ବଦଳିବ ଗ୍ରାମିଣ ଓଡ଼ିଶାର ଚିତ୍ର । ପଞ୍ଚାୟତର ବିକାଶ ପାଇଁ ଅର୍ଥ କମିସନଙ୍କ ସୁପାରିଶ । ପଞ୍ଚାୟତରେ ରହୁଥିବା ଲୋକଙ୍କୁ ଏବେ ଗଣିବାକୁ ପଡ଼ିବ ଟିକସ । ପୌରାଞ୍ଚଳ ଓ ମହାନିଗର ନିଗମ ଢାଞ୍ଚା ଅନୁସାରେ ଘର ଓ ସମ୍ପତ୍ତି ଟିକସ
ବଦଳିବ ଗ୍ରାମିଣ ଓଡ଼ିଶାର ଚିତ୍ର । ପଞ୍ଚାୟତର ବିକାଶ ପାଇଁ ଅର୍ଥ କମିସନଙ୍କ ସୁପାରିଶ । ପଞ୍ଚାୟତରେ ରହୁଥିବା ଲୋକଙ୍କୁ ଏବେ ଗଣିବାକୁ ପଡ଼ିବ ଟିକସ । ପୌରାଞ୍ଚଳ ଓ ମହାନିଗର ନିଗମ ଢାଞ୍ଚା ଅନୁସାରେ ଘର ଓ ସମ୍ପତ୍ତି ଟିକସ ଏଥର ପଞ୍ଚାୟତରୁ ବି ଆଦାୟ ହେବ। ବର୍ଷକୁ ୧୨ଶହ ଟଙ୍କାର ଟିକସ ଗଣିବେ ପଞ୍ଚାୟତ ବାସୀ । ଟିକସ ଆଦାୟ ନେଇ କେନ୍ଦ୍ରୀୟ ଷୋଡ଼ଶ କମିଶନ୍ ବା ସିଏଫ୍ସି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।
ସିଏଫ୍ସିର ଗାଇଡ୍ଲାଇନ୍ ଅନୁସାରେ ଗ୍ରାମପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି। ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦକୁ କେଉଁ ବିଭାଗକୁ କେତେ ଅର୍ଥ ଦେବେ ତାର ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଷୋଡ଼ଶ କମିଶନ୍ଙ୍କ ନୂଆ ଫର୍ମୁଲା ଅନୁସାରେ, ୨୦୨୮-୨୯ରୁ ପ୍ରତି ପଞ୍ଚାୟତକୁ ଏକ ପର୍ଫରମାନ୍ସ ଗ୍ରାଣ୍ଟ ବା ଅନୁଦାନ ମିଳିବ। ପ୍ରତି ରୁରାଲ ଲୋକାଲ୍ ବଡି ବା ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ କେନ୍ଦ୍ର ସରକାର ଯେତିକି ପାଣ୍ଠି ଦେବେ, ତାର ଅତିରିକ୍ତ ୧୦ ପ୍ରତିଶତ ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବ। ଯେଉଁ ପଞ୍ଚାୟତ ଯେତେ ଅଧିକ ପାଣ୍ଠି ଆଦାୟ କରିବେ ତାଙ୍କ ପ୍ରଦର୍ଶନ ସେତେ ଅଧିକ ବୋଲି ଧରାଯିବ। ସେହି ଆଧାରରେ ସେହି ପଞ୍ଚାୟତକୁ ଅଧିକ ଟଙ୍କାର ପାଣ୍ଠି ବା ଅନୁଦାନ ମିଳିବ।
ଆସନ୍ତା ୫ ବର୍ଷରେ ପ୍ରଦର୍ଶନ ପାଣ୍ଠି ବାବଦରେ ରାଜ୍ୟକୁ କେନ୍ଦ୍ରଠାରୁ ମୋଟ ୩୭୪୨ କୋଟି ଟଙ୍କା ମିଳିବ। ସେହିପରି ଷୋଡ଼ଶ ଅର୍ଥ କମିଶନ୍ ଆସନ୍ତା ୫ ବର୍ଷରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ମୋଟ ୧୮,୭୧୫ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ଦିଆଯାଇଛି । ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୬-୨୭ ରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୧୮,୭୧୫ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି । ଏହି ଅନୁଦାନ ମଧ୍ୟରୁ ୮୦ ପ୍ରତିଶତ ମୂଳ ଅନୁଦାନ ଏବଂ ୨୦ ପ୍ରତିଶତ ପ୍ରଦର୍ଶନ ଭିତ୍ତିକ ଭାବେ ପ୍ରଦାନ କରାଯିବ । ମୂଳ ଅନୁଦାନର ୫୦ ପ୍ରତିଶତ ‘ଟାଇଡ୍ ଗ୍ରାଣ୍ଟ’ ଭାବେ ଗ୍ରାମାଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ସ୍ୱଚ୍ଛତା ତଥା କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଖର୍ଚ୍ଚ କରାଯିବ। ଅନଟାଏଡ୍ ପାଣ୍ଠିରେ ରାସ୍ତା, କଲ୍ୟାଣ ମଣ୍ଡପ ପାର୍କ, ଜିମ୍ ଓ ଅନ୍ୟ ସମସ୍ତ ବିକାଶ ମୂଳକ କାର୍ଯ୍ୟ କରିହେବ। ଅନ୍ୟପଟେ, ୬ଷ୍ଠ ରାଜ୍ୟ ଅର୍ଥ କମିଶନ ଅଧୀନରେ ୨୦୨୬-୩୧ ମଧ୍ୟରେ ମୋଟ ୧୦,୧୫୦ କୋଟି ଟଙ୍କାର ପାଣ୍ଠି ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ହସ୍ତାନ୍ତର କରାଯିବ। ସରକାରଙ୍କ ନିଷ୍ପତ୍ତି ମୁତାବକ, ଏହି ଅନୁଦାନ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମଧ୍ୟରେ ୬୦:୩୦:୧୦ ଅନୁପାତରେ ବଣ୍ଟନ କରାଯିବ ।

