟମ୍ ଧ୍ୱଂସ କରିବାକୁ ହେବ’

ରାଜନାଥ ସିଂହ କହିଛନ୍ତି, ଆତଙ୍କବାଦର ପୂରା ଇକୋସିଷ୍ଟମ୍‌କୁ ଦୃଢ଼ତାର ସହ ସାମୂହିକ ଭାବେ ଧ୍ୱଂସ କରିବାକୁ ହେବ । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା, ସମର୍ଥନ କରୁଥିବା କିମ୍ବା ସୁରକ୍ଷିତ ଆଶ୍ରୟ ଯୋଗାଇ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ।

ଆତଙ୍କବାଦକୁ ନେଇ ପାକିସ୍ତାନକୁ ପୁଣି କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ଦୋହରାଇଛନ୍ତି ସେ ।ଏହି ବୈଠକରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଡାର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସାମ୍ନାରେ ରାଜନାଥଙ୍କ ଏହି ବାର୍ତ୍ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ରାଜନାଥ ସିଂହ କହିଛନ୍ତି, ଆତଙ୍କବାଦର ପୂରା ଇକୋସିଷ୍ଟମ୍‌କୁ ଦୃଢ଼ତାର ସହ ସାମୂହିକ ଭାବେ ଧ୍ୱଂସ କରିବାକୁ ହେବ । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା, ସମର୍ଥନ କରୁଥିବା କିମ୍ବା ସୁରକ୍ଷିତ ଆଶ୍ରୟ ଯୋଗାଇ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ।ଆତଙ୍କବାଦ କେବଳ ନିରୀହ ଲୋକଙ୍କ ଜୀବନ ନେଉନାହିଁ, ବରଂ ଶାନ୍ତି, ବିକାଶ, ବ୍ୟବସାୟ ଓ ନିବେଶକୁ ମଧ୍ୟ ବାଧା ପହଞ୍ଚାଉଛି । 

ଆତଙ୍କବାଦ ସମାଜରେ କଟ୍ଟରପନ୍ଥୀ ଚିନ୍ତାଧାରା ବଢ଼ାଇବା ସହ ଯୁବପିଢ଼ିଙ୍କୁ ସେମାନଙ୍କ ଯୋଗ୍ୟ ସୁଯୋଗରୁ ବଞ୍ଚିତ କରୁଛି ବୋଲି ସେ କହିଛନ୍ତି। ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ମଧ୍ୟ ରାଜନାଥ କହିଥିଲେ ଯେ, ପାକିସ୍ତାନରୁ ଉତ୍ପନ୍ନ ହେଉଥିବା ଭବିଷ୍ୟତର ଯେକୌଣସି ଆତଙ୍କବାଦୀ ଆକ୍ରମଣର ଆହୁରି କଡ଼ା ଜବାବ ଦିଆଯିବ ।

ଏହି ବୈଠକରେ ଆତଙ୍କବାଦ ସହ ଆର୍ଥିକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ରାଜନାଥ। ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ବହୁପକ୍ଷୀୟ ବାଣିଜ୍ୟ ଓ ଆର୍ଥିକ ସହଯୋଗ ପାଇଁ ପ୍ରସ୍ତୁତ କାର୍ଯ୍ୟଯୋଜନାକୁ ଭାରତ ସମର୍ଥନ କରିଛି। ଅଧିକ ସୁଦୃଢ଼ ଯୋଗାଣ ଶୃଙ୍ଖଳ, ବାଣିଜ୍ୟ ଓ ନିବେଶର ସୁବିଧା ଏବଂ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ସେ ଜୋର୍ ଦେଇଛନ୍ତି । ଏଥିସହ ତାସକେଣ୍ଟରେ ‘ୟୁନିଭର୍ସାଲ୍ ସେଣ୍ଟର’ ଓ ଦୁଶାନବେରେ ‘ଆଣ୍ଟି-ଡ୍ରଗ୍ ସେଣ୍ଟର’କୁ ଏସ୍‌ସିଓର ସ୍ଥାୟୀ ସଂସ୍ଥା ଭାବେ ଗଠନ କରିବା ନେଇ ବିଷ୍କେକ୍‌ରେ ନିଆଯାଇଥିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି ।

Leave a Reply

Your email address will not be published. Required fields are marked *